Home >
ଭାରତ ମହାସାଗରରେ ଭାରତୀୟ କ୍ଷେତ୍ରକୁ ପଶି ଆସିଲା ଚୀନ ଜାହାଜ, ତଡ଼ିଲେ ସେନା
Khabar Odisha:national-odisha-chinese-ship-shi-yan-1-was-asked-to-leave-indian-waters-confirms-navy-chief
ନୂଆଦିଲ୍ଲୀ, ଡିସେମ୍ବର୦୩(ଖବର ଓଡ଼ିଶା):

ଭାରତୀୟ ଜଳ କ୍ଷେତ୍ରରେ ଚୀନର ଏକ ସନ୍ଦିଗ୍ଧ ଜାହାଜ ପଶି ଆସିବା ପରେ ଏହାକୁ ନୌସେନା ତଡ଼ି ଦେଇଛନ୍ତି। ଏହି ସୂଚନା ନୌସେନାଧ୍ୟକ୍ଷ ଆଡମିରାଲ କରମବୀର ସିଂହ ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତ ଭାରତ ମହାସାଗର କ୍ଷେତ୍ରରେ ଚୀନର ବଢ଼ୁଥିବା ପ୍ରାର୍ଦୁଭାବ ଉପରେ କ୍ରମାଗତ ନଜର ରଖିଛି। ଡିସେମ୍ବର ୪ ନୌସେନା ଦିବସ ସମାରୋହର ଅବ୍ୟବେହିତ ପୂର୍ବରୁ ସିଂହ କହିଛନ୍ତି ଯେ, ଚୀନ ୨୦୦୮ରୁ ଭାରତ ସାଗରରେ ନିଜର ଗତିବିଧି ବୃଦ୍ଧି କରିଛି। ଭାରତୀୟ ନୌସେନା ମଧ୍ୟ ଚୀନର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଛି। 

ନୌସେନା ପ୍ରମୁଖ ଆଡମିରାଲ କରମବୀର ସିଂହ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଚୀନର ଏକ ଜାହାଜ ସି ୟାନ ୧ ବିନା ଅନୁମତିରେ ଭାରତୀୟ ଜଳ କ୍ଷେତ୍ରକୁ ପଶି ଆସିଥିଲା, ଯାହାକୁ ଭାରତୀୟ ସେନା ତଡ଼ି ଦେଇଛନ୍ତି। ଏହା ସହିତ ଭାରତ ମହାସାଗରରେ ପାକିସ୍ତାନର ଉଦ୍ଦେଶ୍ୟ ବିଷୟରେ ଭାରତୀୟ ନୌସେନା ସଂପୂର୍ଣ୍ଣ ଅବଗତ ଥିବା ସେ କହିଛନ୍ତି। 

ସିଂହ କହିଛନ୍ତି ଯେ, ଭାରତ ମହାସାଗରରେ ବିଶେଷ ଆର୍ଥିକ କ୍ଷେତ୍ରରେ ଚୀନ ମହାସାଗରୀୟ ଅନୁସନ୍ଧାନ ଜାହାଜ ରହିଛି। ଏହି କ୍ଷେତ୍ର ନିକଟରେ ସାତରୁ ଆଠ ଜାହାଜ ଚୀନ ମୁତୟନ କରିଛି। କେବେ କେବେ ଖନନ ପାଇଁ ଆସନ୍ତି ତ କେବେ କେବେ ଆଣ୍ଟି ପାଇରାସି ସ୍କ୍ଵାଡ଼୍ ରୂପେ ଆସନ୍ତ, ଯାହା ଉପରେ ତ୍ଵରିତ୍ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ଭାରତୀୟ ସେନା ଉକ୍ତ ଦିଗ ଉପରେ ଆବଶ୍ୟକୀୟ ପଦକ୍ଷେପ ନେଉଥିବା ସେ  କହିଛନ୍ତି। 

କରମବୀର ସିଂହ କହିଛନ୍ତି ଯେ, ଆମକୁ ମିଳିଥିବା ଗୁଇନ୍ଦା ତଥ୍ୟ ଅନୁଯାୟୀ, ଆତଙ୍କବାଦୀ ସମୁଦ୍ର ରାସ୍ତା ଦେଇ ଭାରତରେ ପଶିବାକୁ ଯୋଜନା କରୁଛନ୍ତି। ଆମେ କୌଣସି ବି ବିପଦର ମୁକାବିଲା ଲାଗି ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛୁ। ନୌସେନାର ଦୀର୍ଘକାଳୀନ ଯୋଜନା ରହିଛି ଏବଂ ଏହି ଆଧାରରେ ତିନି ବିମାନବାହକ ଜାହାଜର ଆବଶ୍ୟକତା ରହିଛି। ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅତ୍ୟାଧୁନିକ ପ୍ରଥମ ବିମାନବାହକ ଜାହାଜ ୨୦୨୨ ସୁଦ୍ଧା ସଂପୂର୍ଣ୍ଣ ଭାବେ ସେନାରେ ନିୟୋଜିତ ହେବ ବୋଲି କରମବୀର ସିଂହ କହିଛନ୍ତି। 

ଭାରତୀୟ ନୌସେନାଧ୍ୟକ୍ଷ କ୍ରମାଗତ ନେଭି ବଜେଟ୍ କମ ହେବା ଉପରେ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, କିଛି ବର୍ଷରେ ପ୍ରତିରକ୍ଷା ବଜେଟରେ ନୌସେନାର ଅଂଶରେ ଲଗାତାର ହ୍ରାସ ପାଇ ଚାଲିଛି। ୨୦୧୨ରେ ଏହା ୧୮ ପ୍ରତିଶତ ଥିଲା ଯାହା ୨୦୧୮ରେ କମ ହୋଇ ୧୨ ପ୍ରତିଶତକୁ ଖସି ଆସିଛି।

Subscribe

National International State Sports Entertainment