ବଲାଙ୍ଗୀର ଜେଲ୍ ଭିତରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। କଏଦୀ ଜଣକ ବଲାଙ୍ଗୀର ସଦର ଥାନା କୁଶଙ୍ଗ ଗାଁର ୩୭ ବର୍ଷୀୟ ଭୀଷ୍ମଦେବ ସାହୁ ଓରଫ ଗୋପାଳ। ଗତ ୨୦୨୧ରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ଜେଲ୍ ଯାଇଥିଲେ। ବର୍ଷେ ତଳେ ଭୀଷ୍ମଦେବଙ୍କୁ ମାନ୍ୟବର କୋର୍ଟ ଅଜୀବନ ଦଣ୍ଡରେ ଦଣ୍ଡିତ କରିଥିଲେ। ଆଜି ଜେଲ କର୍ତ୍ତୃପକ୍ଷ ଝୁଲନ୍ତା ଅବସ୍ଥାରେ ଭୀଷ୍ମଦେବଙ୍କ ମୃତଦେହ ଉଦ୍ଧାର କରିଥିଲେ।
ଶନିବାର ଦିନ, ଜେଲ କର୍ତ୍ତୃପକ୍ଷ ଜେଲ କୋଠରୀ ଭିତରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ଅଧିକାରୀମାନେ ତାଙ୍କ ପରିବାରକୁ ଜଣାଇଥିଲେ ଯେ ସେ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି। ଭୀଷ୍ମଦେବଙ୍କ କୁଶଙ୍ଗ ଗାଁରେ ଥିବା ପରିବାର ଲୋକଙ୍କୁ ଭୀଷ୍ମ ଜେଲ୍ ଭିତରେ ଆତ୍ମହତ୍ୟା କରିଥିବା ଖବର ଦେଇଥିଲେ। ଜେଲ କର୍ତ୍ତୃପକ୍ଷ ଭୀମଭୋଇ ମେଡିକାଲ କଲେଜକୁ ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ଆଣିଥିବା ଜଣାପଡ଼ିଛି।
ଅନ୍ୟପଟେ ପରିବାର ଲୋକେ ଜେଲ ଭିତରେ ଭୀଷ୍ମଦେବଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଭୀଷ୍ମଦେବଙ୍କ ସମ୍ପର୍କୀୟମାନେ ମୃତ୍ୟୁର ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି। ସେପଟେ ପୋଲିସ କହିଛି ତଦନ୍ତ କରାଯିବ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅଧିକ ପଢନ୍ତୁ: ରାଜ୍ୟର ବିଭିନ୍ନ ଜେଲରୁ ଏବେବି ୧୭ ଜଣ କଏଦୀ ଅଛନ୍ତି ଫେରାର; କଏଦୀଙ୍କ ସମ୍ପର୍କରେ ଗୃହରେ ବିସ୍ତୁତ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