ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସୁନାବେଶ ନୀତି ଅନୁଷ୍ଠିତ ହେବ । କିନ୍ତୁ ଆଜି ଚନ୍ଦ୍ର ଗ୍ରହଣ ଥିବାରୁ ଦିନ ପରିବର୍ତ୍ତେ ରାତିରେ ଗ୍ରହଣ ମୋକ୍ଷ ପରେ ଶ୍ରୀଜୀଉଙ୍କ ସୁନାବେଶ ହେବ ।
ସକାଳ ୬ଟା ୮ ମିନିଟ ପରଠାରୁ ଦେବନୀତି ନିଷେଧ ରହିଛି। ଅପରାହ୍ନ ୩ ଟା ୨୦ ମିନିଟରେ ଗ୍ରହଣ ସ୍ପର୍ଶ କରିବ । ସନ୍ଧ୍ୟା ୬ ଟା ୪୭ ମିନିଟ୍ ରେ ସର୍ବମୋକ୍ଷ ଓ ଗ୍ରହଣ ଶେଷ ହେବ । ଏହା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ନାନନୀତି କରାଯିବ । ପରେ ସୁନାବେଶ ହେବ ।
ସେପଟେ ଆଜି ସକାଳେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ଦୋଳବେଦୀକୁ ବିଜେ କରିଛନ୍ତି । ଦୋଳ ଯାତ୍ରା ଦେଖିବାକୁ ପୁରୀରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ଫଗୁ ଅବିରରେ ରଙ୍ଗୀନ ହୋଇଯାଇଛି ବଡ଼ ଦାଣ୍ଡ । ନାମ ସଂକୀର୍ତ୍ତନରେ ଉଚ୍ଛୁଳିତ ପଡ଼ୁଛି ଗଗନ ପବନ ।