ବିଜୁ ବାବୁଙ୍କ ନାମରେ ନବୀନ ବାବୁ କେତେ ସଫଳ ?
Khabar Odisha:How--successful-is-the--chief-minister-Naveen-pattanaik-by-the-name-of-Biju-Babu
ବିଜୟାନନ୍ଦ ପଟ୍ଟନାୟକ ଅଥବା ବିଜୁ ପଟ୍ଟନାୟକ ଓଡିଶାର ଗର୍ବ ଗୌରବ। ୫ ମାର୍ଚ୍ଚ ୧୯୧୬ ମସିହାରେ ଗଂଜାମ ଜିଲ୍ଲାର ବେଲଗୁଣ୍ଠାଠାରେ ବାପା ଲାକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାଆଶାଲତା ପଟ୍ଟନାୟକଙ୍କ କୋଳମଣ୍ଡନ କରନ୍ତି ବିଜୁପଟ୍ଟନାୟକ । ତାଙ୍କର ଅଧ୍ୟୟନ ଶେଷ ହୁଏ କଟକର ରେଭେନ୍ସା କଲେଜରେ । ଛୋଟବେଳୁ ତାଙ୍କର ଅଦମ୍ୟ ସାହାସ ତାଙ୍କୁ ଦିନେ ସମଗ୍ର ଭାରତବାସୀଙ୍କ ପାଖରେ ପରିଚିତ କରାଇପାରିଥିଲା । ସେ ପ୍ରତ୍ୟେକଟି କାର୍ଯ୍ୟ ବେଶ୍ ନିଖୁଣତାର ସହକାରେ ସଂପାଦନ କରୁଥିଲେ । ଭାରତର ସ୍ୱାଧିନତା ଇତିହାସରେ ମଧ୍ୟ ତାଙ୍କର ବଳିଷ୍ଠ ଉଦମ୍ୟ ରହିଥିଲା । ଭାରତମାତାକୁ ସ୍ୱାଧୀନତା ଦେବା ପାଇଁ ସେ ବି ଅନେକଥର ଜେଲ୍ ମଧ୍ୟ ଯାଇଛନ୍ତି। ୨୪ ଜୁଲାଇ ୧୯୪୭ ମସିହାରେ ଇଣ୍ଡୋନେସିଆର ରାଜା ସୁଲତାନ୍ ସଜାହରିରଙ୍କୁ ଗୃହବନ୍ଦୀରୁ ମୁକ୍ତକରି ବିଶ୍ୱବାସୀଙ୍କ ଆଗରେ ସେ ତାଙ୍କର ଅଦମ୍ୟ ସାହାସର ପରିଚୟ ଦେଇଥିଲେ । ଯେଉଁଥିପାଇଁ ତାଙ୍କୁ ଇଣ୍ଡୋନେସିଆ ସରକାର ଭୂମିପୁତ୍ର ଭାବେ ସମ୍ବୋଧନ କରିଥିଲେ । ସେ କେବଳ ଓଡିଶା ନୁହେଁ ସମଗ୍ର ବିଶ୍ୱବାସୀଙ୍କ ହୃଦୟରେ ସଦାସର୍ବଦା ଅବସ୍ଥାପିତ ।
 
ଏହି ମହାନ ବ୍ୟକ୍ତି ଜଣକ ବିବାହ କରନ୍ତି ପଞ୍ଜାବ ସୁକନ୍ୟା ଜ୍ଞାନ ପଟ୍ଟନାୟକଙ୍କୁ। ଏହାପରେ ଗ୍ୟାନ ପଟ୍ଟନାୟକ ଦୁଇ ପୁତ୍ର (ନବୀନ ପଟ୍ଟନାୟକ ଓ ପ୍ରେମ୍ ପଟ୍ଟନାୟକ) ଓ ଗୋଟିଏ କନ୍ୟା ସନ୍ତାନ (ଗୀତା ମେହେତା) କୁ ଜନ୍ମ ଦେଇ ପାରିବାରିକ ଓ ରାଜନୈତିକ ଜୀବନରେ ବିଜୁବାବୁଙ୍କୁ ଅନେକ ସାହାର୍ଯ୍ୟ ଓ ସତ୍‌ସାହସ ପ୍ରଦାନ କରିବା ସହିତ ଖୁବ୍ ପ୍ରେରଣା ମଧ୍ୟ ଯୋଗାଇଥାନ୍ତି। ଏହିପରିଭାବେ   ବେଶ୍ ଭଲ ଭାବେ କଟେ ତାଙ୍କ ପାରିବାରୀକ ଜୀବନ ।
 
