ରାଜ୍ୟରେ ଜାରି ରହିଥିବା ତାତି ମଧ୍ୟରେ ଆସିଛି ପାଣିପାଗ ବିଭାଗର ସତର୍କବାଣୀ। ଆଗାମୀ ୩ ଘଣ୍ଟା ମଧ୍ୟରେ ଓଡ଼ିଶାର ଦୁଇଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ, ଘଡ଼ଘଡ଼ି ସହ ବର୍ଷା ଏବଂ ପବନ ବହିବାର ସମ୍ଭାବନା ଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
ଶୁକ୍ରବାର ଅପରାହ୍ନ ୨ଟାରେ ଜାରି ହୋଇଥିବା ବୁଲେଟିନ ଅନୁସାରେ, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ଏକାଧିକ ସ୍ଥାନରେ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହା ସହିତ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିବାର ଆଶଙ୍କା ରହିଛି।
ପାଣିପାଗ ବିଭାଗ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ବିଶେଷକରି ବଜ୍ରପାତ ସମୟରେ ଖୋଲା ସ୍ଥାନ, ଗଛ ତଳେ କିମ୍ବା ବିଦ୍ୟୁତ ଖୁଣ୍ଟ ନିକଟରେ ନ ରହିବାକୁ କୁହାଯାଇଛି। ପାଣିପାଗର ଅବସ୍ଥା ଖରାପ ହେଲେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଯିବା ସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି।ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ଦେଖାଦେଉଥିବା ବେଳେ, ଏହି ବର୍ଷା ଓ ପବନ ଲୋକଙ୍କୁ ଗ୍ରୀଷ୍ମ ପ୍ରବାହରୁ କିଛିଟା ଆଶ୍ୱସ୍ତି ଦେଇପାରେ। ତେବେ ବଜ୍ରପାତ ଜନିତ ବିପଦକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପୁଣିଥରେ ଅନୁରୋଧ କରିଛି।
ଅଧିକ ପଢନ୍ତୁ: ମେ' ଶେଷ ସପ୍ତାହରେ ବଡ଼ ପାଗ ପରିବର୍ତ୍ତନ; ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ତାତିରୁ ମିଳିବ ଆଶ୍ୱସ୍ତି