ଭୁବନେଶ୍ୱର: ଆଜି ହେଉଛି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୭ତମ ଜନ୍ମ ଦିବସ । ଆଜି ୬୮ ବୟସରେ ପାଦ ଥାପିଛନ୍ତି ରାଷ୍ଟ୍ରପତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟିଠାରୁ ଆରମ୍ଭ କରି ଅନେକ ନେତୃବୃନ୍ଦ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟିରେ ଜନ୍ମଦିନ ପାଳନ କରିଛନ୍ତି ।
୨୦୨୨ ଜୁଲାଇ ୨୨ ତାରିଖରେ ଦ୍ରୌପଦୀ ମୁର୍ମୁ ଭାରତର ୧୫ତମ ରାଷ୍ଟ୍ରପତି ହୋଇଥିଲେ । ଜଣେ ସାଧାରଣ ଆଦିବାସୀ ମହିଳା ଭାରତର ପ୍ରଥମ ନାଗରିକ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ସେ ଦେଶର ପ୍ରଥମ ଆଦିବାସୀ, ଦ୍ୱିତୀୟ ମହିଳା ଏବଂ ପ୍ରଥମ ଓଡ଼ିଆ ଭାବରେ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି । ତାଙ୍କର ସରଳ ଏବଂ ନିରାଡ଼ମ୍ବର ଜୀବନ ପାଇଁ ସେ ଖୁବ ଲୋକପ୍ରିୟ । ଖାଲି ସେତିକି ନୁହେଁ ତାଙ୍କର ଅଭିଭାଷଣରେ ସେ ଲୋକଙ୍କୁ ମନ୍ତ୍ରମୁଗ୍ଧ କରନ୍ତି । ପ୍ରତ୍ୟେକ ଭାଷଣରେ ଲୋକଙ୍କୁ ଜୀବନରେ କିପରି ଆଗକୁ ବଢ଼ିବେ ଏବଂ ବଞ୍ଚିବାର ସରଳ ଉପାୟ ତାହା ବୁଝାଇ ଥାଆନ୍ତି । ସେଥିପାଇଁ ସେ ସମସ୍ତଙ୍କର ପ୍ରିୟ ରାଷ୍ଟ୍ରପତି ହୋଇପାରିଛନ୍ତି । କିନ୍ତୁ ଯଦି ଆମେ ରାଷ୍ଟ୍ରପତି ଜୀବନର ପୃଷ୍ଠାକୁ ଟିକେ ଓଲଟାଇ ପଢ଼ିବା ତାହା ହେଲେ ଅନେକ ସଂଘର୍ଷ, ସଫଳତା ଏବଂ ଦୁଃଖରେ ଭରି ରହିଛି ତାଙ୍କ ଜୀବନ କାହାଣୀ । ଯାହା କୌଣସି ଉପନ୍ୟାସ ଠାରୁ ବି କମ୍ ହେବ ନାହିଁ ।
୧୯୫୮ ମସିହା ଜୁନ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲାସ୍ଥିତ ବାଇଦାପୋଷିଠାରେ ଏକ ସାଧାରଣ ସାନ୍ତାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ । ବାପାଙ୍କ ନାଁ ବିରଞ୍ଚି ନାରାୟଣ ଟୁଡୁ । ତାଙ୍କର ପ୍ରଥମ ନାମ ଥିଲି ପୁଟି ଟୁଡୁ । ଆଦିବାସୀ ସମ୍ପ୍ରଦାୟରେ ପୁଟିର ଅର୍ଥ ମାଟି । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ସ୍କୁଲ ଶିକ୍ଷକ ପୁଟି ନାମକୁ ବଦଳାଇ ରଖିଥିଲେ ଦ୍ରୌପଦୀ ଟୁଡୁ । ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ ପରେ ସେ ଟୁଡୁରୁ ହୋଇଥିଲେ ମୁର୍ମୁ । ଦ୍ରୌପଦୀ ମୁର୍ମୁ ଉବରବେଡ଼ା ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ତା'ପରେ ଭୁବନେଶ୍ୱର ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ପର୍ଯ୍ୟନ୍ତ ଶିକ୍ଷା ଅର୍ଜନ କରିବା ପରେ ରମାଦେବା ମହିଳା ମହାବିଦ୍ୟାଳୟରେ (ଏବେକାର ବିଶ୍ୱବିଦ୍ୟାଳୟ) କଳାରେ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ ।
ପାଠ ପଢ଼ା ସରିବା ପରେ ସେ ଓଡ଼ିଶା ସରକାରଙ୍କ ଅଧିନରେ ଜଳସେଚନ ଓ ବିଦ୍ୟୁତ ବିଭାଗରେ କନିଷ୍ଠ ସହାୟିକା ଭାବେ କାର୍ଯ୍ୟ କରିଥିଲେ । ଏହା ପରେ ରାଇରଙ୍ଗପୁରଠାରେ ଥିବା ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନରେ ଶିକ୍ଷକତା କରିଥିଲେ ।