ଓଡିଶା ରାଜନୀତି ଇତିହାସରେ ତାଙ୍କର ପତିଆରା ବି ଖୁବ୍ ମଜଭୁତ ରହେ । ୧୯୪୬ ମସିହାରେ ସେ ପ୍ରଥମଥର ପାଇଁ ଉତ୍ତର କଟକରୁ ଓଡିଶା ବିଧାନସଭା ନିର୍ବାଚନରେ ଅପ୍ରତିଦ୍ୱନ୍ଦୀଭାବେ ନିର୍ବାଚିତ ହୁଅନ୍ତି । ସେ ମାତ୍ର ୪୫ ବର୍ଷ ବୟସରେ ଓଡିଶାର ମୁଖ୍ୟମନ୍ତ୍ରୀ ଆସନ ଗ୍ରହଣ କରିଥିଲେ।  ଓଡିଶାର ତୃତୀୟ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେ। ବିଜୁବାବୁ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇ ଓଡିଶା ବିକାଶର ପଥକୁ ସୁଗମ କରି ତୋଳିଛନ୍ତି । ୧୯୭୫ ମସିହାରେ ଲାଗିଥିବା ଜାତୀୟ ଜରୁରୀ କାଳୀନ ପରିସ୍ଥିତି ସମୟରେ ତାଙ୍କୁ ପ୍ରଥମ ବିରୋଧିଭାବେ ଗିରଫ କରାଯାଇଥିଲା। ତାଙ୍କ ଉଦ୍ୟମରେ ପାରାଦ୍ୱୀପ ବନ୍ଦର, ଭୁବନେଶ୍ୱରରେ ବିମାନ ବନ୍ଦର, କଟକ-ଜଗତପୁର ଜାତୀୟ ରାଜପଥ ସେତୁ ନିର୍ମାଣ, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ  ହେଉ ଅବା ନାଲ୍‌କୋ ଭଳି ଅନେକ ଉନ୍ନୟନମୂଳକ କାର୍ଯ୍ୟ ହୋଇପାରିଥିଲା । ହେଲେ ଭାଗ୍ୟର ବିଡମ୍ବନା ୧୭ ଅପ୍ରେଲ ୧୯୯୭ ମସିହାରେ ସେ ସମଗ୍ର ଓଡିଶାବାସୀଙ୍କୁ ଶୋକସାଗରରେ ଭସାଇ ଆରପାରିକୁ ଚାଲିଗଲେ । ବିଜୁବାବୁଙ୍କ ସ୍ମୃତିରକ୍ଷା ନିମନ୍ତେ ଓଡିଶା ସରକାର ଅନେକ ଅନୁଷ୍ଠାନ ଖୋଲିବା ସହ ୫ ମାର୍ଚ ପଂଚାୟତିରାଜ ଦିବସକୁ ତାଙ୍କ ଜନ୍ମଦିବସ ସହ ପାଲନ କରାଯାଉଛି । ଚଳିତ ବର୍ଷ ତାଙ୍କର ୧୦୦ ବର୍ଷ ଜନ୍ମ ପୂର୍ତି ଅବସରରେ ଓଡିଶା ସରକାର ପୁରା ଏକ ବର୍ଷ ଧରି ବିଜୁ ଜନ୍ମ ସତବାର୍ଷିକ ପାଳନ କରିଆସୁଥିଲେ  ।
 
