ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଆମ୍ବଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରବାସରେ ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ମୃତ ଛାତ୍ରୀ ଜଣକ ହେଲେ ଗୀତା ମାଝୀ । ସେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ । ପ୍ରଧାନଶିକ୍ଷକ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଅବହେଳା ଯୋଗୁଁ ଗୀତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।
ଅମ୍ବାଦଳା ଥାନା ଅନ୍ତର୍ଗତ କନ୍ଧ ବାଲିଯୋଡି ଗ୍ରାମର ଗୀତା ମାଝୀ ତିନି କିଲୋମିଟର ଦୂର ଆମ୍ବଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ହଷ୍ଟେଲରେ ରହି ପଢ଼ୁଥିଲେ । ଗତକାଲି ରାତିରେ ଛାତ୍ରୀ ଜଣକ ହଠାତ ଅସୁସ୍ଥ ଅନୁଭବ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ଆମ୍ବଦଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ମେଡିକାଲରେ ଭର୍ତ୍ତି କରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି ।
ଛାତ୍ରୀଙ୍କ ମୃତ୍ୟୁ ଖବର ନେଇ ବିଦ୍ୟାଳୟ ପକ୍ଷରୁ ପରିବାର ସୂଚନା ଦିଆଯାଇଥିଲା । ପରିବାର ଲୋକ ମେଡ଼ିକାଲରେ ପହଁଚିବା ପରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଦାୟୀ କରିଛନ୍ତି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର କହିଛି । ପ୍ରଧାନ ଶିକ୍ଷକ ଝିଅର ଅସୁସ୍ଥତା ସମ୍ପର୍କରେ କୌଣସି ସୂଚନା ଦେଇନଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ ମେଡ଼ିକାଲରେ ପହଁଚି ମୃତ ଦେହକୁ ଜବତ କରିବା ସହିତ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ତାହାର ଯାଞ୍ଚ ଆରମ୍ଭ କରିଛି ।