ଇଶ୍ୱର ନିଜ ବୋତଲ କଳାରେ ଦେଶର ୧୪ତମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କଲେ ସ୍ୱାଗତ
Khabar Odisha: Iswar-rao-new-bottle-kala-on-14th-president

ଭୁବନେଶ୍ୱର, ଜୁଲାଇ୨୫(ଖବର ଓଡ଼ିଶା ସ୍ପେଶାଲ):  କଳା ପରିଚୟ ଦେଇଛି ଜଟଣୀ ବାସିନ୍ଦା ଏଲ ଇଶ୍ୱର ରାଓଙ୍କୁ । ଅଦରକାରୀ ବୋତଲଟିଏ ତାଙ୍କ ହାତ ସ୍ପର୍ଶ ପାଇଲେ ସଜୀବ ପରି ମନେ ହୋଇଥାଏ । ସେଥିପାଇଁ ଆମେ ତାଙ୍କୁ ବୋତଲ ମଣିଷଭାବେ ଅବିହିତ କରିଛୁ । କୌଣସି ବିଶେଷ ଉତ୍ସବ ଆସିଲେ ଇଶ୍ୱରଙ୍କ ହାତ ତିଆରି ବୋତଲ କଳାକୁ ଦେଖିବାର ସୁଯୋଗ ମିଳିଥାଏ ଆମକୁ । ପ୍ରତିଥର କିଛି ନିଆରା ତଥା ସ୍ୱତନ୍ତ୍ର କରିବାର ତାଙ୍କର ପ୍ରୟାସ ଆମକୁ ଆଶ୍ଚର୍ୟ୍ୟ ମଧ୍ୟ କରେ ।
 
ଆଜି ଦେଶର ୧୪ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ରାମନାଥ କୋବିନ୍ଦ। ଏନଡ଼ିଏ ପାର୍ଥୀ ଭାବେ ସେ ରାଷ୍ଟ୍ରପତି ହେବାରେ ସଫଳ ହୋଇଥିବା ବେଳେ ଏହି ଦଳିତ ନେତାଙ୍କୁ ନିଜ କଳାରେ ସ୍ୱାଗତ କରିଛନ୍ତି ଇଶ୍ୱର । ଗୋଟିଏପଟେ ନୂଆ ରାଷ୍ଟ୍ରପତି ଅନ୍ୟପଟେ ବଡ଼ ପଦକୁ ନେଇ ଦାୟିତ୍ୱ । ସେଥିପାଇଁ ଛୋଟିଆ ନୁହେଁ ବରଂ ଗୋଟିଏ ଶକ୍ତ ବୋତଲ ବାଛିଥିଲେ ଇଶ୍ୱର ତାଙ୍କର କଳାକୁ ବଖାଣିବାକୁ । ଦୀର୍ଘ ସାତଦିନ ଧରି କାମ କରି ସେ ଅତି ସୁନ୍ଦର ଭାବେ ରାଷ୍ଟ୍ରପତି କୋବିନ୍ଦଙ୍କ ଫଟୋଚିତ୍ରକୁ ସ୍ଥାପନ କରିଛନ୍ତି ବୋତଲ ମଧ୍ୟରେ । ଯାହାକୁ ଦେଖିଲେ କେହି ହୁଏତ ବିଶ୍ୱାସ କରିପାରିବେ ନାହିଁ କି ଏହା କରିବା ସମ୍ଭବ ।
 
୩୫ ବର୍ଷୀୟ ଇଶ୍ୱର ଖୋର୍ଦ୍ଧା ଜଟଣୀର ହାଟବଜାରରେ ରୁହନ୍ତି । କେତେବେଳେ ସେ ବୋତଲ ମଧ୍ୟରେ ସ୍ଥାପନ କରନ୍ତି ବିଘ୍ନହର୍ତ୍ତା ଗଣେଷଙ୍କୁ ତ କେତେବେଳେ ପେନସିଲ ମୁନରେ ଗଣେଷଙ୍କୁ ସ୍ଥାପନ କରିବା ପାଇଁ ଅଜବ ଖିଆଲ ଆସେ ତାଙ୍କ ମନକୁ । ଯେଉଁଥିରେ ସେ ସଫଳ ମଧ୍ୟ ହୁଅନ୍ତି । ତେବେ ତାଙ୍କର ବେଶ ପସନ୍ଦ ରାସ୍ତାକଡ଼ରେ ଫୋପଡ଼ା ହୋଇଥିବା ମଦ ବୋତଲ ତଥା ଅନ୍ୟାନ୍ୟ ବୋତଲ ଗୁଡ଼ିକ । ଯାହାକୁ ହାନି ନପହଞ୍ଚାଇ ସେ ନିଜର କଳାକୁ ଅତି ନିଖୁଣଭାବେ ଜୀବନ୍ତ କରିପାରନ୍ତି ।
 
