ଭୁବନେଶ୍ୱର: ଲାଞ୍ଚ ନେଇ ଧରାପଡ଼ିଲେ ଖୋର୍ଦ୍ଧା ଜିଲ୍ଲାର ଜଣେ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ। ମଧ୍ୟାହ୍ନ ଭୋଜନ ଯୋଜନାର ଟଙ୍କା ଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଧରିଛି। ଧରାପଡ଼ିଥିବା ପ୍ରଧାନଶିକ୍ଷକ ହେଉଛନ୍ତି ଶେଖ ରିୟାଜ ଅଲ୍ଲୀ। ସେ ବାଲିପାଟଣା ବ୍ଲକ ଅଧୀନ ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ।
ଭିଜିଲାନ୍ସର ସୂଚନା ଅନୁସାରେ, ଏହି ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରାୟ ୪ ମାସ ଧରି ନିଜ ଟଙ୍କା ଖର୍ଚ୍ଚ କରିଥିଲେ। ପରେ ତାଙ୍କ ବଦଳି ହୋଇଯାଇଥିବାରୁ ସେହି ଟଙ୍କାର ଫେରସ୍ତ ପାଇଁ ନୂଆ ପ୍ରଧାନଶିକ୍ଷକଙ୍କୁ ଅନୁରୋଧ କରିଥିଲେ।
ସରକାରୀ ନିୟମ ଅନୁସାରେ ଟଙ୍କା ଫେରସ୍ତ ପାଇଁ ଚେକ୍ ଦେବା ବଦଳରେ ଶେଖ ରିୟାଜ ଅଲ୍ଲୀ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା।
ଏନେଇ ପୂର୍ବତନ ପ୍ରଧାନଶିକ୍ଷକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଜାଲ ବିଛାଯାଇଥିଲା। ସୋମବାର ଅଭିଯୋଗକାରୀଙ୍କଠାରୁ ୧୫ ହଜାର ଟଙ୍କା ନେଉଥିବା ବେଳେ ପ୍ରଧାନଶିକ୍ଷକଙ୍କୁ ଧରାଯାଇଥିଲା। ତାଙ୍କ ନିକଟରୁ ସମସ୍ତ ଟଙ୍କା ଜବତ କରାଯାଇଛି। ଏହାପରେ ତାଙ୍କ ସହ ସମ୍ପର୍କିତ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକାସାଙ୍ଗରେ ଚଢ଼ାଉ କରାଯାଇଛି।
ଆୟବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ମଧ୍ୟ ତଦନ୍ତ କରାଯାଉଛି। ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁସାରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି।