"ବିଜୁ ପକ୍କା ଘର ଯୋଜନା' ବନାମ ଦୁର୍ନୀତି
Khabar Odisha:
ଭୁବନେଶ୍ୱର,ଏପ୍ରିଲ ୬(ଖବର ଓଡ଼ିଶା): ଗ୍ରାମାଞ୍ଚଳରେ ଗରୀବମାନଙ୍କୁ ପକ୍କା ଘର ଦେବା ଲକ୍ଷ୍ୟ ନେଇ ଓଡିଶା ସରକାର ୨୦୧୪ରେ "ବିଜୁ ପକ୍କା ଘର ଯୋଜନା' ଆରମ୍ଭ କରିଥିଲେ । "ମୋ କୁଡ଼ିଆ ଯୋଜନା'ର ନାମକୁ ପରିବର୍ତ୍ତନ କରି ସରକାର ଏହି ଯୋଜନାରେ ୧,୩୦,୦୦୦ଟଙ୍କା ଅନୁଦାନ ଦେଉଛନ୍ତି । ସରକାରଙ୍କ ଗାଇଡ ଲାଇନ୍ସ ଅନୁସାରେ ଗ୍ରାମାଞ୍ଚଳରେ ରହୁଥିବା ଲୋକ ଯାହା ପାଖରେ କିଛି ଘର ନ ଥିବା କିମ୍ବା ଗୋଟିଏ ବା ଦୁଇଟି କଠୋରି ବିଶିଷ୍ଟ ଝାଟି-ମାଟିରେ ତିଆରି ଘର ଥିବା, ତାଙ୍କୁ ଯୋଗ୍ୟ ହିତାଧିକାରୀ ଭାବରେ ଚୟନ କରାଯିବ । ୨୦୧୧ରେ ପ୍ରସ୍ତୁତ ହୋଇଥିବା ସରକାରଙ୍କ ୧୩ ଗୋଟି ଗାଇଡଲାଇନ୍ ପୂରଣ କରିପାରୁଥିବା ଗରୀବଙ୍କୁ ବିଜୁ ପକ୍କା ଘର ଯୋଜନାରେ ସାମିଲ କରାଯିବାର ନିୟମ ଥିଲେ ସୁଦ୍ଧା ଉକ୍ତ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ପରିଲକ୍ଷିତ ହେଉଛି ।
 
