ଆମେରିକୀ ପାଗଳପଣର ତାଣ୍ଡବ
Khabar Odisha:about-Indian-murdered-in-usa
ଆମେରିକାର କନ୍‌ସାସ୍‌ ପ୍ରାନ୍ତରେ ଜଣେ ଭାରତୀୟ ଇଞ୍ଜିନିୟର ଶ୍ରୀନିବାସ କୁଚି ଭୋଟଲାଙ୍କୁ ଯେଉଁ ଭଳି ଭାବରେ ଗୁଳି କରି ହତ୍ୟା କରାଗଲା ଏବଂ ତାଙ୍କର ବନ୍ଧୁ ଆଲୋକ ମଦସାନି ଗୁଳି ଖାଇ ଅଳ୍ପକେ ବଞ୍ଚିଗଲେ ଏଥିରୁ ସେଠାରେ ବସବାସ କରୁଥିବା ପ୍ରବାସୀମାନଙ୍କ ସୁରକ୍ଷା ପ୍ରତି ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ୟି ହେବା ସ୍ୱାଭାବିକ । ଏ ଦୁହିଁଙ୍କୁ ଗୁଳି କରିଥିବା ବ୍ୟକ୍ତି ଏବଂ ପରବର୍ତ୍ତୀ ସମୟରେ ସ୍ୱୀକାର କରିଥିଲା ଯେ ସେ ପଶ୍ଚିମ ଏସିଆର ଲୋକଙ୍କୁ ହତ୍ୟା କରିଛି-ଏଥିରୁ ଏହା ସୁସ୍ପଷ୍ଟ ଯେ ଏପରି ତାଣ୍ଡବଲୀଳା ସକାଶେ ବର୍ତ୍ତମାନର ଆମେରିକାରେ ସୃଷ୍ଟି ହୋଇଥିବା ପ୍ରବାସୀମାନଙ୍କ ପ୍ରତି ପ୍ରଚଣ୍ଡ ଘୃଣା ଓ ଇର୍ଷାପୂର୍ଣ୍ଣ ମନୋଭାବ ତଥା ବିଷାକ୍ତ ବାତାବରଣ ହିଁ ଦାୟୀ । ଯଦ୍ୱାରେ ସେଠାକାର ଆଇନ କାନୁନ ପ୍ରତି ଭୟର ହ୍ରାସ ଏବଂ ଅପରାଧୀତତ୍ତ୍ୱମାନଙ୍କ ମଧ୍ୟରେ ଏପରି କୃତ୍ୟ ଘଟାଇବା ସକାଶେ ସାହସ ଓ ଉତ୍ସାହ ସଷ୍ଟି ହେଉଛି । 

