ପକ୍ଷୀ ସୁରକ୍ଷାର ଇଛା କମି କମି ଯାଉଛି : ଡଃ. ୟୁ.ଏନ୍‌. ଦେବ
Khabar Odisha:Bird-King-DU-N-Dev-Interview
ଶ୍ରଦ୍ଧାରେ ତାଙ୍କୁ କେହି କେହି ପକ୍ଷୀରାଜା ଭାବେ ଡାକିଥାନ୍ତି। ବିଶିଷ୍ଟ ପକ୍ଷୀ ଗବେଷକ, ଲେଖକ, ଫଟୋଗ୍ରାଫ୍‌ର ଓ ପକ୍ଷୀ ପ୍ରେମୀ ଡଃ. ୟୁ.ଏନ୍‌.ଦେବଙ୍କୁ  ବାଦ୍‌ ଦେଇ ଓଡିଶାର ପକ୍ଷୀ ଚର୍ଚ୍ଚା ଅଧୁରା। ପକ୍ଷୀ ଶିକାର ପାଇଁ‘ବାଜ ସଂହିତା’ରୁ ପକ୍ଷୀଙ୍କ ଚରିତ୍ର ପଢ଼ୁ ପଢ଼ୁ ସେ ନିଜେ ଦେଶର ଜଣେ ସଫଳ ପକ୍ଷୀ ବିଷାରଦ ଭାବେ ପ୍ରତିଷ୍ଠିତ ହୋଇପାରିଛନ୍ତି। ପକ୍ଷୀତୀର୍ଥ ଚିଲିକାରେ ପକ୍ଷୀ ସଂଖ୍ୟା ବ୍ରାଜକ ପକ୍ଷୀଙ୍କ ସ୍ଥିତି ଓ ସମସ୍ୟା ସମ୍ପର୍କରେ ତାଙ୍କ ସହ ଆଳାପର କିଛି ଅଂଶ।
 
ପ୍ରଶ୍ନ : ଚିଲିକା ପକ୍ଷୀଙ୍କ ପାଇଁ କେତେ ଅନୁକୂଳ ?
 
ଉତ୍ତର : ଦିନେ ମରାଳଙ୍କ ଉଡନ୍ତା ଛାଇରେ ଚିଲିକାର ଜଳ ଘନନୀଳ ହୋଇ ଯାଉଥିଲା। ଏବେ ପ୍ରତିବର୍ଷ ପକ୍ଷୀ ସଂଖ୍ୟା ଚିଲିକାରେ ବଢ଼ୁଛି ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଯାହା କହୁଛନ୍ତି ମୋର ସେଥିରେ ସନ୍ଦେହ ଅଛି। ଚିଲିକା ବକ୍ଷରେ ଚଢ଼େଇଟିଏ ବସିବା ପାଇଁ କୋଉ ଟାପୁରେ ଆଉ କଣ୍ଟାବୁଦାଟିଏ ଅଛି କି? ଡଙ୍ଗାର ଶବ୍ଦ,ଶିକାରୀର ଫାଶ,ତେଲ ମିଶା ଜଳ ଓ କମି ଆସୁଥିବା ନଳଘାସ,ଛେନାଘାସ ପକ୍ଷୀଙ୍କୁ ଆଉ ଟାଣିପାରୁନି । 
 
ପ୍ରଶ୍ନ : ସିଡିଏ କଣ କରିବା କଥା ?
 
ଉତ୍ତର : ଯାନ୍ତ୍ରିକ ଡଙ୍ଗା ଉପରେ ନିୟନ୍ତ୍ରଣ। ବ୍ୟାଟେରି ଚାଳିତ ଯାନର ପ୍ରଚଳନ। ଚିଲିକା ହ୍ରଦ ଭିତରେ ବା ତଟରେ ଭିତ୍ତିଭୂମି ନିର୍ମାଣରେ ସତର୍କତା। ଆଲୋକମାଳାର ବ୍ୟବସ୍ଥାକୁ ରୋକିବା (ସାତପଡା) ସହିତ ନଳବଣରେ ପକ୍ଷୀଙ୍କ ବିଶ୍ରାମ, ଖାଦ୍ୟ ଓ ଶାନ୍ତି ବଜାୟ ରଖିବା ପାଇଁ ବ୍ୟବସ୍ଥା କରିବା ଉଚିତ। ଆଖପାଖ ଗାଁରେ ପକ୍ଷୀଙ୍କ ଉପକାରୀତା ବିଷୟରେ ସଚେତନତା ମଧ୍ୟ ଜରୁରୀ ।
 
ପ୍ରଶ୍ନ : ପକ୍ଷୀଙ୍କ ଚିଲିକାକୁ ଦାନ କିଭଳି ?
 
ଉତ୍ତର : ପକ୍ଷୀ ଆସୁଛନ୍ତି ବୋଲି ଚିଲିକା ପର୍ଯ୍ୟଟନ ତିଷ୍ଠିଛି। ନାବିକର ଜୀବିକା ରହୁଛି। ପର୍ଯ୍ୟଟକମାନେ ଆମୋଦିତ ହେଉଛନ୍ତି। ପକ୍ଷୀମାନଙ୍କ ମଳ ମାଛଙ୍କ ଖାଦ୍ୟ ହେଉଛି। ଜଳ ବିଶୁଦ୍ଧ ରହିବାରେ ପକ୍ଷୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏପରି ଅନେକ ପ୍ରକାର ଆର୍ଥିକ,ସାମାଜିକ,ପରିବେଶୀୟ ଲାଭ ପକ୍ଷୀ ଦେଉଛନ୍ତି । 
 
ପ୍ରଶ୍ନ : ଓଡିଶାର ପକ୍ଷୀ ସମ୍ବଳକୁ ନେଇ ଆପଣଙ୍କ ମତ ?
 
ଉତ୍ତର : ଚିଲିକା, ଅଂଶୁପା, କାଞ୍ଜିଆ ହ୍ରଦ ବ୍ୟତୀତ ରାଜ୍ୟର ବଡ ବଡ ଜଳଭଣ୍ଡାର,ଭିତରକନିକା ଅଭୟାରଣ୍ୟର ବଗ ଗହନ,ଶିମିଳିପାଳ,ଗନ୍ଧମାର୍ଦ୍ଦନ, ଲାଖାରି,ଉଷାକୋଠି,କର୍ଲାପାଟ,ସୁନାବେଢ଼ା ଅଭୟାରଣ୍ୟରେ ପକ୍ଷୀଙ୍କ ସମାଗମ ଦେଖାଯାଏ। ଜଳ,ଜଙ୍ଗଲ ଓ ପ୍ରାକୃତିକ ଅନ୍ୟାନ ପରିବେଶ ଉଜୁଡି ଯାଉଥିବାରୁ ସହରମାନଙ୍କରୁ ପକ୍ଷୀ ଉଭେଇ ଯାଉଛନ୍ତି। ଲୋକଙ୍କର ପକ୍ଷୀ ପ୍ରତି ଅତୀତରେ ଥିବା ସରାଗ ମରିଯିବାରୁ ପକ୍ଷୀଙ୍କ ପ୍ରତି ବିପଦ ଘନେଇ ଆସିଛି। ପଞ୍ଜୁରୀ ପକ୍ଷୀ ପ୍ରେମ ମୁକ୍ତାକାଶ ବିହଙ୍ଗକୁ ବିପଦରେ ପକାଇଛି । 
 
  • Tags:

Subscribe

National International State Sports Entertainment