ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କ ପରଲୋକ ଘଟିଛି । ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଉତ୍ତରାଖଣ୍ଡ ଗରହ୍ୱାଲ ଜିଲ୍ଲା ପାଉରୀ ଅନ୍ତର୍ଗତ ପଞ୍ଚୁର ଗ୍ରାମସ୍ଥିତ ପୈତୃକ ଘରେ ସେ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ସାବିତ୍ରୀ ଦେବୀଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ସାବିତ୍ରୀ ଦେବୀଙ୍କ ଶେଷକୃତ୍ୟ ଆସନ୍ତାକାଲି ଶନିବାର ଦିନ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି ।
ଯୋଗୀ ଆଦିତ୍ୟନାଥଙ୍କ ମାଆଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ସାବିତ୍ରୀ ଦେବୀଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିବା ସହିତ ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।
ପୁଷ୍କର ସିଂ ସୋସିଆଲ୍ ମିଡ଼ିଆ ଏକ୍ସରେ ଲେଖିଛନ୍ତି, ଜଣଙ୍କ ଜୀବନରେ ମା’ଙ୍କ ସ୍ନେହ, ଆଶୀର୍ବାଦ ଓ ଭଲପାଇବା ହେଉଛି ସବୁଠାରୁ ମୂଲ୍ୟବାନ ସମ୍ପତ୍ତି। ତାଙ୍କର ବିୟୋଗ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି। ସେହି ପୁଣ୍ୟାତ୍ମାଙ୍କୁ ନିଜ ଚରଣରେ ସ୍ଥାନ ଦେବାକୁ ଏବଂ ଯୋଗୀଜୀ ତଥା ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅସହ୍ୟ ଦୁଃଖ ସହିବାର ଶକ୍ତି ପ୍ରଦାନ କରିବାକୁ ସେ ପ୍ରଭୁ କେଦାରନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।