ଏହି ଘଟଣା ସମଗ୍ର ଆମେରିକାରେ ଥିବା ପ୍ରବାସୀ ଭାରତୀୟମାନଙ୍କ ମଧ୍ୟରେ ଭୟ, ଆତଙ୍କ ଏବଂ ଚାଞ୍ଚଲ୍ୟ ସୃଷ୍ଟି କରିବା ବିଚିତ୍ର ନୁହେଁ । ଏ ସଦୃଶ ଘୃଣ୍ୟ ଅପରାଧ କେତେ ଦିନ ହେଲା ବିଶେଷ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ କାଳରେ ପ୍ରବଳ ଭାବରେ ବଢ଼ିବାରେ ଲାଗିଛି । ରାଷ୍ଟ୍ରପତି ଟ୍ରମ୍ପ ସଭାଧୀଷ୍ଟ ହେବାର ମାତ୍ର ନଅ ଦିନ ମଧ୍ୟରେ ସେଠାରେ ୮୯୭ଟି ଏପରି ଅପରାଧ ସଙ୍ଗଠିତ ହୋଇଛି । ସେଠାକାର ଗୁପ୍ତଚର ସେବା ପ୍ରମୁଖ ରବର୍ଟ ଭୟସଙ୍କ ସ୍ୱୀକାରୋକ୍ତି ଅନୁଯାୟୀ ଟ୍ରମ୍ପ ଶାସନକୁ ଆସିବା ପରେ ଏହି ଅପରାଧ ସଂଖ୍ୟାରେ ୧୧୫ ଶତାଂଶ ଅଭିବୃଦ୍ଧି ଘଟିଛି । ଟ୍ରମ୍ପଙ୍କ ପୂର୍ବରୁ ଏପରି ଘଟଣା କ୍ୱଚିତ ଘଟୁଥିବା ବେଳେ ବର୍ତ୍ତମାନ ପ୍ରତିଦିନ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଅପରାଧିକ  ଘଟଣା ଦରଜ ହେଉଛି । ଯଦିଓ ଡୋନାଲ୍ଡ ଟ୍ରମ୍ପ ଏପରି ଅପରାଧର ନିନ୍ଦା କରୁଛନ୍ତି ତଥାପି ଏସବୁ ଘଟଣାର ମୁଖ୍ୟ କାରଣ ଯେ ବର୍ତ୍ତମାନର ରାଜନୀତି ଏଥିରେ ସନ୍ଦେହର ଅବକାଶ ହିଁ ନାହିଁ । ଆଉ ଏପରି ରାଜନୀତିର ସ୍ରଷ୍ଟା ହେଉଛନ୍ତି ନିଜେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଅବଶ୍ୟ ପ୍ରବାସୀମାନଙ୍କ ଉପରେ ଆକ୍ରମଣର ଘଟଣା ଆମେରିକାରେ ଯେ ଏବେ ନୂଆ କରି ଘଟିଲା ତାହା ନୁହେଁ । ଓ୍ୱାଶିଂଟନ ଏବଂ ନ୍ୟୁୟର୍କରେ ଆତଙ୍କବାଦୀ କାଣ୍ଡ ପରେ ଏଧରଣର ଘଟଣାମାନ ଆମେରିକାରେ ପୂର୍ବରୁ ମଧ୍ୟ ଘଟିଛି । ପୂର୍ବରୁ ଭାରତୀୟ ବା ଶିଖମାନଙ୍କ ଉପରେ ଏ ଧରଣର ଆକ୍ରମଣ ଆମେରିକାରେ ସଂଘଟିତ ହୋଇଛି । ଶିଖମାନେ ଧାରଣ କରୁଥିବା ପଗଡିକୁ ପଶ୍ଚିମ ଏସିଆ ଅଥବା ଆରବର ନାଗରିକମାନଙ୍କ ପୋଷାକ ଅନୁମାନ କରି ଏ ସବୁ ଆକ୍ରମଣ ଘଟି ଆସିଛି । ତେବେ ସେହି ସବୁ ଘଟଣାରେ  ଆମେରିକା ପ୍ରଶାସନ  ଦ୍ୱାରା ନିଆଯାଇଥିବା କଠୋର ଆଇନଗତ ପଦକ୍ଷେପକୁ ଟ୍ରମ୍ପଙ୍କ ନୀତି ପ୍ରଭାବହୀନ କରି ଦେଇଛି ଯେଉଁଥି ପାଇଁ ଅପରାଧୀତତ୍ତ୍ୱମାନେ ଏପରି ଅପରାଧ ଘଟାଇବା ସକାଶେ ନିର୍ଭୟରେ ଉତ୍ସାହିତ ହେଉଛନ୍ତି ।

ଏହା ସତ୍ୟ ଯେ ଭାରତୀୟ ଇଞ୍ଜିନିୟରଙ୍କ ହତ୍ୟା ଘଟଣାରେ ଟ୍ରମ୍ପଙ୍କ ନୀତି ତଥା ସେଠାକାର ପ୍ରଶାସନକୁ ସାରା ବିଶ୍ୱବାସୀ  ଦାୟୀ କରୁଛନ୍ତି । କାରଣ ଆଜି ସମଗ୍ର ପୃଥିବୀର ପ୍ରତି କୋଣ ଅନୁକୋଣରୁ ଲୋକେ ଯାଇ ଆମେରିକାରେ ବସବାସ କରୁଛନ୍ତି । ଆଉ ପ୍ରବାସୀ ଭାରତୀୟମାନେ ନିଜର ଉନ୍ନତି ସଙ୍ଗେ ସଙ୍ଗେ ଆମେରକାର ପ୍ରଗତି ପାଇଁ ବିଶେଷ ଯୋଗଦାନ ଦେଇଛନ୍ତି । ସବୁଠୁ ସମୃଦ୍ଧ, ସଫଳ ତଥା ଆଇନକୁ ସମ୍ମାନ ଦେଉଥିବା ସମୁଦାୟ ହିସାବରେ ଭାରତୀୟମାନଙ୍କ ଗଣନା ସର୍ବ ପ୍ରଥମରେ ହୋଇଯାଏ । ଭାରତୀୟମାନଙ୍କର ବିଶେଷତା ହେଉଛି ସେମାନେ ଏକ ଶାନ୍ତିପ୍ରିୟ ଜାତି ହିସାବରେ ଯେଉଁଠି ବି ଥାଆନ୍ତୁ ନା କାହିଁକି ସେଇ ସ୍ଥାନ ଓ ସେଠାକାର ଲୋକମାନଙ୍କୁ ଆପଣାର ବୋଲି ଭାବି ନିଜର କର୍ତ୍ତବ୍ୟ କରିଥାନ୍ତି । ଆମେରିକାର ଉନ୍ନତି କ୍ଷେତ୍ରରେ ଭାରତୀୟମାନଙ୍କର ବୃହତ ଅବଦାନ ଏବଂ ଭୂମିକାକୁ ଏବେ ଗୌଣ ରୂପେ ଅଙ୍କାଯାଇ ଯଦି ସେମାନଙ୍କ ପ୍ରତି ଘୃଣା ଏବଂ ହିଂସା ପ୍ରକଟ କରାଯାଏ ତେବେ ତାହା ସର୍ବତୋ ଭାବେ ଅନ୍ୟାୟ ତଥା ଅନୁଚିତ ପଦକ୍ଷେପ ରୂପେ ବିବେଚିତ ହେବ । ଯାହା ଆମେରିକାକୁ ପ୍ରଥମେ ହିଁ ଅନ୍ୟାୟ ତଥା ଅନୁଚିତ ପଦକ୍ଷେପ ରୂପେ ବିବେଚିତ ହେବ । ଯାହା ଆମେରିକାକୁ ପ୍ରଥମେ ହିଁ କ୍ଷତିଗ୍ରସ୍ତ କରିବ ଏଥିରେ ସନ୍ଦେହ ନାହିଁ ।
 
