ବିଜେଡିକୁ ଘାରିଲା ମୋଦି ଗ୍ୟାସ ଭୟ, ନବୀନଙ୍କ ନିଶାନାରେ ଧର୍ମେନ୍ଦ୍ର, ରାଜ୍ୟ ସରକାର ୨.୫ ପ୍ରତିଶତ ଟିକସ ଲାଭ ପାଉଛନ୍ତି-ତୈଳବିପଣନ କମ୍ପାନୀ
Khabar Odisha:Ujjwala-Yojna--good-in-Odisha-Siad-oil-Company
ଭୁବନେଶ୍ୱର, ୪ ଅକ୍ଟୋବର (ଖବର ଓଡିଶା):

ରାଜନୀତିର ପଶାପାଲିରେ ଉଜ୍ଜଳା ଗ୍ୟାସ । ଉଜ୍ଜଳା ଯୋଜନାର ବାହାନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଶାନା କରିଛନ୍ତି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଜ୍ଜଳା ଯୋଜନାରେ ଦୁର୍ନୀତିର ଅଭିଯୋଗ ଆଣି ରାସ୍ତାକୁ ଓହ୍ଲାଇଛି ବିଜୁ ମହିଳା ଜନତା ଦଳ । ଯାହାକୁ ଏବେ ଜୋର ଧରିଛି ରାଜନୀତି । ରାଜନୀତି ସମୀକ୍ଷକଙ୍କ କହିବା ଅନୁସାରେ ଓଡିଶାରେ ବିଜେପିର ଶକ୍ତି ବଢୁଥିବା ହେତୁ ବିଜେପିକୁ ରୋକ ଦେବାପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ଟାର୍ଗେଟ କରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତାଙ୍କ ଦଳ ଏବେ ଧର୍ମେନ୍ଦ୍ରଙ୍କୁ ଘେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।

ଆଜି ଆଇଓସିଏଲ ଅଫିସ ସମ୍ମୁଖରେ ବିଜୁ ମହିଳା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ମୋଟାମୋଟି ଭାବେ ଦେଖିଲେ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ଦିନ ସିଧାସଳଖ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ ଥିବା ଦୁଇଟି ବିଭାଗର କଥା ଉଠାଇ ଟାର୍ଗେଟ କରିଥିଲେ । ଏହାପରେ କ୍ରମାଗତ ଭାବେ ବିଜେଡିର ମୁଖପାତ୍ର, ଛାମୁଆଁ ସଙ୍ଗଠନ ଗୁଡିକ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି । ଉଜ୍ଜଳାର ସଫଳତା ଜନମାନସରେ ପହଁଚିଥିବା ବେଳେ ଏହାକୁ କାଉଂଟର କରିବା ପାଇଁ ବିଜେଡି ରାସ୍ତାକୁ ଓହ୍ଲାଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

ସେପଟେ ବିଜେଡିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ତୈଳ ବିପଣନ କମ୍ପାନୀ ଗୁଡିକ । ରାଜ୍ୟରେ ଉଜ୍ଜଳା ଯୋଜନା ଏକ ସଫଳ ଯୋଜନା ବୋଲି ତୈଳ ବିପଣନ କମ୍ପାନୀ ଗୁଡିକ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ ରାଜ୍ୟ ସଂଯୋଜକ ପ୍ରୀତିଶ ଭାରତ କହିଛନ୍ତି ।

ଶ୍ରୀ ଭାରତ କହିଛନ୍ତ ଯେ ମାର୍ଚ୍ଚ ୨୦୧୮ ମସିହା ସୁଦ୍ଧା ରାଜ୍ୟରେ ୨୩ ଲକ୍ଷ ଗରିବ ମହିଳା ହିତାଧିକାରୀଙ୍କୁ ଗ୍ୟାସ ସଂଯୋଗ ଦିଆଯାଇଥିବା ବେଳେ ଜୁନ, ଜୁଲାଇ ଓ ଅଗଷ୍ଟ ୩ ମାସରେ ଏଥିମଧ୍ୟରୁ୧୬ ଲକ୍ଷ ହିତାଧିକାରୀ ଗ୍ୟାସ ରିଫିଲିଙ୍ଗ କରିଛନ୍ତି  । ଏହା ରାଜ୍ୟରେ ଉଜ୍ଜଳା ଯୋଜନାର ସଫଳତାର ପ୍ରମାଣ ବୋଲି ସେ କହିଛନ୍ତି । ଆଜି ପର୍ଯ୍ୟନ୍ତ ୩୪ ଲକ୍ଷ ଗରିବ ମହିଳାଙ୍କୁ ଉଜ୍ଜଳା ଯୋଜନାରେ ସାମିଲ କରାଯାଇଛି ।