ସରକାରଙ୍କ ଏଇସ୍ସିସି-୨୦୧୧ ଗାଇଡ଼ଲାଇନ ଅନୁସାରେ ହିତାଧିକାରୀଙ୍କ ଏଭଳି ଯୋଗ୍ୟତା ଥିବା ଦରକାର । (୧) ଦୁଇଚକିଆ, ତିନି ଚକିଆ, ଚାରିଚକିଆ ଅଥବା ମାଛଧରିବା ଡଙ୍ଗା ନଥିବ । (୨)କୃଷି ଉପକରଣ ଯଥା ତିନି ଚକିଆ ବା ଚାରି ଚକିଆ ଗାଡି ନ ଥିବ । (୩) ୫୦,୦୦୦ଟଙ୍କାରୁ କମ ମୂଲ୍ୟର କିଷାନ କାର୍ଡ ଥିବ । (୪) ପରିବାରର କୌଣସି ସଦସ୍ୟ ସରକାରୀ ଚାକିରୀ କରୁ ନ ଥିବେ । (୫) ଚାଷ ବ୍ୟତିତ ଅନ୍ୟ ବ୍ୟବସାୟ ପାଇଁ ସରକାରୀ ପଞ୍ଜୀକରଣ କରି ନ ଥିବେ । (୬) ଆୟକର ଦେଉ ନ ଥିବ । (୭) ଲ୍ୟାଣ୍ଡ ଲାଇନ୍ ଫୋନ୍ ନଥିବ । (୮) ୨.୫ରୁ ଅଧିକ ଜଳସେଚିତ ଜମି ନଥିବ । (୯) ଉଭୟ ରବି ଓ ଖରିଫ ଫସଲ ପାଇଁ ୫ଏକରରୁ ଅଧିକ ଜଳସେଚିତ ଜମି ନଥିବ । (୧୦) ଅନ୍ୟ କୌଣସି କର ଦେଉ ନ ଥିବ । (୧୧) ଘରେ ଫ୍ରିଜ୍ ନ ଥିବ । (୧୨) ୨.୫ଏକରରୁ କମ୍ ଜମି ଥାଇ  ବି କୃଷି ଯନ୍ତ୍ରପାତି ନଥିବ । (୧୩) ୭.୫ ଏକର ଜମି ଥାଇ ଗୋଟିଏ ବି ଜଳସେଚିତ ଉପକରଣ ନଥିବା ଲୋକହିଁ ବିଜୁ ପକ୍କା ଘର ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ।
ଉପରୋକ୍ତ ଗାଇଡ ଲାଇନ୍କୁ ଭଲ ଭାବରେ ଦେଖାଗଲେ ବର୍ତ୍ତମାନ ପର୍ଯ୍ୟନ୍ତ "ମୋ କୁଡିଆ ଯୋଜନା' ହେଉ ଅଥବା "ବିଜୁ ପକ୍କା ଘର ଯୋଜନା' ହେଉ ୮୦ ପ୍ରତିଶତ ଦୁର୍ନୀତି ହୋଇଛି । ଗ୍ରାମାଞ୍ଚଳରେ ଯେଉଁ ଲୋକ ଦିନ ମଜୁରୀଆ, ଅଥବା ଜଙ୍ଗଲରୁ ଶୁଖିଲା କାଠ ବିକ୍ରି କରି ପରିବାର ପୋଷୁଛି ତାକୁ ସରକାରୀ ଘର ମିଳୁ ନ ଥିବାବେଳେ ଦୁଇ ଚକିଆ ମୋଟର ସାଇକିଲ, ଟ୍ରାକ୍ଟର, ଲକ୍ଷ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଥିବା ଲୋକଙ୍କୁ ଯୋଜନାରେ ସାମିଲ କରାଯାଇଛି ।
 
ସରକାରଙ୍କ ଗାଇଡ ଲାଇନ ଅନୁସାରେ ଜିଲ୍ଲା ସ୍ତରୀୟ କମିଟି (ଡିଏଲ୍ସି)ରେ ଯୋଗ୍ୟ ହିତାଧିକାରୀଙ୍କ ଚୟନ କରିବା ପାଇଁ ନିୟମ ରହିଛି । କମିଟିରେ ଜିଲ୍ଲାପାଳ, ଜିଲ୍ଲାର ସାଂସଦ, ଜିଲ୍ଲାର ବିଧାୟକ, ଜିଲା ପରିଷଦ ସଦସ୍ୟ, ଡିଆଡିଏ ପ୍ରକଳ୍ପ ନିଦେ୍ର୍ଦଶକ ଓ ଜିଲ୍ଲା ପରିଷଦ ଆବାହକଙ୍କ ଉପସ୍ଥିତି ରହିବେ । ବୈଠକରେ ହୋଇଥିବା ନିର୍ଣ୍ଣୟ ପରେ ଜିଲ୍ଲାପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରିବାର ନିୟମ ରହିଛି । କିନ୍ତୁ ବ୍ଲକ ଉନ୍ନୟନ ଅଧିକାରୀମାନେ ପଞ୍ଚାୟତ ସମିତ ସଦସ୍ୟ ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହିତ ସଲାସୁତୁରା କରି ହରି ଲୁଟ କରୁଛନ୍ତି । ଏହାର ପ୍ରଭାବ ସିଧାସଳଖ ଗରୀବ ଲୋକଙ୍କ ଉପରେ ପଡୁଛି । କୁହାଯାଉଛି ବ୍ଲକ ଉନ୍ନୟନ ଅଧିକାରୀମାନେ ଗୋଟିଏ ବିଜୁ ପକ୍କା ଘର ମଞ୍ଜୁରୀ କରିବାକୁ ୫ ରୁ ୮ ହଜାର ଟଙ୍କା ଲାଞ୍ଚ ନେଉଛନ୍ତି। ବାସ୍ତବପକ୍ଷେ ହିତାଧିକାରୀଙ୍କୁ ଗୋଟିଏ ସରକାରୀ ଘର ପାଇବାକୁ ହେଲେ ୨୦ ରୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ଏହି ଟଙ୍କା ପଞ୍ଚାୟତ ସମିତି ସଦସ୍ୟଠାରୁ ଆରମ୍ଭ କରି ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟର ପିଅନ, କିରାଣୀ ଓ ବିଡିଓଙ୍କ ମଧ୍ୟରେ ଭାଗ ବଣ୍ଟା ହୋଇଥାଏ । ଇଏତ ଗଲା ସରକାରୀ, ଗରୀବ ଓ ମଧ୍ୟମ ଶ୍ରେଣୀରେ ବସବାସ କରୁଥିବା ଲୋକଙ୍କର କାହାଣୀ । ବିଜୁ ପକ୍କାଘର ଯୋଜନାକୁ ନେଇ ଅତୀତରେ ବିଧାନସଭାରେ ଆହୁରି ରାଜନୀତି ସରଗରମ ଦେଖିବାକୁ ମିଳିଛି ।
 