ଶିକ୍ଷୟିତ୍ରୀରୁ ରାଜନେତ୍ରୀ
ଦ୍ରୌପଦୀ ମୁର୍ମୁ ଶିକ୍ଷକତାରୁ ରାଜନୀତିରେ ପ୍ରବେଶ କରିଥିଲେ । ସେ ୧୯୯୭ ମସିହାରେ ରାଜନୀତିରେ ଦୁନିଆରେ ପାଦ ଥାପିଥିଲେ । ୱାର୍ଡ ମେମ୍ବରରୁ ଭାବରେ ବିଜୟୀ ହାସଲ କରିବା ପରେ ସେ ଆଉ ପଛକୁ ଚାହିଁ ନ ଥିଲେ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ କ୍ରମାଗତ ୨୦୦୦ ଏବଂ ୨୦୦୪ରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜେଡ଼ି ଏବଂ ବିଜେପି ମେଣ୍ଟ ସରକାରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀଭାବେ ଦାୟିତ୍ୱ ତୁଲାଇଛନ୍ତି । ଖାଲି ସେତିକି ନୁହେଁ ତାଙ୍କର ପାରଦର୍ଶିତା ଏବଂ କର୍ମଠ କାର୍ଯ୍ୟଶୈଳୀ ଦେଖି ବିଜେପି ତାଙ୍କୁ ଅନେକ ପଦ ପଦବୀରେ ଅବସ୍ଥାପିତ କରିଛି । ଆଦିବାସୀ ମୋର୍ଚ୍ଚାର ଉପ-ସଭାପତି ଓ ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ସଦସ୍ୟା ମଧ୍ୟ ରହି ସାରିଛନ୍ତି । ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଛନ୍ତି । ବିଜେପି ମୟୁରଭଞ୍ଜ ଜିଲ୍ଲା ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଛନ୍ତି । ଏହା ସହିତ ୨୦୧୫ ରୁ ୨୦୨୧ ଯାଏଁ ଝାଡ଼ଖଣ୍ଡ ରାଜ୍ୟର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଛନ୍ତି ।
ବ୍ୟକ୍ତିଗତ ଜୀବନର ସଂଘର୍ଷ
ମହାଭାରତର ଦ୍ରୌପଦୀ ପରି ଦ୍ରୌପଦୀ ମୁର୍ମୁ ମଧ୍ୟ ଦେଖିଛନ୍ତି ଅନେକ ଦୁଃଖ । ଦ୍ରୌପଦୀ ମୁର୍ମୁ ଏବଂ ଶ୍ୟାମ ଚରଣ ମୁର୍ମୁଙ୍କର ତିନୋଟି ସନ୍ତାନ ଥିଲେ । ଦୁଇ ପୁଅ ଲକ୍ଷ୍ମଣ ମୁର୍ମୁ ଓ ସିପୁନ ମୁର୍ମୁ ଏବଂ ଝିଅ ଇତିଶ୍ରୀ ମୁର୍ମୁ । ଜୀବନରେ ପ୍ରତ୍ୟେକ ପାହାଚରେ ସଫଳତାର ସହିତ ଚଢ଼ୁଥିବାବେଳେ ଅନେକ ଝଡ଼ଝଞ୍ଝାର ସାମ୍ନା କରିଛନ୍ତି । ହସଖୁସିର ସଂସାର ରଥ ଆଗକୁ ବଢ଼ୁଥିବାବେଳେ ତାଙ୍କ ଖୁସି ସଂସାରରେ ଲାଗିଥିଲା ଗ୍ରହଣ । ସେ ତାଙ୍କର ଦୁଇ ଦୁଇଟି ସନ୍ତାନକୁ ହରାଇଥିଲେ । ୨୦୦୯ରେ ଗୋଟିଏ ପୁତ୍ର ଏବଂ ୨୦୧୩ ଆଉ ଏକ ପୁତ୍ରକୁ ହରାଇ ବସିଥିଲେ । ତଥାପି ସେ ଭାଙ୍ଗିପଡ଼ି ନ ଥିଲେ । ପୁଣି ଥରେ ସଳଖ ହୋଇ ଛିଡ଼ା ହୋଇ ଆଗକୁ ବଢ଼ିଥିଲେ । କିନ୍ତୁ ଦଇବର ଲେଖା ଆଉ କିଛି ଥିଲା । ସାତ ଜନ୍ମର ସାଥି ହୋଇ ବାଟ ଚାଲିବାକୁ କଥା ଦେଇଥିବା ଜୀବନ ସାଥି ମଧ୍ୟ ଅଧା ବାଟରେ ହାତ ଛାଡ଼ି ଏକୁଟିଆ ଆରପାରିକୁ ଚାଲିଗଲେ । ୨୦୧୪ ମସିହାରେ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କର ଦେହାନ୍ତ ହୋଇଥିଲା । ତଥାପି ସେ ଭାଙ୍ଗି ନପଡ଼ି ସଳଖି ଚାଲିଛନ୍ତି । ଝିଅ, ଜ୍ୱାଇଁ ଏବଂ ଦୁଇ ନାତୁଣୀଙ୍କୁ ନେଇ ଏବେ ରାଷ୍ଟ୍ରପତିଙ୍କର ଏକ ଛୋଟ ପରିବାର ।