ବିକାଶର ଆରପାରିରେ ଗୁପ୍ତ ବୃନ୍ଦାବନ
Khabar Odisha:

ଯୁଗ ଯୁଗ ଧରି ଓଡିଆ ସାହିତ୍ୟ ଇତିହାସକୁ ରୁଦ୍ଧିମନ୍ତ କରି ଆସୁଥିବା ପଞ୍ଚସଖାଙ୍କ ବକୁଳ ବନ ବିଦ୍ୟାଳୟ ଆଜି ଜରାଜୀର୍ଣ୍ଣ । ବକୁଳ ବନ! ପଞ୍ଚସଖାଙ୍କ ସତ୍ୟବାଦୀ ବନ ବିଦ୍ୟାଳୟର ଉତ୍ପତ୍ତିସ୍ଥଳି । ହେଲେ ଆଜି ଏ ଗୁପ୍ତ ବ୍ରୁନ୍ଦାବନ ଅବହେଳିତ । ସରକାରୀ ସୁବିଧା ସତେ ଯେପରି ଏଠି ପାଲଟିଛି ସାତ ସପନ । ପଞ୍ଚସଖାଙ୍କ ମୂର୍ତ୍ତି ନିଜ ଅଧିକାର ଦାବି କରିପାରୁନାହାନ୍ତି କିମ୍ବା ଭୋଟ୍ ଦେଉନାହାନ୍ତି ବୋଲି ସେମାନେ ଆଜି ସମାଜର ନଜର ଆଢୁଆଳରେ ।

ଭୂବନେଶ୍ୱର ଠାରୁ ୫୧ କି.ମି ଦୂର ସାକ୍ଷୀଗୋପାଳ ଠାରେ ୨୦ ଏକର ଜମିରେ ଏହି ବନ ବିସ୍ତାରିତ । ଦିନେ ଏହି ବକୁଳ ବନ ଆମ୍ବ, ପଣଷ, ବଉଳ ଭଳି ଅନେକ ମୂଳ୍ୟବାନ ଗଛରେ ପରିପୂର୍ଣ୍ଣ ଥିଲା । ବର୍ତ୍ତମାନ ଏହାର ରକ୍ଷଣା ବେକ୍ଷଣ ଅଭାବରୁ ଆବଶ୍ୟକୀୟ ବୃକ୍ଷ ସବୁ ଲୋପ ପାଇଗଲାଣି । ପ୍ରଥାନୁଯାୟୀ ରଥଯାତ୍ରାରେ ଶ୍ରୀଜଗନ୍ନାଥଙ୍କ ପାଇଁ ୪ ଖଣ୍ଡ ବଉଳ କାଠ ଏହି ବନରୁ ଯିବାର ପରମ୍ପରା ଥିଲା । ମାତ୍ର ବର୍ତ୍ତମାନ ସେ ଗଛ ସବୁ ଲୋପ ପାଇଗଲାଣି । ପୁନଃ ବୃକ୍ଷରୋପଣ ପାଇଁ ସରକାର କିମ୍ବା ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ।

୧୯୦୯ ମସିହାରେ ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ତାଙ୍କର ସମାସ୍କାନ୍ଦ ପଣ୍ଡିତ ନୀଳକଣ୍ଠ ଦାସ, ଅଚାର୍ଯ୍ୟ ହରିହର ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର, ପଣ୍ଡିତ ଗୋଦାବରିଶ ମିଶ୍ର ମିଳିତ ଭାବରେ ଏହି ବକୁଳ ବନରେ ଏକ ବନ ବିଦ୍ୟାଳୟ ଆରମ୍ଭ କରିଥିଲେ । ପ୍ରକୃତ୍ତିର କୋଳରେ ଖୋଲା ଆକାଶ ତଳେ ଗୁରୁକୁଳ ଭଳି ପରିବେଶରେ ଆରମ୍ଭ ହୋଇଥିଲା ଏହି ବନ ବିଦ୍ୟାଳୟ । ବର୍ତ୍ତମାନ ସରକାରଙ୍କ ଦ୍ୱାରା ବିଦ୍ୟାଳୟ ଗୃହ ନିର୍ମିତ ହୋଇଛି ଏବଂ ପରିଚାଳିତ ହେଉଛି ସତ, ମାତ୍ର ଏହି ବିଦ୍ୟାଳୟର ଇତିହାସ ପରିତ୍ୟକ୍ତ ଅବସ୍ଥାରେ ଅଛି ।

ପଞ୍ଚସଖାଙ୍କ ସ୍ମୃତିକୁ ଜନ ମାନସରେ ଜୀବିତ ରଖିବା ଉଦେ୍ଦଶ୍ୟ ନେଇ ବ୍ରୋଞ୍ଚ ତିଆରି ମୁର୍ତ୍ତିମାନ ଏଠାରେ ସ୍ଥାପିତ କରାଯାଇଥିଲା । ଯାହା କିଛିଦିନ ତଳେ ଦୂର୍ବୁତ୍ତମାନେ ଭାଙ୍ଗି ନେଇଯାଇଛନ୍ତି । ବର୍ତ୍ତମାନ କେବଳ ଏହି ମହାପୁରୁଷ ମାନଙ୍କର ମସ୍ତକ ବିହୀନ  ମୂର୍ତ୍ତି ରହିଯାଇଛି । ଏହି ସ୍ଥାନ ଆମର ଐତିହ୍ୟ ବହନ କରୁଛି । ଏହାର ରକ୍ଷଣାବେକ୍ଷଣ ସରକାରଙ୍କ ଦାୟିତ୍ୱ । ମାତ୍ର ଏହାର ସୁରକ୍ଷା ପାଇଁ ନିୟୋଜିତ ସୁରକ୍ଷା କର୍ମୀକୁ ମାସିକ ଦେୟ ଦିଆଯାଉଛି ମାତ୍ର ୬୦୦ଟଙ୍କା, ଏଠାରେ ରହିବା ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ । ଗୋପବନ୍ଧୁ ଏହିଠାରେ ଏକ ଓଡିଆ ବିଶ୍ୱବିଦ୍ୟାଳୟର ସ୍ୱପ୍ନ ଦେଖିଥିଲେ ଯାହା ସ୍ୱପ୍ନ ହୋଇ ରହିଯାଇଛି ।

ଏହା ବଣଭୋଜି ପାଇଁ ଏକ ଉପଯୁକ୍ତ ସ୍ଥାନ, କିନ୍ତୁ ପାନୀୟ ଜଳର କୌଣସି ସୁବିଧା ନାହିଁ, ବଣ ଭିତରେ ବୁଲିବା ପାଇଁ ରାସ୍ତା ଥିଲେ ମଧ୍ୟ ତାହା ବ୍ୟବହାର ଉପଯୋଗୀ ହୋଇନାହିଁ । ପଞ୍ଚସଖାଙ୍କ ଉପଲବ୍ଧି ବିଷୟରେ ନୂତନ ପିଢ଼ି ଜାଣିବା ପାଇଁ ଏଠାରେ ଏକ ସଂଗ୍ରହାଳୟ ହେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି । ଏହା ଉତ୍କଳର ଐତିହ ବହନ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ଏହାର ଉନ୍ନତ୍ତି ପ୍ରତି ସରକାର ଦୃଷ୍ଟି ଦେଲେ, ଅନେକ ପର୍ଯ୍ୟଟକ ଏଠାକୁ ଆସନ୍ତେ ।

 

  • Tags:

Subscribe

National International State Sports Entertainment