ମନ ମୋହିଲେ ମୋଦୀ
Khabar Odisha:

ଭୁବନେଶ୍ୱର,ଏପ୍ରିଲ୧୬ (ଖବର ଓଡ଼ିଶା): ମୁହଁରୁ ଆଉ ବାହାରୁ ନାହିଁ ଭାଇଓଁ, ବହନୋ ଓ ମିତ୍ରୋ । ତଥାପି ସେ ଦିଲ୍ଲୀରୁ ବାହାରି ଯେତେବେଳେ ଅନ୍ୟ ରାଜ୍ୟକୁ ଯାଉଛନ୍ତି, ତାଙ୍କୁ ଦେଖିବା ପାଇଁ ଜନତାଙ୍କ ପ୍ରବଳ ଭିଡ଼ ଲାଗୁଛି । ହଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥା କହିବାକୁ ଚାହୁଁଛୁ । ରାଜଧାନୀ ଜନତା ମଇଦାନରେ ଅନୁଷ୍ଠିତ ଭାରତୀୟ ଜନତା ପାର୍ଟିର ୨ ଦିବସୀୟ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଆଜି ଶେଷ ହୋଇଛି । ସମାରୋହରେ ଯୋଗଦେବା ପାଇଁ ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନବନ୍ଦରରେ ମୋଦୀ ଶନିବାର ଅପରାହ୍ନ ପ୍ରାୟ ୩.୩୦ରେ ପହଞ୍ଚିଥିଲେ । ସେଠାରୁ ସେ ରାଜଭବନ ଓ ପରେ ଜନତା ମଇଦାନକୁ ଯାଇଥିଲେ । ରାତ୍ର ପ୍ରାୟ ୧୦ଟା ପୂର୍ବରୁ ମୋଦୀ ଜନତା ମଇଦାନ ଛାଡ଼ି ଭୋଜନ ଓ ବିଶ୍ରାମ ପାଇଁ ରାଜଭବନ ଫେରିଥିଲେ ।

ଏଭିତରେ ବିମାନବନ୍ଦରଠାରୁ ଜନତା ମଇଦାନକୁ ସଂଯୋଗ ହୋଇଥିବା ରାସ୍ତା କଡ଼ରେ ମୋଦୀଙ୍କ ଲକ୍ଷ ଲକ୍ଷ ସମର୍ଥକ, ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଭାରି ଭିଡ଼ ଲଗାଇଥିଲେ । ଯଦିଓ ପୂରା ସପ୍ତାହେ ପୂର୍ବରୁ ଭିଡ଼ର ସମ୍ଭାବନାକୁ ଆଶା କରାଯାଉଥିଲା, ତାହା କାଲି ସତ ହୋଇଛି । ଗ୍ରୀଷ୍ମ ଋତୁର ପ୍ରଭାବକୁ ଖାତିର ନକରି ଲୋକେ ଘଣ୍ଟା ଘଣ୍ଟା ଧରି ରାସ୍ତା କଡ଼ରେ ଛିଡ଼ା ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଜି ବି ଠିକ୍ ସେହି ଅବସ୍ଥା । ସକାଳ ୮ଟାରୁ ଦ୍ୱିପ୍ରହର ୪ଟା ପର୍ଯ୍ୟନ୍ତ ଜନତା ମଇଦାନ ରୁ ବିମାନବନ୍ଦର ଯାଏ ସବୁଠି ଜନଗହଳି । ମୋଦୀଙ୍କ ପାଖରେ କ'ଣ ଅଛି, ତାହା ତ ଜନତା କହିବେ । ବାସ୍ ଏତିକି କୁହାଯାଇପାରିବ ଯେ, ମୋଦୀ ଲୋକଙ୍କର ମନକୁ ମୋହୁଛନ୍ତି ।

ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଗଠନ ହେବା ୮୦ ବର୍ଷ ଅତିକ୍ରମ କରିସାରିଛି । ଭାଷା ଭିତ୍ତିକ ଦୃଷ୍ଟିରୁ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ । ଗୋଟିଏ ନିଦ୍ଧିଷ୍ଟ ଭାଷାର ଲୋକଙ୍କୁ ଏକାଠି କରିବା ଓ ସେମାନଙ୍କର ବିକାଶ ପାଇଁ କାମ କରିବା ଉଦ୍ଦେଶ୍ୟରେ ଅତୀତରେ ଓଡ଼ିଶାର ମହାପୁରୁଷମାନେ ଯେଉଁ ଉଦ୍ୟମ କରିଥିଲେ, ତାହା ଆଜି ବି ପୂରଣ ହୋଇ ପାରି ନାହିଁ । ଦେଶ ସ୍ୱାଧୀନତା ପ୍ରାପ୍ତିର ୭୦ ବର୍ଷ ଅତିକ୍ରମ କରି ସାରିଛି । କିନ୍ତୁ ଓଡ଼ିଶାର ବିକାଶ ତୁଳନାତ୍ମକ ଭାବରେ ହୋଇ ପାରିନି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ହୃଦୟଙ୍ଗମ କରିଛନ୍ତି । ଜମି, ଜଳ, ଖଣି, ପବନ ଆଦି ସମ୍ବଳର ଅଭାବ ନ ଥିଲେ ମଧ୍ୟ ଓଡ଼ିଶାର ୪୬ ପ୍ରତିଶତ ଲୋକ ଆଜି ମଧ୍ୟ ଗରୀବି ସୀମା ରେଖା ତଳେ ଦିନ ବିତାଉଛନ୍ତି ।

ରାଜ୍ୟର ୬୫ ପ୍ରତିଶତ ଲୋକ କୃଷି ଓ କୃଷି କାମ ସହିତ ଜଡ଼ିତ ଥିଲେ ବି ଜମିକୁ ଜଳ ମିଳି ପାରୁନି । କଟକରେ ଗତ ବର୍ଷ ଜଣ୍ଡିସ ଓ ମାଳକାନଗିରିରେ ଜାପାନୀ ଇନସେଫାଲାଇଟସକୁ ଅନୁଧ୍ୟାନ କଲେ, ନିଶ୍ଚିତ ଭାବରେ କୁହାଯାଇ ପାରିବ ଯେ, ପାନୀୟ ଜଳ ଓ ସ୍ୱାସ୍ଥ୍ୟସେବା ବିପର୍ଯ୍ୟୟ ଅବସ୍ଥା ଦେଇ ଗତି କରୁଛି । ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରର କାରଖାନା ଥାଇ ବି ଶିକ୍ଷିତ ଓଡ଼ିଆକୁ ଦାଦନ ଯିବାକୁ ପଡୁଛି । ବିକାଶ କଥା ଚିନ୍ତା କରନ୍ତୁ ଅଥବା ରାଜନୈତିକ ଲାଭ ଉଠାଇବାକୁ ଭାବନ୍ତୁ ମୋଦୀ ନିଶ୍ଚିତ ଭାବରେ ଓଡ଼ିଶା ପ୍ରତି ଦୃଷ୍ଟି ଦେଉଛନ୍ତି । ଯଦି ସେ ଓଡ଼ିଶା କଥା ଚିନ୍ତା ନ କରନ୍ତେ ପ୍ରତି ୨/୩ ମାସରେ କେନ୍ଦ୍ରରୁ ମନ୍ତ୍ରୀମାନେ ଓଡ଼ିଶା ଆସନ୍ତେ ନାହିଁ ।

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଦଳକୁ ଆହୁରି ଶକ୍ତ ଓ ସମୃଦ୍ଧ କରିବା ପାଇଁ ବଡ ବଡିଆ ନେତାମାନେ ତଳ ସ୍ତରର ନେତାମାନଙ୍କୁ ଉପଦେଶ ଦେଇଛନ୍ତି । ଲୋକଙ୍କ ସହିତ ରହି, ସେମାନଙ୍କର ଅସୁବିଧା-ସୁବିଧାରେ ହାତ ମିଳାଇବାକୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ କୁହାଯାଇଛି । ୨୦୧୯ରେ ଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନରେ ଦଳକୁ ଶତ-ପ୍ରତିଶତ ସଫଳତା ହାସଲ କରିବା ପାଇଁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଗୁପ୍ତ ଚର୍ଚ୍ଚା ହୋଇଛି ବୋଲି ଶୁଣା ଯାଉଛି ।

 

 

  • Tags:

Subscribe

National International State Sports Entertainment