ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜୁଲାଇ ମାସର ଜିଏସଟି କଲେକ୍ସନର ତଥ୍ୟ ଜାରି କରିଛନ୍ତି । ଜୁଲାଇ ମାସରେ ଜିଏସଟି କଲେକ୍ସନ ବୃଦ୍ଧି ଘଟି ୧.୯୬ ଲକ୍ଷ କୋଟି ଟଙ୍କା ହୋଇଛି । ଗତ ବର୍ଷ ଏହି ସମୟ ତୁଳନାରେ ୭.୫ ପ୍ରତିଶତ ଅଧିକ ରହିଛି । ଲଗାତାର ସପ୍ତମ ମାସରେ ଜିଏସଟି ଆଦାୟ ୧.୮୦ ଲକ୍ଷ କୋଟିରୁ ଅଧିକ ରହିଛି । କିନ୍ତୁ ଏହା ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାର ହାରାହାରି ୨.୧ ଲକ୍ଷ କୋଟିରୁ କମ ରହିଛି ।
ଘରୋଇ ନେଣଦେଣରେ ବୃଦ୍ଧି ସହ ଆମଦାନୀରୁ ଅଧିକ ଟ୍ୟାକ୍ସ ସଂଗ୍ରହ କାରଣରୁ ଜିଏସଟି କଲେକ୍ସନ ୧.୯୬ ଲକ୍ଷ କୋଟି ରହିଛି । ଏହା ସ୍ଥିର ଆର୍ଥିକ ଗତିବିଧିର ସଙ୍କେତ ଦେଇଛି । ହେଲେ ବିକାଶର ଗତି ଗତ ମାସ ତୁଳନାରେ ମନ୍ଥର ରହିଛି ।
ଜିଏସଟି କଲେକ୍ସନରୁ ସିଜିଏସଟି ୩୫ ହଜାର ୪୭୦ କୋଟି ଟଙ୍କା ରହିଛି । ଏସଜିଏସଟିରୁ ୪୪ ହଜାର ୫୯ କୋଟି, ଆଇଜିଏସଟିରୁ ଏକ ଲକ୍ଷ ୩ ହଜାର ୫୩୬ କୋଟି ରହିଛି । ଏଥିରୁ ଆମଦାନୀ ଉପରେ ଏକତ୍ରିତ ୫୧ ହଜାର ୬୨୬ କୋଟି ରହିଛି । ଉପକର ବା ସେସ ୧୨ ହଜାର ୬୭୦ କୋଟି ଟଙ୍କା ରହିଛି ।
ଜୁଲାଇ ମାସରେ ମଧ୍ୟପ୍ରଦେଶରେ ଟ୍ୟାକ୍ସ ଆଦାୟ ୧୮ ପ୍ରତିଶତ ବୃଦ୍ଧି ଘଟିଛି, ଯାହା ବଡ ରାଜ୍ୟ ତୁଳନାରେ ସବୁଠୁ ଆଗରେ ରହିଛି । ବିହାରରେ କଲେକ୍ସନ ୧୬ ପ୍ରତିଶତ ରହଥିବା ବେଳେ ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗରେ କ୍ରମଶଃ ୧୪ ପ୍ରତିଶତ ଓ ୧୨ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି । ଅନ୍ୟପଟେ ମଣିପୁର, ମିଜୋରାମ ଓ ଝାଡଖଣ୍ଡରେ କ୍ରମଶଃ ମାଇନଓ ୩୬ ପ୍ରତିଶତ, ମାଇନ ୨୧ ପ୍ରତିଶତ ଓ ମାଇନଓ ୩ ପ୍ରତିଶତ ରହିଛି । ମହାରାଷ୍ଟ୍ର ୩୦ ହଜାର ୫୯୦ କୋଟିରୁ ଅଧିକ କଲେକ୍ସନ ସହ ରହିଛି ।