Home >
କେଉଁଠି ଗଛ ତ କେଉଁଠି ଭାଙ୍ଗିଲା ବିଦ୍ୟୁତ୍ ଖୁଣ୍ଟ, କାଲି ସୁଦ୍ଧା ସବୁ ସ୍ଥାନରେ ସ୍ଵାଭାବିକ ହେବ ବିଦ୍ୟୁତ୍ ସେବା
Khabar Odisha:state-odisha---cyclone-bulbul-till-tomorrow-electric-service-remaining-normal-says-SRC
ଭୁବନେଶ୍ୱର, ନଭେମ୍ବର ୦୯(ଖବର ଓଡ଼ିଶା):

ଅତି ଭୟଙ୍କର ରୂପ ଧାରଣ କରି ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ ଆଡ଼କୁ ମାଡ଼ି ଚାଲିଛି । ବୁଲବୁଲ ଏବେ ଦୀଘାରୁ ୮୦ କିମି ଦୂରରେ ଗତି କରୁଛି। ଘଣ୍ଟାକୁ ୮ ରୁ ୯ କିମି ଗତିରେ ଆଗକୁ ବଢ଼ୁଛି ବାତ୍ୟା ବୁଲବୁଲ।  ଉତ୍ତର, ଉତ୍ତର ପୂର୍ବ ଦିଗରେ ଗତି ରାତି ୭ଟାରୁ ୧୧ଟା ମଧ୍ୟରେ ପଶ୍ଚିମବଙ୍ଗ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ। ବୁଲବୁଲ ଓଡ଼ିଶା ନ ଛୁଇଁଲେ ମଧ୍ୟ ତାଣ୍ଡବ ରଚିଛି। ଅନେକ ଜିଲ୍ଲାରେ କ୍ଷୟକ୍ଷତି ହେବା ସହିତ ଜଣଙ୍କର ମୃତ୍ୟୁ ଘଟିଛି। ବୁଲବୁଲ ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ହୋଇଛି। ଉପକୂଳବର୍ତ୍ତୀ ୫ ଜିଲ୍ଲାରେ ବାତ୍ୟା ବୁଲବୁଲ ପ୍ରଭାବ ପକାଇଛି। ଅନେକ ଗାଜାରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡ଼ିଥିବା ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ଏସଆରସିଙ୍କ ସୂଚନା ଅନୁଯାୟୀ ବୁଲବୁଲ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ଲାଗି ରହିଛି। ୫ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର ଓ ଯାଜପୁରରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଛି। ଯାଜପୁର,  ଜଗତସିଂପୁରରେ ରାସ୍ତା ଓ ବିଦ୍ୟୁତ୍ ସେବା ସ୍ଵାଭାବିକ ହୋଇଛି। କେନ୍ଦ୍ରାପଡ଼଼ାର ୯ଟି ବ୍ଲକରେ ରାସ୍ତା ଓ ବିଜୁଳି ସେବା ପୁନର୍ବାହାଲ ହୋଇଛି। କାଲି ସୁଦ୍ଧା ସବୁ ସ୍ଥାନରେ ବିଦ୍ୟୁତ୍ ସେବା ସ୍ଵାଭାବିକ ହୋଇଯିବ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।

ଭଦ୍ରକ ଜିଲ୍ଲାରେ ୫୦ ପ୍ରତିଶତ ବିଜୁଳି ସେବା ସ୍ଵାଭାବିକ ହୋଇଛି। କାଲି ସୁଦ୍ଧା ଜିଲ୍ଲାର ବାକି ଅଞ୍ଚଳରେ ବିଦ୍ୟୁତ୍ ସେବା ସ୍ଵାଭାବିକ ହୋଇଯିବ। ବାଲେଶ୍ଵରରେ ଆଜି ରାତି ସୁଦ୍ଧା ସବୁ ପୁନର୍ବାହାଲ କାମ ସରିଯିବ। କାଲି ସନ୍ଧ୍ୟା ସୁଦ୍ଧା ସବୁ ଜାଗାରେ ବିଜୁଳି ସେବା ସ୍ଵାଭାବିକ ହୋଇଯିବ।

ଏବେ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ମୋଟ୍ ୩୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ପ୍ରଭାବ କମିବା ଯାଏ ଏମାନେ ଆଶ୍ରୟସ୍ଥଳୟରେ ରହିବେ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ କାନ୍ଥ ପଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ବାସୁଦେବପୁରରେ ଉଦ୍ଧାର କାର୍ୟ୍ୟ  ବେଳେ ବିଦ୍ୟୁତ୍  ଖୁଣ୍ଟ ବାଜି  ଆହତ ହୋଇଥିବା ଏନଡିଆରଏଫ କର୍ମୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ୬ ଲକ୍ଷ ହେକ୍ଟର ଜମିରୁ  ୩୦ ରୁ ୪୦ ପ୍ରତିଶତ ଜମି କ୍ଷତିଗ୍ରସ୍ତ ହୋଇଥିବା ଏସଆରସି ସୂଚନା ଦେଇଛନ୍ତି।

Subscribe

National International State Sports Entertainment