Home >
ଟେଷ୍ଟ ସଫଳତା ପରେ କାଲି ଦିନିକିଆ ଲଢେଇ, ବିଜୟ ଲକ୍ଷ୍ୟରେ ଉଭୟ ଦଳ
Khabar Odisha:sports-cricket-odisha-india-vs-australia-first-odi-match
ସିଡନୀ,ଜାନୁଆରୀ୧୧(ଖବର ଓଡ଼ିଶା):

 ଟେଷ୍ଟରେ ସଫଳତା ପରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଶନିବାରଠୁ ଦିନିକିଆ ସିରିଜ୍ ଖେଳିବ।  ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଶନିବାର ସିଡନୀରେ ଖେଳାଯିବ। ଏହି ସିରିଜ୍ ସହିତ ବିଶ୍ଵ କପ୍ ପାଇଁ ଭାରତ ନିଜର ପ୍ରସ୍ତୁତି ଆରମ୍ଭ କରିବ। ଉଭୟ ଦଳ ପ୍ରଥମ ମ୍ୟାଚ୍ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ। ଟିଭି ସୋରେ ରାହୁଲ ଓ ପାଣ୍ଡ୍ୟାଙ୍କ ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟରେ ଭାରତୀୟ ଦଳର ଧ୍ୟାନ କିଛିଟା ଭଙ୍ଗ ହୋଇଛି। ପ୍ରଥମ ଦିନିକିଆ ମ୍ୟାଚ୍ ପୂର୍ବରୁ ଅଧିନାୟକ ବିରାଟ କୋହଲି ଦୁଇ ଖେଳାଳିଙ୍କୁ ଦଳରେ ରଖାଯିବ କି ନାହିଁ  ଟିମ୍ ପ୍ରବନ୍ଧନର ନିଷ୍ପତ୍ତିକୁ ଅପେକ୍ଷା କରିଛୁ। 

ଟିମ୍ ପ୍ରବନ୍ଧନ ପ୍ରଥମ ମ୍ୟାଚ୍ ପାଇଁ ଖେଳାଳିଙ୍କ ସଂଶୋଧିତ ସୂଚୀ ଘୋଷଣା ମଧ୍ୟ କରି ନାହିଁ। ତେଣୁ ଏହି ଦୁଇ ଖେଳାଳିଙ୍କ ଉପଲବ୍ଧତା ଉପରେ ଦଳ ବିସିସିଆଇର ନିଷ୍ପତ୍ତିକୁ ଅପେକ୍ଷା  କରିଛି। ମାତ୍ର ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଦୁଇ ଖେଳାଳିଙ୍କୁ ଦଳରେ ଜାଗା ମିଳିବା  ସମ୍ଭାବନା ବହୁତ କମ ରହିଛି।

ଅନ୍ୟ ପଟେ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ  ସିରିଜରୁ ବିଶ୍ରାମ ଦିଆଯାଇଛି। ଭୁବନେଶ୍ଵର କୁମାରଙ୍କ ଖେଳିବା ନିଶ୍ଚିତ। କୋହଲିଙ୍କ ଉପରେ ନିର୍ଭର ଯେ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ତିନି ଜଣ ଦ୍ରୁତ ବୋଲରଙ୍କୁ ଓହ୍ଲାଇବେ କି ନାହିଁ। ଏମିତି ସ୍ଥିତିରେ ମହମ୍ମଦ ସାମି ଓ ଖଲିଲ ଅହମ୍ମଦଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିପାରେ କାରଣ ବିଶ୍ଵ କପ ପାଇଁ ଭାରତ ଏହି ଚାରି ଜଣ ବୋଲରଙ୍କୁ ଦଳରେ ରଖିବାକୁ ଚେଷ୍ଟା କରିବ। 

ସିଡନୀର ଏମସିଜି ପିଚରେ ହାଲୁକା ଘାସ ଦେଖାଯାଇ ପାରେ। ଏହାକୁ  ଦୃଷ୍ଟିରେ ରଖି ଅଧିନାୟକ କୋହଲି  ତିନି ଜଣ ଦ୍ରୁତ ବୋଲର ଓ ଦୁଇ ଜଣ ସ୍ପିନର ଆକ୍ରମଣ ସହିତ ମ୍ୟାଚକୁ ଓହ୍ଲାଇ ପାରନ୍ତି। ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଜାଡେଜା ଦଳରେ ଅଲରାଉଣ୍ଡର ଭୂମିକା ନିଭାଇବେ। ତାଙ୍କ ସହିତ  ରିଷ୍ଟ ସ୍ପିନର କୁଲଦୀପ ଯାଦବ ସ୍ପିନ ଆକ୍ରମଣ ସମ୍ଭାଳିବେ। ଆବଶ୍ୟକ ପଡିଲେ କେଦାର ଯାଧବ କାମଚଳା ସ୍ପିନରର ଭୂମିକା ନିଭାଇ ପାରନ୍ତି।

