ନୂଆଦିଲ୍ଲୀ: ଜାତୀୟ ସ୍ତରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡାକ୍ତର ହରେକୃଷ୍ଣ ମହତାବ ୧୨୫ତମ ଜନ୍ମ ବାର୍ଷିକ ପାଳିତ ହୋଇଯାଇଛି । ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହା ସହିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଯୋଗ ଦେଇ ଡାକ୍ତର ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ।
ରାଷ୍ଟ୍ରପତି ହରେକୃଷ୍ଣ ମହତାବଙ୍କ କାଳଜୟୀ ସଂଗ୍ରାମ ଉପରେ ଆଲୋକପାତ କରିଛନ୍ତି । ରାଷ୍ଟ୍ରପତି ଉଭୟ ହିନ୍ଦୀ ଓ ଓଡ଼ିଆ ଭାଷାରେ ସମ୍ବୋଧନ କରିଛନ୍ତି । ଶ୍ରୀମତୀ ମୁର୍ମୁ କହିଛନ୍ତି, ଭାରତକୁ ଯୋଡ଼ି ରଖିବାକୁ ହରେକୃଷ୍ଣ ମହତାବ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ହୀରାକୁଦ ବନ୍ଧଠାରୁ ଆରମ୍ଭ କରି ଓଡ଼ିଶାର ନୂଆ ରାଜଧାନୀଭାବରେ ଭୁବନେଶ୍ୱର ପ୍ରତିଷ୍ଠା କରିବା, ବିଧାନସଭା, ରାଜ୍ୟ ସଚିବାଳୟ ଓ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପ୍ରତିଷ୍ଠା ତାଙ୍କର ଓଡ଼ିଶା ପାଇଁ ଏକ ଉଲ୍ଲେଖନୀୟ ଅବଦାନ ରହିଛି । ଏହା ସହିତ ତାଙ୍କ ଦ୍ୱାରା ନିର୍ମିତ ହୋଇଥିବା ବାରବାଟୀ ଷ୍ଟାଡିୟମ୍ ଓଡ଼ିଶାର କ୍ରୀଡ଼ା ଜଗତକୁ ଉଚ୍ଚ ସ୍ତରରେ ପହଁଚାଇଥିଲା । ସେହିପରି ଡାକ୍ତର ହରେକୃଷ୍ଣ ମହତାବ ଜଣେ ରାଷ୍ଟ୍ରବାଦୀ ନେତା ଥିଲା । ନିଜର ଲେଖା ମାଧ୍ୟମରେ ରାଷ୍ଟ୍ରବାଦୀ ବିଚାରରେ ଦେଶୀବାସୀଙ୍କୁ ପ୍ରେରିତ କରୁଥିଲେ ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ସମ୍ମାନରେ ଏକ ସ୍ଵତନ୍ତ୍ର ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କରାଯାଇଛି । ଏହା ସହିତ ଓଡ଼ିଆରେ ମୋନୋଗ୍ରାଫ୍, ଗାଁ ମଜଲିସର ଇଂରାଜୀ ଅନୁବାଦ ଏବଂ ଗାଁ ମଜଲିସର ହିନ୍ଦୀ ଅନୁବାଦ ମଧ୍ୟ ଉନ୍ମୋଚନ କରାଯାଇଛି ।