ବିଜୁ ବାବୁଙ୍କ ବିୟୋଗ ପରେ ଯେତେବେଳେ ଓଡିଶା ରାଜନୀତି ଇତିହାସ ଏକ ଦୁର୍ବଳ ପରିସ୍ଥିତି ଭିତରକୁ ଠେଲି ହୋଇଯାଉଥିଲା ଏହିପରି ଏକ ଘଡିସନ୍ଧି ମୁହୁର୍ତରେ ବିଜୁ ବାବୁଙ୍କର ପ୍ରତ୍ୟେକଟି ଅଧୁରା ସ୍ୱପ୍ନକୁ ପୁରଣ କରିବା ପାଇଁ ତଙ୍କା ନାମରେ ନାମିତ କରି ଗୋଟେ ନବ ନିର୍ମିତ ପାର୍ଟିର ମଙ୍ଗ ଧରିନ୍ତି ନବୀନ ପଟ୍ଟନାୟକ । ତାଙ୍କୁ ମଧ୍ୟ ବିଜୁବାବୁଙ୍କୁ ବିୟୋଗ ଦୁଃଖରେ ମିୟମ୍ରାଣ ଥିବା ଲୋକମାନେ ବିପୁଳ ଜନସମର୍ଥନ ଦେଇ ଜୟଯୁକ୍ତ କରନ୍ତି । ସେବେଠୁ ବର୍ତମାନ ପର୍ଯ୍ୟନ୍ତ ପ୍ରାୟ ଦୀର୍ଘ ୧୭ ବର୍ଷ ଧରି ତାଙ୍କ ନାମରେ ଭୋଟ ମାଗି ବିପୁଳ ଜନାଦେଶ ପାଇ ଆସିଛନ୍ତି ନବୀନ ବାବୁ । ନବୀନ ବାବୁ ତାଙ୍କ ବାପାଙ୍କ ସ୍ୱପ୍ନକୁ ପୁରଣ କରି ଲୋକମାନଙ୍କ ପାଖରୁ ଭୋଟ ହାତେଇବାକୁ ବଡ ଚତୁରତାର ସହ ପ୍ରତ୍ୟେକଟି ଯୋଜନା ତାଙ୍କ ନାମରେ ପ୍ରଣୟନ କରିଛନ୍ତି । ଏଇ ଯେପରି କି ବିଜୁ ପକ୍କାଘର ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା, ବିଜୁ ଗ୍ରାମ ଜ୍ୟୋତି ଯୋଜନା, ବିଜୁ ଆତ୍ମ ନିଯୁକ୍ତି ଯୋଜନା, ବିଜୁ ସେତୁ ଯୋଜନା, ବିଜୁ କେବିକେ ଯୋଜନା,ବିଜୁ କୃଷକ ବିକାଶ ଯୋଜନା,ବିଜୁ କନ୍ୟା ରତ୍ନ ଯୋଜନା ଏହିପରି ଅନେକ ଯୋଜନାମାନ ପ୍ରଣୟନ କରିଛନ୍ତି ।
 
