Home >
ମୁଣ୍ଡରେ ଲାଗିଛି ଆଘାତ, ଦ୍ଵିତୀୟ ଦିନିକିଆରେ ଦଳରୁ ବାହାରିଲେ ଋଷଭ ପନ୍ତ
Khabar Odisha:sports--cricket--odisha-rishabh-pant-out-of-the-team-for-second-one-day-in-rajkot
ନୂଆଦିଲ୍ଲୀ, ଜାନୁଆରୀ୧୫(ଖବର ଓଡ଼ିଶା):

ଅଷ୍ଟ୍ରେଲିଆ ବିପକ୍ଷ ଦ୍ଵିତୀୟ ଦିନିକିଆରୁ ବାଦ୍ ପଡ଼ିଲେ ଓ୍ଵିକେଟ୍ କିପର ଋଷଭ ପନ୍ତ। ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ମୁଣ୍ଡରେ ବଲ୍ ବାଜିବାରୁ ସେ ଆଉ ଫିଲ୍ଡିଂ ପାଇଁ ପଡ଼ିଆକୁ ଓହ୍ଲାଇ ପାରିନଥିଲେ। ମୁଣ୍ଡରେ ଆଘାତ ଲାଗିଥିବା କାରଣରୁ ସେ ଦ୍ଵିତୀୟ ଦିନିକିଆରେ ଖେଳିବେ ନାହିଁ।  

ପ୍ରଥମେ ଖବର ଆସିଥିଲା ଯେ, ଋଷଭ ଟିମ୍ ସହିତ ରାଜକୋଟ୍ ଯିବେ ନାହିଁ କାରଣ ମୁଣ୍ଡରେ ବଲ୍ ବାଜିବା ପରେ ଖେଳାଳିଙ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ ନଜରରେ ରଖାଯାଏ। ଏହାକୁ ନେଇ ଦ୍ଵନ୍ଦ୍ଵ ଥିଲା ଯେ, ସେ ଦ୍ଵିତୀୟ ଦିନିକିଆରେ ଖେଳିବେ କି ନାହିଁ। ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ଭାରତର ବ୍ୟାଟିଂର ୪୪ତମ ଓଭରରେ ପାଟ୍ କମିନ୍ସଙ୍କ ଏକ  ବାଉନ୍ସର ବଲ୍ ତାଙ୍କ ହେଲମେଟରେ ବାଜିଥିଲା। ଏଥିରେ ସେ ଆଉଟ୍ ମଧ୍ୟ ହୋଇଥିଲେ।

କୁହାଯାଉଛି ଯେ, ପନ୍ତଙ୍କୁ ବେଙ୍ଗାଲୁରୁ ଯିବାକୁ ପଡ଼ିବ। ମୁଣ୍ଡରେ ଆଘାତ ଲାଗିଥିବା କାରଣରୁ ତାଙ୍କୁ ଏଠାରେ ଆବଶ୍ୟକୀୟ ଚିକିତ୍ସା କରାଯିବ। ବିସିସିଆଇ କହିଛି ଯେ, ରିହାବିଲିଟେସନ ପ୍ରୋଟୋକଲ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। 

ମଙ୍ଗଳବାର ପନ୍ତ ଅନୁମତି ନେଇ ଖେଳରୁ ବାହାରି ଯାଇଥିଲେ। ଏହା ପରେ କେଏଲ ରାହୁଲ ଓ୍ଵିକେଟ୍ କିପିଂ ଦାୟିତ୍ଵ ତୁଲାଇଥିଲେ। ବିସିସିଆଇ ମଧ୍ୟ ନିଜର ବୟାନରେ କହିଛି ଯେ, ପନ୍ତଙ୍କୁ ନଜରରେ ରଖାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ଵିତୀୟ ଦିନିକିଆ ଜାନୁଆରୀ ୧୭ରେ ରାଜକୋଟରେ ଖେଳାଯିବ।

Subscribe

National International State Sports Entertainment