Home >
ଅଯୋଧ୍ୟା ରାୟରେ ଆଡ଼ଭାଣୀଙ୍କ ପ୍ରତିକ୍ରିୟା, ଈଶ୍ଵରଙ୍କୁ ମୋର ଧନ୍ୟବାଦ, ମୁଁ ଆନ୍ଦୋଳନର ଅଂଶ ଥିଲି
Khabar Odisha:national-odisha-senior-bjp-leader-lk-advani-first-reaction-ayodhya-verdict
ନୂଆଦିଲ୍ଲୀ, ନଭେମ୍ବର ୦୯(ଖବର ଓଡ଼ିଶା):

 ବିଜେପିର ବରିଷ୍ଠ ନେତା ତଥା ରାମ ଜନ୍ମଭୂମି ଆନ୍ଦୋଳନର ନେତୃତ୍ଵ ନେଇଥିବା ନେତାଙ୍କ ମଧ୍ୟରୁ ଜଣେ ଲାଲକୃଷ୍ଣ ଆଡ଼ଭାଣୀ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟରେ ଅତ୍ୟନ୍ତ ପ୍ରସନ୍ନତା ପ୍ରକାଶ କରିଛନ୍ତି। ସେ ଐତିହାସିକ ରାୟକୁ ସ୍ଵାଗତ କରି କହିଛନ୍ତି ଯେ, ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ ଦ୍ଵାରା ଅଯୋଧ୍ୟା ମାମଲାରେ ଦିଆଯାଇଥିବା ରାୟକୁ ସ୍ଵାଗତ କରିବାରେ ମୁଁ ଦେଶବାସୀଙ୍କ ସହିତ ମଧ୍ୟ ରହିଛି। ଏହି ସମୟରେ ମୁଁ ନିଜକୁ ନିଜ ଧନ୍ୟ ମନେ କରୁଛି।

ଆଡ଼ଭାଣୀ କହିଛନ୍ତି ଯେ, ସୁପ୍ରିମକୋର୍ଟ ଅଯୋଧ୍ୟାରେ ରାମ ଜନ୍ମଭୂମିରେ ଭଗବାନ ରାମଙ୍କ ଲାଗି ଏକ ଭବ୍ୟ ମନ୍ଦିର ନିର୍ମାଣର ମାର୍ଗ ପ୍ରଶସ୍ତ  କରି ସର୍ବସମ୍ମତି ରାୟ ଦେଇଛନ୍ତି। ଆଡ଼ଭାଣୀ ରାମ  ମନ୍ଦିର ଆନ୍ଦୋଳନରେ ନିଜେ ସାମିଲ ଥିବା ଉଲ୍ଲେଖ କରି କହିଛନ୍ତି ଯେ, ଏହା ତାଙ୍କ ଲାଗି ବହୁତ ବଡ଼ କଥା ଯେ ଈଶ୍ଵର ତାଙ୍କୁ ଏହି ଆନ୍ଦୋଳନରେ ନିଜକୁ ସାମିଲ କରାଇବାର ସୁଯୋଗ ଦେଇଛନ୍ତି। ଆଡ଼ଭାଣୀ ରାମ ମନ୍ଦିର ଆନ୍ଦୋଳନକୁ  ସ୍ଵାଧୀନ ଭାରତର ସବୁଠୁ ବଡ଼ ଆନ୍ଦୋଳନ କହିଛନ୍ତି। 

ସେ ଏହା ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ରାମ ମନ୍ଦିର ନିର୍ମାଣ ଲାଗି ପଥ ପରିଷ୍କାର ହୋଇଛି, ତେଣୁ ଆମ ସମସ୍ତଙ୍କୁ ସବୁ ବିବାଦ ଓ ମନୋମାଳିନ୍ୟକୁ ପଛରେ ପକାଇବାର ସମୟ ଆସି ଯାଇଛି। ସଦଭାବ ଓ ଶାନ୍ତିକୁ ଆପଣାଇବାର ଅଛି।

ଉଲ୍ଲେଖଯୋଗ୍ୟ, ବର୍ଷ ବର୍ଷ ଧରି କାନୁନ ଲଢ଼େଇ ଓ ୪୦ ଦିନ ପର୍ଯ୍ୟନ୍ତ କ୍ରମାଗତ ମାରାଥନ ଶୁଣାଣି ପରେ ଆଜି ଅଯୋଧ୍ୟା ବିବାଦରେ ସୁପ୍ରିମକୋର୍ଟରୁ ବହୁପ୍ରତୀକ୍ଷିତ ରାୟ ଆସିଛି। ରାଜନୈତିକ ଭାବେ ବହୁତ ସମ୍ବେଦନଶୀଳ ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦରେ ସର୍ବୋଚ୍ଚ ନ୍ୟାୟାଳୟର ପାଞ୍ଚ ଜଣିଆ ଜଜ ସର୍ବସମ୍ମତି ଆଧାରରେ ଅର୍ଥାତ ୫-୦ରେ ରାୟ ଶୁଣାଇଥିଲେ। 

ଏହି ବିବାଦୀୟ ଜମିରେ ଦାବି କରିଥିବା ନିର୍ମୋହୀ ଆଖଡାର ଯାଚିକା ଖାରଜ କରି ସୁପ୍ରିମକୋର୍ଟ ରାମଲଲା ବିରାଜମାନ ଏବଂ ସୁନ୍ନି ୱାକଫ ବୋର୍ଡକୁ ପକ୍ଷକାର ମାନିଥିଲା। ଶେଷରେ ରାମଲଲା ବିରାଜମାନ ପକ୍ଷରେ ନିଷ୍ପତ୍ତି ଶୁଣାଇଛନ୍ତି। ଏହା ସହ ସୁନ୍ନି ୱାକଫ ବୋର୍ଡକୁ ଅଯୋଧ୍ୟାରେ ଅନ୍ୟତ୍ର ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ସୁପ୍ରିମକୋର୍ଟ ୩ମାସ ମଧ୍ୟରେ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Subscribe

National International State Sports Entertainment