ଆର୍ଥିକ ବର୍ଷ ୨୦୧୭-୧୮ ବଜେଟରେ ବିଜୁ ପକ୍କାଘର ପାଇଁ କୌଣସି ଅର୍ଥ ରଶି ଦିଆଯାଇ ନାହି । ୨୦୧୭-୧୮ ବଜେଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୩୧୦୦ କୋଟିର ବ୍ୟୟ ବରାଦ ହୋଇଥିବାବେଳେ, ୨୦୧୩-୧୪ ରୁ ୨-୧୭-୧୮ ମଧ୍ୟରେ ଘର ତିଆରି ପାଇଁ କେନ୍ଦ୍ରୀୟ ଯୋଜନାରେ ୮୫୬୫ କୋଟିର ବ୍ୟୟବରାଦ କରାଯାଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ବିଜୁ ପକ୍କା ଘରକୁ ନେଇ ରାଜ୍ୟରେ ଚର୍ଚ୍ଚା କିଛି କମ ହୋଇ ନାହିଁ । ଗତ ୨ ବର୍ଷରେ ୧୦ ଲକ୍ଷ ବିଜୁ ପକ୍କା ଘର ନିର୍ମାଣ କରିଥିବା କଥା ରାଜ୍ୟ ସରକାର ଘୋଷଣା କରିଥିଲେ । ଏହି ତଥ୍ୟର ସତ୍ୟତାକୁ ନେଇ ଉଭୟ ବିରୋଧି ଦଳ ବିଜେପି ଓ କଂଗ୍ରେସ ପଶ୍ନ ଉଠାଇଥିଲେ । ସରକାରୀ ରିପୋର୍ଟକୁ ପରେ ପ୍ରମାଣିତ ହୋଇଥିଲା ଯେ ସରକାର ୨ ବର୍ଷରେ ନୁହେଁ ବରଂ ୧୫ ବର୍ଷରେ ରାଜ୍ୟରେ ୧୦ଲକ୍ଷ ଘର ନିର୍ମାଣ କରିଛନ୍ତି । ସେଥିରୁ ୮.୫ କେନ୍ଦ୍ରୀୟ ଯୋଜନାରେ ହୋଇଥିବା ବେଳେ, ମାତ୍ର ୧.୫ ଲକ୍ଷ ପକ୍କା ଘର ରାଜ୍ୟ ସରକାରଙ୍କ ଯୋଜନାରେ ନିର୍ମାଣ ହୋଇଛି । 
  • Tags:

Subscribe

National International State Sports Entertainment