ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାର ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ସାନ ଭାଇ ନେହଲ ମୋଦୀ ଆମେରିକାରେ ଗିରଫ ହୋଇଛନ୍ତି । ଆମେରିକା ପ୍ରଶାସନ ପକ୍ଷରୁ ନେହଲ ମୋଦୀ (୪୬)ଙ୍କ ଗିରଫଦାରୀ ସମ୍ପର୍କରେ ଭାରତ ସରକାରଙ୍କୁ ସୂଚନା ଦିଆଯାଇଛି । ନେହଲଙ୍କୁ ଶୁକ୍ରବାର ଆମେରିକା ପ୍ରଶାସନ ଗିରଫ କରିବା ପରେ ହେପାଜତକୁ ନେଇଥିବା ଜଣାପଡ଼ିଛି । ଚଳିତ ମାସ ଜୁଲାଇ ୧୭ ତାରିଖରେ ସ୍ଥାନୀୟ କୋର୍ଟରେ ଶୁଣାଣି ହେବା । ସେତେବେଳେ ନେହଲ ଜାମିନ ଆବେଦନ କରିପାରନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ସିବିଆଇ ପକ୍ଷରୁ ନେହଲଙ୍କୁ ଭାରତ ଆଣିବା ପାଇଁ ଔପଚାରିକ ପ୍ରକ୍ରିୟା ଆରମ୍ଭ କରିଛି ।
ଭାରତ ସରକାର ନେହଲ ମୋଦୀଙ୍କ ଔପଚାରିକ ପ୍ରତ୍ୟାର୍ପଣ ଅନୁରୋଧ ପରେ ସେ ଗିରଫ ହୋଇଛନ୍ତି । ଆମେରିକା ନ୍ୟାୟିକ ବିଭାଗ ତଥ୍ୟ ଅନୁସାରେ ଆର୍ଥିକ ଠକେଇ ନିରୋଧ ଆଇନ ୨୦୦୨ ଏବଂ ଅପରାଧିକ ଷଡଯନ୍ତ୍ର ଆଧାରରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୁଦ୍ଧରେ ଆର୍ଥିକ ହେରଫେର ଏବଂ ଦେଶରୁ ପଳାୟନ କରିବାର ଅଭିଯୋଗ ରହିଛି ।
ନେହଲ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ଜଡିତ ୧୩,୦୦୦ କୋଟି ଟଙ୍କାର ଠକେଇ ମାମଲାରେ ଜଣେ ସହ ଅଭିଯୁକ୍ତ ଅଟନ୍ତି । ଏହି ମାମଲାରେ ନୀରବ ମୋଦୀ, ନେହଲ ମୋଦୀ ଏବଂ ସମ୍ପର୍କୀୟ ଭାଇ ମେହୁଲ ଚୋକସୀ ଅଭିଯୁକ୍ତ ଅଟନ୍ତି । ନେହଲ ବେଲିଜିୟମର ନାଗରିକ ଅଟନ୍ତି । ତାଙ୍କର ଜନ୍ମ ଏଣ୍ଟବର୍ପରେ ହୋଇଚି ।