ଆନ୍ଦୋଳନ କଲେ ଏକାଠି: ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏକା ? ରାଜନୈତିକ ଅଭିସନ୍ଧି ପାଇଁ ଆନ୍ଦୋଳନ ଭାଙ୍ଗିବାର ମାଷ୍ଟର ପ୍ଲାନ ନୁହେଁ ତ ?
Khabar Odisha:Why-Soumya-Patnaik-Met-Odisha-CM-Naveen-Patnaik

 ରାଜନୈତିକ ମହଲ ଠାରୁ ଆରମ୍ଭ କରି ଗଣମାଧ୍ୟମ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ସୌମରଂଜନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନେଇ । ଏ ଦୁଇ ପଟ୍ଟନାୟକ ହେଉଛନ୍ତି ଦୁଇଟି ଭିନ୍ନ ରାଜନୈତିକ ଦଳର । ସୌମ ବାବୁ ମଧ୍ୟ ନବୀନଙ୍କର ଜଣେ ଟାଣୁଆ ବିରୋଧୀ ଭାବରେ ଜଣାଶୁଣା ।  ହେଲେ ହଠାତ ଏମାନଙ୍କର ଭେଟ ଓଡିଶା ରାଜନୀତିକୁ ଟିକିଏ ଗରମ କରିଛି  । ଏହା ପଛରେ  କୌଣସି ରାଜନୈତିକ ଅଭିସନ୍ଧି ନଥିବା କଥା କହିଛନ୍ତି ନିଜେ ସୌମ ପଟ୍ଟନାୟକ  ।  କହିଛନ୍ତି ଭାଷା, ଚାଷୀ ଆଉ ଚିଟ ଫଣ୍ଡ ପ୍ରସଙ୍ଗରେ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବାକୁ ଯାଇଥିଲି ।


ହେଲେ ସୌମ ବାବୁ ନିଜେ ଏକା ଏ ସବୁ ଆନ୍ଦୋଳନ କରୁନଥିଲେ । ଓଡିଆ ଭାଷାର ସୁରକ୍ଷା ତଥା ଓଡିଆରେ ଶାସନ କରିବାକୁ ଚାଲୁଥିବା ଆନ୍ଦୋଳନରେ ଆହୁରି ଅନେକ ଭାଷାବିତ, ରାଜନେତା ଥିଲେ । ବୈଷ୍ଣବ ପରିଡା, ପଂଚାନନ କାନୁନଗୋ, ସୁଭାଷ ପଟ୍ଟନାୟକ, ପ୍ରଦ୍ୟୁମ୍ନ ଶତପଥୀ ଭଳି ଅନେକ ବ୍ୟକ୍ତି ଥିଲେ । ହେଲେ ସୌମ ବାବୁ ନିଜେ କାହିଁକି ଏକା ଗଲେ ଏମାନଙ୍କୁ ନେଲେ ନାହିଁ ତାକୁ ନେଇ ସନ୍ଦେହ ସ୍ୱାଭାବିକ । ସେହିପରି ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ଅର୍ଥ ଫେରିବାକୁ ନେଇ ରାଜ୍ୟ ସାରା ଆନ୍ଦୋଳନ ଚାଲୁଥୀଲା । ସୌମ ବାବୁଙ୍କ ସହ ଆହୁରି ଅନେକ ବୁଦ୍ଧିଜୀବି ଏହି ଆନ୍ଦୋଳନରେ ସାମିଲ ଥିଲେ । ଚାଷୀ ଆନ୍ଦୋଳନରେ ସୌମ ପଟ୍ଟନାୟକ ପରେ ସାମିଲ ହୋଇଥିଲେ । ନିଜ ଖବର କାଗଜରେ ଲେଖା ଛାପିବାକୁ ସୁଯୋଗ ଦେଇ ଏହି ଆନ୍ଦୋଳନର ନେତା ମାନଙ୍କୁ ସୌମ ବାବୁ ପ୍ରଭାବିତ କରିପାରିଥିଲେ ।

ଆନ୍ଦୋଳନ କଲାବେଳେ ମିଶିକି ଆନ୍ଦୋଳନ କଲେ । ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏକା । ଏହି ଏକା ଭେଟିବା ପଛରେ କାରଣ କଣ ହେଇପାରେ । ତା ପରେ ଏ ସବୁ ପ୍ରସଙ୍ଗରେ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ କାହିଁକି ଆଉ କାହାକୁ ନଡାକି ସୌମ ପଟ୍ଟନାୟକଙ୍କୁ ଡାକିଲେ ତା ବି ଏକ ବଡ ପ୍ରଶ୍ନ ।

ଏମିତିରେ ଏବେ ବିଜୁ ଜନତା ଦଳର ବେଳ କାଳ ଠିକ ଚାଲୁନାହିଁ । ପରିସ୍ଥିତି ସୁଧାରିବା ପାଇଁ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ଠାରୁ ଆରମ୍ଭ କରି ଅନେକ କିଛି କରୁଛନ୍ତି ବିଜୁ ଜନତା ଦଳ ମୁଖିଆ । କାଲିର ଏ ଦେଖା ସାକ୍ଷାତ ଆଉ ଆଲୋଚନା ସେଇ ବିଜୁ ଜନତା ଦଳର ଭାବମୂର୍ତ୍ତୀ ସୁଧାରିବାର ଏକ ଅଂଶ ବିଶେଷ ନୁହେଁ ତ ? 