ଏହା ମଧ୍ୟ ଜଣା ଅଛି ଯେ ବିଦେଶୀ ନାଗରିକମାନଙ୍କ ପ୍ରତି ଟ୍ରମ୍ପରଙ୍କର ବିଦ୍ୱେଷ ପୂର୍ଣ୍ଣନୀତି ଅନୁଯାୟୀ ବାହାର ଦେଶର ଲୋକମାନଙ୍କୁ ଆମେରିକା ମଧ୍ୟରେ ପୂରାଇ ନଦେବା ପାଇଁ ବିବିଧ ପ୍ରକାର ରଣନୀତି, ଆଇନଗତ ପଦକ୍ଷେପ ଓ କୌଶଳ ଆପଣେଇବା ତଥା ସାତଟି  ମୁସ୍ଲିମ୍‌ ଦେଶର ନାଗରିକମାନଙ୍କୁ ଆମେରିକାରେ ପ୍ରବେଶ ନଦେବା ପାଇଁ ଆଇନ ପରିବର୍ତ୍ତନ କରିଥିଲେ ଯାହା ଆମେରିକାର କୋର୍ଟ ଅନୁଚିତ କହି ଖାରଜ କରିଥିଲେ । ଏତଦ୍‌ବ୍ୟତୀତ ପଡୋଶୀ ଦେଶ ମେକ୍ସିକୋ ସୀମାର ବାହାର ନାଗରିକମାନଙ୍କ ପ୍ରବେଶ ରୋକିବା ପାଇଁ ବାଡ ନିର୍ମାଣ କରିବା ଆଦିରୁ ଟ୍ରମ୍ପଙ୍କ ନୀତି ସୁସ୍ପଷ୍ଟା । ଅବଶ୍ୟ ଆମେରିକା ସରକାର ବିଦେଶୀ ନାଗରିକମାନଙ୍କ ପ୍ରବେଶ ସନ୍ଦର୍ଭରେ ନିଜର ନୀତି ନିଜେ ନିର୍ଦ୍ଧାରଣ କରିବା କ୍ଷେତ୍ରରେ ସମ୍ପୂର୍ଣ୍ଣ ସ୍ୱାଧୀନ ଅଟନ୍ତି । ଏଥିରେ କାହାରି କିଛି କହିବାର ନାହିଁ । କିନ୍ତୁ ସମଗ୍ର ବିଶ୍ୱକୁ ଆଦର୍ଶ ଗଣତନ୍ତ୍ର ଏବଂ ମାନବାଧିକାରର ମହାନ ପ୍ରବକ୍ତା ଭାବରେ ପାଠ ପଢ଼ାଉଥିବା ଆମେରିକା ଅଥବା ତାର ନାଗରିକମାନଙ୍କ ଠାରୁ ଏ ପ୍ରକାର ଘୃଣ୍ୟ ବ୍ୟବହାର ଏବଂ ଅନୁଚିତ ବିଦ୍ୱଷପୂର୍ଣ୍ଣ ଚିନ୍ତାଧାରା ତଥା ହିଂସାତ୍ମକ କ୍ରିୟାକଳାପ ଆଦୌ ସ୍ପୃହଣୀୟ ନୁହେଁ । 
 
.....
 
ଅଶ୍ୱିନୀ କୁମାର ଶତପଥୀ

 

  • Tags:

Subscribe

National International State Sports Entertainment