କିନ୍ତୁ ସମୟ କ୍ରମେ ଧିରେ ଧିରେ ବିଜୁ ବାବୁଙ୍କ ନାମରେ ହୋଇଥିବା ପ୍ରତ୍ୟେକଟି ଯୋଜନାର ବାସ୍ତବ ଚିତ୍ର ଏବଂ ତାଙ୍କ ସ୍ୱପ୍ନ କେତେ ପୁରଣ ହୋଇଛି ତାହା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି ହୁଏ । ବିଜୁ ବାବୁଙ୍କ ସ୍ୱପ୍ନ ଥିଲା ଏକ ସମୃଦ୍ଧ ଓଡିଶାର, ଯେଉଁଠି କ୍ଷୁଧାର ତାଡନା ନଥିବ-ଅବଳା ପ୍ରତି ଅତ୍ୟାଚାର ନଥିବ-ରାଜ୍ୟରେ ସବୁ ଗାଁକୁ ସବୁଦିନିଆ ରାସ୍ତା ଥିବ-ସ୍କୁଲମାନଙ୍କରେ ଉପଯୁକ୍ତ ଶିକ୍ଷା ଦିଆଯାଉଥିବ-ଡାକ୍ତରଖାନାରୁ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ମିଳିପାରୁଥିବ-ପାଣିର ଅଭାବରୁ ଚାଷୀର କ୍ଷେତରୁ ଫସଲ ମରିଯାଉ ନଥିବ-କେହି ଜଣେ ହେଲେ ଅଜ୍ଞ ବା ନିରକ୍ଷର ହୋଇନଥିବେ-ଅଧିକ ସଂହତି, ଅଧିକ ସହନଶୀଳତା ପାଖରେ ସାମାଜିକ, ଧର୍ମଗତ ଓ ଜାତିଗତ ବିଦ୍ୱେଷ ହାର ମାନି ଯାଇଥିବ।    
ବିଜୁବାବୁଙ୍କ ସ୍ୱପ୍ନଥିଲା ରାଜ୍ୟର ପ୍ରତ୍ୟେକ ଗଳି କନ୍ଦିରେ ସ୍ୱାସ୍ଥ୍ୟ ସେବା ରହିବ, କୌଣସି ଶିଶୁ ଖାଦ୍ୟଭାରର କ୍ଳେଶ ଅନୁଭବ କରିବ ନାହିଁ କିନ୍ତୁ ନଗଡା ଅପପୃଷ୍ଟି ହେଉ ଅବା ଜାପାନୀ ଜ୍ୱରରେ ନିଷ୍ପାପ ଶିଶୁ ମାନଙ୍କର ମୃତ୍ୟୁ ହିଁ କହୁଛି ବିଜୁ ବାବୁଙ୍କ ସ୍ୱପ୍ନକୁ ନବୀନ ବାବୁ କେତେ ସଫଳ କରିଛନ୍ତି । ସେ କହୁଥିଲେ ନିରକ୍ଷରତା ବା ଅଜ୍ଞତା ମୋ ରାଜ୍ୟର ସୀମା ମାଡିବ ନାହିଁ ହେଲେ ଆଜି ରାଜ୍ୟରେ ପ୍ରାୟ କୋଟିଏ ଲୋକ ନିରକ୍ଷର ଏହା କଣ ତାଙ୍କ ସ୍ୱପ୍ନର ବାସ୍ତବତା । ତାଙ୍କ ଇଚ୍ଛାଥିଲା ମୋ ରାଜ୍ୟରେ ପ୍ରତ୍ୟେକ ନାଗରିକ ମୁଣ୍ଡ ଗୁଞ୍ଜିବା ପାଇଁ ସୁନ୍ଦର ଘରଟିଏ ପାଇବ କିନ୍ତୁ ବିଜୁ ପକ୍କା ଘର ଯୋଜନା କେତେ ସଫଳ ତାହା ଆପଣ ମାନେ ଜାଣନ୍ତି, ସେ କହିଥିଲେ ପ୍ରତ୍ୟେକ ପରିବାର ପାନୀୟ ଜଳ ପାଇବେ କିନ୍ତୁ କେବଳ ଏଠି ଖରା ଦିନ ନୁହେଁ ବର୍ଷା ଦିନରେ ମଧ୍ୟ ଶୁଦ୍ଧ ପାଣି ମୁନ୍ଦେ ପାଇଁ ଡହଳ ବିକଳ ହୁଅନ୍ତି ରାଜ୍ୟ ବାସୀ, ଉନ୍ନତ ଶିକ୍ଷା ବ୍ୟବସ୍ଥା ପାଇଁ ସେ ସ୍ୱପ୍ନ ଦେଖିଥିଲେ କି ବିଦ୍ୟାଳୟଗୁଡିକ ସୁବିଜ୍ଞ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ପରିଚାଳିତ ହେବ ହେଲେ ଅଧାରୁ ଅଧିକ ଦିନ ଶିକ୍ଷକ ଶିକ୍ଷୟତ୍ରୀ ମାନେ ରାଜଧାନୀର ରାଜରାସ୍ତାରେ ବସିବା କୁହେ ରାଜ୍ୟର ଶିକ୍ଷା ବ୍ୟବସ୍ଥା କେତେ ସଫଳ।
 
ବିଜୁବାବୁଙ୍କ ନାମକୁ ଢ଼ାଲ କରି ରାଜ୍ୟର ଶାସନଗାଦିକୁ ଅକ୍ତିଆର କରିବାର ବେଶ୍ ଭଲ ଉପାୟ ବା ଆଉ କଣ ହୋଇପାରେ । ଏଥିପାଇଁ ବୋଧହୁଏ ଚଳିତ ନିର୍ବାଚନରେ ଓଡିଶାର ଜନସାଧାରଣ କିଛି ପରିମାଣରେ ବିଜୁବାବୁଙ୍କ ନାମରେ ହୋଇଥିବା ଏହି ଦଳକୁ ପ୍ରତ୍ୟାକ୍ଷାନ କରିଛନ୍ତି। ଏହି ସବୁ ଦିଗକୁ ଅବଲୋକନ କଲେ ଏଠି ସାଧାରଣରେ ପ୍ରଶ୍ନଉଠେ ବିଜୁ ବାବୁଙ୍କ ନାମରେ ଭୋଟ ମାଗି ଜୟଯୁକ୍ତ ହେଉଥିବା ନବୀନ ବାବୁ ପ୍ରକୃତରେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ବାବୁ ଓଡିଶା ପାଇଁ ଦେଖିଥିବା ପ୍ରତ୍ୟେକଟି ସ୍ୱପ୍ନକୁ ସାକାର କରୁଛନ୍ତି ନା ତାଙ୍କ ନାମକୁ ବିକି ଭାଙ୍ଗି ଖାଉଛନ୍ତି??
 
 
 
 
  • Tags:

Subscribe

National International State Sports Entertainment