ଚତୁର୍ଥରେ ଅମ୍ବତି ରାୟୁଡୁ

ଓପନିଂ ବିଭାଗ ସମ୍ଭାଳିବେ ରୋହିତ ଓ ଶିଖର। ତୃତୀୟରେ ବ୍ୟାଟିଂ କରିବେ ଅଧିନାୟକ କୋହଲି। ଅମ୍ବତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନୀ ଓ କେଦାର ଯାଧବ ମଧ୍ୟ କ୍ରମରେ ବ୍ୟାଟିଂ ସମ୍ଭାଳିବେ। ଏହି ସିରିଜରେ  ଧୋନୀ ଓ ରାୟୁଡୁଙ୍କ ଫର୍ମ ଉପରେ ବିଶେଷ ନଜର ରହିବ। ଖାସ୍ କରି ଚତୁର୍ଥ ସ୍ଥାନରେ ଭାରତ ଅମ୍ବତି ରାୟୁଡୁଙ୍କୁ ମଇଦାନକୁ ଓହ୍ଲାଇବ।  ରାୟୁଡୁ ଏ ପର‌୍ୟ୍ୟନ୍ତ ୧୧ଟି ଦିନିକିଆରେ ଗୋଟିଏ ଶତକ ଓ ଛଅଟି ଅର୍ଦ୍ଧଶତକ ବଳରେ ୫୬ ହାରରେ ୩୯୨ ରନ କରିଛନ୍ତି। 

ଦୁଇ ଦଳର ପ୍ରଦର୍ଶନ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏ ପର୍ଯ୍ୟନ୍ତ ମୋଟ୍ ୧୨୮ଟି ଦିନିକିଆ ମ୍ୟାଚ୍ ଖେଳାଯାଇଛି। ଏଥିରୁ କଙ୍ଗାରୁ ଦଳ ୭୩ ଓ ଭାରତ ୪୫ଟି ମ୍ୟାଚରେ ବିଜୟୀ ହୋଇଛି। ୧୦ଟି ମ୍ୟାଚ୍ ଫଳାଫଳଶୂନ୍ୟ ରହିଛି। ମାତ୍ର ଭାରତ ପାଇଁ ଖୁସି ଖବର ଏହା ଯେ ଦଳ ପଛ ୬ଟି ମ୍ୟାଚରୁ ୫ଟିରେ ବିଜୟୀ ହୋଇଛି। 

ଘରୋଇ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆର ପଲ୍ଲା ଭାରି

ଘରୋଇ ଅଷ୍ଟ୍ରେଲିଆ ନିଜ ଘରେ ଦିନିକିଆ ଫର୍ମାଟରେ ଭାରତ ବିପକ୍ଷରେ ରେକର୍ଡ ଦମଦାର ରହିଛି। ଅଷ୍ଟ୍ରେଲିଆରେ ଉଭୟ ଦଳ ମଧ୍ୟରେ ୪୮ଟି ମ୍ୟାଚ୍ ଖେଳାଯାଇଛି। ଏଥିରୁ କଙ୍ଗାରୁ ଦଳ ୩୫ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଭାରତ ୧୧ଟି ମ୍ୟାଚ୍ ଜିତିଛି। ଦୁଇଟି ମ୍ୟାଚ୍ ଫଳାଫଳଶୂନ୍ୟ ରହିଛି। 

ସିଡନୀରେ ଭାରତର ରେକର୍ଡ ଖରାପ

ସିଡନୀରେ ଟିମ୍ ଇଣ୍ଡିଆର ରେକର୍ଡ ବହୁତ ଖରାପ ରହିଛି। ଏଠାରେ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୧୬ଟି ମ୍ୟାଚ୍ ଖେଳି ମାତ୍ର ୨ଟିରେ ବିଜୟୀ ହୋଇଛି। ଗୋଟିଏ ମ୍ୟାଚ୍ ଫଳାଫଳଶୂନ୍ୟ ରହିଛି। 

ଦଳ ଏହି ପ୍ରକାର

ଭାରତ- ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, ଶିଖର ଧାଓ୍ଵନ, ଅମ୍ଵତି ରାୟୁଡୁ, ଦିନେଶ କାର୍ତ୍ତିକ, କେଦାର ଯାଧବ, ମହେନ୍ଦ୍ର ସିଂହ ଧୋନୀ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ଵର କୁମାର, ଖଲିଲ ଅହମ୍ମଦ, ମହମ୍ମଦ ସାମି ଓ ମହମ୍ମଦ ସିରାଜ। 

ଅଷ୍ଟ୍ରେଲିଆ(ଚୂଡ଼ାନ୍ତ ଏକାଦଶ)- ଆରୋନ ଫିଞ୍ଚ(ଅଧିନାୟକ), ଆଲେକ୍ସ ହେଲ୍ସ, ଉସ୍ମାନ ଖ୍ଵାଜା, ସନ ମାର୍ଶ, ପିଟର  ହ୍ୟାଣ୍ଡସ୍କମ୍ବ, ମାର୍କସ ଷ୍ଟୋଇନିସ୍, ଗ୍ଲେନ ମ୍ୟାକ୍ସଓ୍ଵେଲ, ନାଥନ ଲିୟନ, ପିଟର ସିଡଲେ, ଝାୟ ରିଚାର୍ଡସନ ଓ ଜାସନ  ବେହରନଡର୍କ।

Subscribe

National International State Sports Entertainment