ସାରା ଦେଶରେ ଓ ରାଜ୍ୟରେ ଉଜ୍ଜଳା ଯୋଜନାରେ ହିତାଧିକାରୀ ଚୟନ ଜନଗଣନାର ଏସଇସିସି ତାଲିକା ଆଧାରରେ ତିଆରି କରାଯାଇଛି । ଏହି ଏସଇସିସି ତାଲିକା ସର୍ବଜନୀନ ଭାବେ ଉପଲବ୍ଧ ଓ ଏହି ତାଲିକାରେ କୌଣସି ବି ବ୍ୟତିକ୍ରମ ହୋଇନାହିଁ ବୋଲି କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇଛି ।

ଦେଶରେ ପେଟ୍ରୋଲ ଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଦେଶର ସାଧାରଣ ଗ୍ରାହକ ମାନେ ବ୍ୟବହାର କରୁଥିବା ଘରୋଇ ଗ୍ୟାସ ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ ଭିତରେ ରଖିବା ପାଇଁ ସବସିଡ ଦେଇ ଆର୍ଥିକ ବୋଝ କେନ୍ଦ୍ର ସରକାର ନେଇଛନ୍ତି । ୨୦୧୪ ମସିହାରୁ ଆଜି ମଧ୍ୟରେ ସବସିଡ ଯୁକ୍ତ ଏଲପିଜି ସିଲିଣ୍ଡର ମୂଲ୍ୟରେ ମାମୁଲି ବୃଦ୍ଧି ଘଟିଛି ବୋଲି ଶ୍ରୀ ଭାରତ କହିଛନ୍ତି ।

ଗ୍ୟାସର ସବସିଡ ରାଶିକୁ ଗ୍ୟାସ କ୍ରୟର ଏକ ସପ୍ତାହରୁ କମ ସମୟ ମଧ୍ୟରେ ଗ୍ରାହକ ମାନଙ୍କ ବ୍ୟାଙ୍କ ଖାତାରେ ପହଁଚାଯିବାକୁ ସୁନିଶ୍ଟିତ କରାଯାଇଛି ।

ରାଜ୍ୟରେ କେନ୍ଦ୍ରାପଡା ଜିଲାର ରାଜନଗର ଗ୍ୟାସ ବିତରକ ଏକ ବେସରକାରୀ ସଂସ୍ଥା ଓ ଏଥିରେ ଅନିୟମିତତା ଖବର ଗଣମାଧ୍ୟମରୁ ଜଣାପଡିବା ପରେ ତୁରନ୍ତ ଏହି ବିତରକଙ୍କୁ ବନ୍ଦ କରି ଦିଆଯାଇଛି । ଏହା ସହ ଗ୍ରାହକ ମାନଙ୍କୁ ଅନ୍ୟ ବିତରକ ମାନଙ୍କ ଦ୍ୱାରା ସିଲିଣ୍ଡର ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏସଇସିସି ତାଲିକା ଓ ପରବର୍ତୀ ଅବସ୍ଥାରେ ଆଉ ୭ଟି ନୂଆ ଶ୍ରେଣୀ ଆଧାରରେ ଉଜ୍ଜଳା ଯୋଜନାରେ ଗ୍ୟାସ ଯୋଗାଣକୁ ସୁନିଶ୍ଚିତ କରାଯାଇଛି । ୨୦୧୪ ମସିହାରେ ଗ୍ୟାସ ମୂଲ୍ୟ ଉପରେ କୌଣସି ଟିକସ ନଥିବା ବେଳେ ଏବେ ରାଜ୍ୟ ସରକାର ୨.୫ ପ୍ରତିଶତ ଟିକସ ଲାଭ ପାଉଛନ୍ତି  ବୋଲି ତୈଳ ବିପଣନ କମ୍ପାନୀ ଅଭିଯୋଗ କରିଛନ୍ତି । ମୋଟାମୋଟି ଭାବେ ଉଜ୍ଜଳା ବା ମୋଦି ଗ୍ୟାସକୁ ନେଇ ଚଳଚଂଚଳ ହୋଇପଡିଛି ରାଜ୍ୟ ରାଜନୀତି । 

Subscribe

National International State Sports Entertainment