ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସର ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ଦୁଇ ଜଣ ବିଧାୟକ ସୋଫିଆ ଫିର୍ଦ୍ଦୋସ୍ ଏବଂ ରମେଶ ଜେନା । ଏମାନଙ୍କୁ ମନାଇବାକୁ ଚାଲିଛି କସରତ । ସେପଟେ ଦଳରେ କୌଣସି କ୍ରସ୍ ଭୋଟିଂ ହେବ ନାହିଁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି ।
ରାମଚନ୍ଦ୍ର କହିଛନ୍ତି ଯେ ବିଜେଡ଼ି ସଭାପତି ପ୍ରାର୍ଥୀ ଘୋଷଣା ବେଳେ ହଡ଼ବଡ଼ରେ କଂଗ୍ରେସର ନାମ ଧରିନଥିଲେ । କିନ୍ତୁ ଡାକ୍ତର ଦତ୍ତେଶ୍ୱର ହୋତା କମନ୍ ପ୍ରାର୍ଥୀ ଅଟନ୍ତି । ବିଧାୟକ ଦଳ ବୈଠକରେ ମଧ୍ୟରେ ଡାକ୍ତର ହୋତା ଆସି ନିଜେ ସମସ୍ତ ବିଧାୟକଙ୍କୁ ଭେଟି ଭୋଟ୍ ପାଇଁ ନିବେଦନ କରିଛନ୍ତି । ତେବେ ଦୁଇ ଜଣ ବିଧାୟକ ସୋଫିଆ ଫିର୍ଦ୍ଦୋସ୍ ଏବଂ ରମେଶ ଜେନା କାର୍ଯ୍ୟ ବ୍ୟସ୍ଥତା କାରଣରୁ ଆସିପାରିନଥିଲେ । ଦଳରେ ସମସ୍ତ ଏକ୍ ଅଛନ୍ତି । କିନ୍ତୁ ଦଳରେ କୌଣସି କ୍ରସ୍ ଭୋଟିଂ ହେବ ନାହିଁ । ଦଳ ପକ୍ଷରୁ ଏକ ନାମାଙ୍କନ ପତ୍ର ଦାଖଲ କରାଯିବ ବୋଲି କାଡ଼ାମ ସୂଚନା ଦେଇଛନ୍ତି ।
ସେପଟେ ଆଜି ବିଧାୟକ ରମେଶ ଜେନା ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଭେଟିଛନ୍ତି । ଭକ୍ତ ଦାସ ଏବଂ ରମେଶ ଜେନାଙ୍କ ମଧ୍ୟରେ ପୂର୍ବରୁ ମତାନ୍ତର ରହିଛି । ମହମ୍ମଦ ମୋକିମଙ୍କୁ ଦଳରୁ ବହିଷ୍କୃତ କରାଯିବା ପରେ ସୋଫିଆଙ୍କ ଭୂମିକାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ନିକଟରେ ନୂତନ ବର୍ଷ ଉପଲକ୍ଷେ ଲଗାଯାଇଥିବା ସୋଫିଆଙ୍କ ପୋଷ୍ଟରରେ ମଧ୍ୟ କଂଗ୍ରେସ ଚିହ୍ନ ଦେଖିବାକୁ ମିଳିନଥିଲା । ଯାହାକୁ ନେଇ ଅନେକ ଆଲୋଚନା ହୋଇଥିଲା ।