Home >
ରାୟକୁ ସ୍ଵାଗତ କଲା ସୁନ୍ନି ଓ୍ଵାକଫ ବୋର୍ଡ, ଦାୟର କରିବ ନାହିଁ ପୁନର୍ବିଚାର ଯାଚିକା
Khabar Odisha:national-odisha-sunni-central-waqf-board-is-not-thinking-to-challenge-ayodhya-verdict-zafar-farooqui
ଲକ୍ଷ୍ନୌ, ନଭେମ୍ବର୦୯(ଖବର ଓଡ଼ିଶା):

୭୦ ବର୍ଷ ଧରି ଚାଲି ଆସିଥିବା କାନୁନ ଲଢ଼େଇ ଓ ୪୦ ଦିନ ପର୍ଯ୍ୟନ୍ତ କ୍ରମାଗତ ମାରାଥନ ଶୁଣାଣି ପରେ ଆଜି ଅଯୋଧ୍ୟା ବିବାଦରେ ସୁପ୍ରିମକୋର୍ଟ ପକ୍ଷରୁ ବହୁ ପ୍ରତୀକ୍ଷିତ ରାୟ ଆସିଛି। ନିର୍ଣ୍ଣୟ ଆସିବା ପରେ ରାମଜନ୍ମ ଭୂମି-ବାବ୍ରି ମସଜିଦ ବିବାଦର ପକ୍ଷକାର ସୁନ୍ନି ଓ୍ଵାକଫ ବୋର୍ଡ ଉଚ୍ଚତମ ନ୍ୟାୟାଳୟର ନିଷ୍ପତ୍ତି ସ୍ଵାଗତ କରିଛି। ଏହା ସହିତ ବୋର୍ଡ ଶନିବାର ରାୟ ବିରୋଧରେ ଚ୍ୟାଲେଞ୍ଜ କରିବା ନାହିଁ ବୋଲି ସ୍ପଷ୍ଟ କରିଛି। ବୋର୍ଡର ଅଧ୍ୟକ୍ଷ ଜୁଫର ଫାରୁକି କହିଛନ୍ତି ଯେ, ନ୍ୟାୟାଳୟର ନିର୍ଣ୍ଣୟକୁ ଆମେ ସ୍ଵାଗତ  କରୁଛୁ ଓ ବୋର୍ଡ ଏହି ରାୟକୁ ଚ୍ୟାଲେଞ୍ଜ କରି ପୁନର୍ବିଚାର ଯାଚିକା ଦାୟର କରିବ ନାହିଁ।

ଫାରୁକି କହିଛନ୍ତି ଯେ,  ବୋର୍ଡର ସଦସ୍ୟଙ୍କ ସହିତ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ଯେ ୫ ଏକର ଜମି ଗ୍ରହଣ କରାଯିବ ନା ନାହିଁ। ଆମ ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ମାନ୍ୟ ଅଟେ। ରାୟ ପୂର୍ବରୁ ସବୁ ପକ୍ଷ କହିଥିଲେ ଯେ, ଯାହା ବି ରାୟ ଆସିବ ଆମେ ତାକୁ ସ୍ଵୀକାର କରିବୁ। ତେଣୁ ଏବେ ଯଦି କୌଣସି ପୁନର୍ବିଚାର ଯାଚିକା ଦାୟର କରାଯାଏ ତେବେ ଏହା ଭୁଲ ହେବ।

ସିଆ ଧର୍ମଗୁରୁ ମୌଲାନା କଲଭେ ଜଓ୍ଵାଦ ମଧ୍ୟ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ସ୍ଵାଗତ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ବିନମ୍ରତାପୂର୍ବକ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ଵୀକାର କରୁଛି। ମୁଁ ଭଗବାନଙ୍କଠାରେ କୃତଜ୍ଞ ଯେ, ମୁସଲମାନ ସଂପ୍ରଦାୟର ଅନ୍ୟ ବଡ଼ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଏହି ରାୟକୁ ସ୍ଵାଗତ କରିଛନ୍ତି। ସଂପ୍ରତି ବିବାଦ ସମାପ୍ତ ହୋଇଗଲା।

ଉଲ୍ଲେଖଯୋଗ୍ୟ, ରାମ ଜନ୍ମଭୂମି-ବାବ୍ରୀ ମସଜିଦ ବିବାଦରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ ସର୍ବସମ୍ମତି କ୍ରମେ ଅର୍ଥାତ୍ ୫-୦ରେ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି। ଏହି ବିବାଦୀୟ ଜମିରେ ଦାବି କରିଥିବା ନିର୍ମୋହୀ ଆଖଡାର ଯାଚିକା ଖାରଜ କରି ସୁପ୍ରିମକୋର୍ଟ ରାମଲଲା ବିରାଜମାନ ଏବଂ ସୁନ୍ନୀୱାକଫ ବୋର୍ଡକୁ ପକ୍ଷକାର ମାନିଥିଲା। ସର୍ବୋଚ୍ଚ ନ୍ୟାୟାଳୟ ଆହ୍ଲାବାଦ ହାଇକୋର୍ଟ ଦ୍ଵାରା ଦିଆଯାଇଥିବା ରାୟକୁ ତର୍କହୀନ କହି ରାମଲଲା ବିରାଜମାନ ପକ୍ଷରେ ନିଷ୍ପତ୍ତି ଶୁଣାଇଛନ୍ତି। ଏହା ସହ ସୁନ୍ନୀ ୱାକଫ ବୋର୍ଡକୁ ଅଯୋଧ୍ୟାରେ ଅନ୍ୟତ୍ର ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ସୁପ୍ରିମକୋର୍ଟ ୩ମାସ ମଧ୍ୟରେ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ସୁପ୍ରିମକୋର୍ଟର ୧ ନମ୍ଵର କୋର୍ଟ ରୁମରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ୪୫ ମିନିଟର ରାୟ ଶୁଣାଇଛନ୍ତି। ଏହି ସମୟରେ ସିଜେଆଇ ବହୁ ମହତ୍ଵପୂର୍ଣ୍ଣ ତର୍କ ଉପରେ ମତ ରଖିଛନ୍ତି। 

Subscribe

National International State Sports Entertainment