ମାଷ୍ଟରଷ୍ଟ୍ରୋକ ଖେଳିବାରେ ପାରଙ୍ଗମ ନବୀନ, ହୁଏତ ସୌମ ବାବୁଙ୍କ ସହ ରାଜନୈତିକ ମିଳାମିଶାର ପ୍ରସ୍ତାବ ଦେଇଥାଇପାରିଥାନ୍ତି । ଏମିତିରେ ସୌମ ବାବୁ ୧୯୯୮ ମସିହାରୁ ଆଜି ଯାଏଁ ସବୁ ନିର୍ବାଚନରେ ପାର୍ଥୀ ହେଉଛନ୍ତି ଆଉ ସବୁଥିରେ ପରାଜୟ ବରଣ କରୁଛନ୍ତି । ଯଦି  ଏତିକି ବେଳେ ବିଜେଡି ଆଡୁ କିଛି ଭଲ ପ୍ରସ୍ତାବ ଆସୁଛି ତା ହେଲେ ହୁଏତ ସୌମ ବାବୁ ନିଜେ ବିଧାନ ସଭା ଭିତରକୁ ପଶିବା ପାଇଁ ନିଜ ଦଳକୁ ବିଜେଡି ସାଙ୍ଗେ ମିଶେଇ ଦେଇପାରନ୍ତି । ପୂର୍ବରୁ ନବୀନ ବାବୁ କ୍ଷମତା ପାଇଁ ବିଜେପି, ସିପିଏମ, ଏନସିପି, ତୃଣମୁଳ ଭଳି ଭିନ୍ନ ଭିନ୍ନ ମତବାଦ ଅାଉ ବିଚାରଧାରାର ରାଜନୈତିକ ଦଳ ସହ ମେଣ୍ଟ କରିଛନ୍ତି  ଆଉ ମଉକା ଦେଖି ହାତ ମଧ୍ୟ ଖସେଇ ମଧ୍ୟ ଦେଇଛନ୍ତି । ଆଉ ଏବେ ଆମ ଓଡିଶାକୁ ସାଥୀରେ ନେବା ପାଇଁ ନବୀନ ମନସ୍ଥ କରିଛନ୍ତି ବୋଧହୁଏ । 

ସେହିପରି ଚାଲିଥିବା ତିନୋଟି ମୁଖ୍ୟ ଆନ୍ଦୋଳନ ନବୀନଙ୍କ ଅଡୁଆରେ ପକଉଥିଲା । ଚଳିତ ପଂଚାୟତ ନିର୍ବାଚନରେ ଏହି ଅାନ୍ଦୋଳନର ପ୍ରଭାବ ବିଜୁ ଜନତା ଦଳକୁ ଅନେକ ସ୍ଥାନରେ ହରେଇବାରେ ପ୍ରମୁଖ କାରଣ ବୋଲି ବିଜୁ ଜନତା ଦଳର ସାଙ୍ଗଠନିକ ଅାଲୋଚନା ବେଳେ ଅାଲୋଚାନା ହୋଇଥିଲା । ଏପରିକି ଜିଲ୍ଲା ସମୀକ୍ଷା ବେଳେ ଖୋଲା ଖୋଲି ଭାବେ ବିଧାୟକ ମାନେ ଏହିସବୁ ଅାନ୍ଦୋଳନ କଥା ଉଠାଇଥିଲେ । ଚିଟଫଣ୍ଡ, ଚାଷୀ ଆଉ ଭାଷା ଆନ୍ଦୋଳନ ସବୁଥିରେ ସୌମ ବାବୁଙ୍କର ପ୍ରତ୍ୟକ୍ଷ ସହଯୋଗ ଅଛି  । ଆନ୍ଦୋଳନକୁ ଶେଷ କରିବାକୁ ନବୀନ ପଟ୍ଟନାୟକ କିଛି ଯୋଜନା କରିନାହାନ୍ତି ତ ? ଇତିହାସରେ ବହୁତ ଶକ୍ତିଶାଳୀ ଆନ୍ଦୋଳନ ଭାଙ୍ଗିଛି ଏହିପରି ଢଙ୍ଗରେ । ସେପରି କିଛି ହେବ ନାହିଁ ତ ?
  • Tags:

Subscribe

National International State Sports Entertainment