ଆଜିକାଲି ଇଶ୍ୱରଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା । ଓଡ଼ିଶାର ଅନେକ ଗଣମାଧ୍ୟମରେ ସେ ଏକ ପରିଚିତ ଚେହେରା । ତାଙ୍କର କଳା ମ୍ୟୁଜିୟମ୍‌କୁ ନେଇ ମଧ୍ୟ ସମସ୍ତଙ୍କ ମନରେ କ୍ରେଜ । ଇଶ୍ୱର ନିଜ ଜୀବନର ଛୋଟଛୋଟ କଳାଗୁଡ଼ିକୁ ସାଇତି ରଖିଛନ୍ତି ତାଙ୍କ ମ୍ୟୁଜିୟମ୍‌ରେ । ବୋତଲ କଳା ସହ ମାଟି, କଇଁଆ ମଞ୍ଜି, ସାବୁନ୍‌ର ଅନେକ କଳାକୃତିକୁ ସେ ସେଠାରେ ସାଇତି ରଖିଛନ୍ତି । ଯେଉଁଥିରେ ରହିଛି ୫ଶହରୁ ଅଧିକ ବୋତଲ କଳା, ୨୦୦ରୁ ଅଧିକ ସାବୁନ କଳା, କଇଁଆ ମଞ୍ଜି, ଚାଉଳ କଳା ଏବଂ ଅନେକ । ସମସ୍ତ କଳାଗୁଡ଼ିକ ମଧ୍ୟରୁ ୨୦୦୩ ମସିହାରେ ବୋତଲ ଭିତରେ ଶିବ ମନ୍ଦିର ତୋଳିବା ତାଙ୍କୁ ବେଶ ଆନନ୍ଦ ଦେଇଥିଲା । ଏହା ସହ ଚାଉଳରେ ହନୁମାନ ଚାଳିଶା ଖୋଦେଇ କରିବା ତାଙ୍କପାଇଁ ବଡ଼ ସଫଳତା ବୋଲି ସେ କୁହନ୍ତି । 
 
ପିଲାବେଳେ ଚକ୍‌ ଖଡ଼ିରେ ଖୋଦେଇ କରିବା ଆରମ୍ଭ କରିଥିବା ଇଶ୍ୱର ଏବେ ଚଳାନ୍ତି ଇଶ୍ୱର ଆର୍ଟ ଆଣ୍ଡ କ୍ରାଫ୍ଟ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ। ଏଥିରେ ୧୨୦ଜଣ ଛାତ୍ରଛାତ୍ରୀ ଏବେ ଇଶ୍ୱରଙ୍କ କଳା ନିର୍ମାଣ କୌଶଳ ବିଷୟରେ ମାଗଣାରେ ଅଧ୍ୟୟନ କରୁଛନ୍ତି । ସେ ଭବିଷ୍ୟତରେ ଏହି କଳାକୁ ନେଇ ବିଶ୍ୱଦରବାରରେ ଓଡ଼ିଶାର ନାମ ରଖିବାପାଇଁ ଳକ୍ଷ୍ୟ ରଖିଛନ୍ତି ।
 
ଇଶ୍ୱରଙ୍କ କାରୁକଳାର ଭବିଷ୍ୟତ ରହିଥିଲେ ହେଁ ତାଙ୍କର କାହାଣୀ ବେଶ ସଂଘର୍ଷପୂର୍ଣ୍ଣ । ତାଙ୍କ ପାଇଁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ମଧ୍ୟ ତାଙ୍କୁ ମିଳିନାହିଁ। ମାତ୍ର ସେ ମିରାକେଲ ଓ୍ୱାଲ୍‌ର୍ଡ଼ ରେକର୍ଡ଼, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼, ଏକ୍ସିସ୍‌ ପରି ଅନେକ ରେକର୍ଡ଼ ନିଜ ନାମରେ କରିଛନ୍ତି । ଯାହା ବାସ୍ତବିକ ପ୍ରଶଂସାର ଯୋଗ୍ୟ ।
 
ଖବର ଓଡ଼ିଶା ଆପଣଙ୍କ କଳାର ସମ୍ମାନ କରିବା ସହ ଆପଣଙ୍କ ଦୀର୍ଘ କଳାଜୀବନର କାମନା କରୁଛି । ସାବାସ ଇଶ୍ୱର ।

Leave a Reply

Your email address will not be published. Required fields are marked *



Subscribe



National International State Sports Entertainment

Comments