ଭୁବନେଶ୍ୱର: ବର୍ତ୍ତମାନ ଶ୍ରାବଣ ଚାଲିଛି । ରାଜ୍ୟରେ ବିଭିନ୍ନ ଶୈବପୀଠରେ ଜଳଲାଗି ପାଇଁ କାଉଡ଼ିଆମାନେ ପାଣି ନେଇ ଯାଉଛନ୍ତି । ଜଳ ଲାଗି କରିବାକୁ ଯିବାବେଳେ ସାବଧାନତା ଅବଲମ୍ବନ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । ବିଶେଷ କରି ରାତିରେ ଏଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି ।
ଜଳାଭିଷେକ ପାଇଁ ଯାଉଥିବା କାଉଡ଼ିଆମାନେ ରାସ୍ତାର ମଝିରେ ନ ଯାଇ ପଥଚାରୀଙ୍କ ପାଇଁ ଉଦ୍ଦିଷ୍ଟ ବାଟରେ ଯିବାକୁ କୁହାଯାଇଛି । ସୁରକ୍ଷିତ ଭାବରେ ଏକଦମ ରାସ୍ତାର କଡ଼ରେ ଚାଲିବାକୁ ପରାମର୍ଶ ରହିଛି । ସେହିପରି ରାତିରେ ଯାଉଥିବା କାଉଡିଆମାନେ ବିଶେଷ ଧ୍ୟାନ ଦେଇ ବାହୁଙ୍ଗିରେ ରେଟ୍ରୋ ରିଫ୍ଲେକଟିଭ ଟେପ୍ (ରାତିରେ ଚମକୁଥିବା ଟେପ୍ ) ଲଗାଇପାରିବେ । ଫଳରେ ରାତିରେ ଦୂରରୁ ଆସୁଥିବା ଗାଡ଼ିଚାଳକମାନେ କାଉଡିଆଙ୍କୁ ଦେଖିପାରିବେ । ସେହିପରି ଦଳ ଦଳ ହୋଇ ନ ଯାଇ ପଛକୁ ପଛ ଧାଡ଼ିରେ ଚାଲିବାକୁ ପରାମର୍ଶ ଦେଇଛି ପରିବହନ ବିଭାଗ ।
ଏହା ସହିତ ଭଲଭାବେ ରାସ୍ତା ଉଭୟ ପାର୍ଶ୍ୱକୁ ଦେଖି ରାସ୍ତା ପାର୍ ହେବେ । ସେହିପରି ରାତିରେ ଟର୍ଚ୍ଚ ଲାଇଟ୍ ବ୍ୟବହାର କରିବା ସହିତ ଥକା ଲାଗିଲେ ବିଶ୍ରାମ ନେବାକୁ ମଧ୍ୟ ପରାମର୍ଶ ରହିଛି ।