ସମ୍ବଲପୁର: ରାଜ୍ୟରେ ରେରା ଆଇନରେ ହେବ ସଂଶୋଧନ । ବିଭାଗ ସହ ଆଲୋଚନା ପରେ ନିଆଯିବ ନିଷ୍ପତ୍ତି । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରେରା ଆଇନରେ ସଂଶୋଧନର ଆବଶ୍ୟକତା ରହିଛି । ଫଳରେ ଜରୁରୀକାଳୀନ ପରିସ୍ଥିତିରେ ଜଣେ ଜମି ବିକ୍ରି କରିବାକୁ ଚାହୁଁଥିଲେ ବିକ୍ରି କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ବଲପୁର ସବ ରେଜିଷ୍ଟ୍ରି କାର୍ଯ୍ୟାଳୟକୁ ଅଚାନକ ଗସ୍ତ କରିଛନ୍ତି । ରେରା ଆଇନରେ ସଂଶୋଧନ ଆବଶ୍ୟକ ବୋଲି କହିଛନ୍ତି ମନ୍ତ୍ରୀ । ଏବେ ଏମିତି ପରିସ୍ଥିତି କି ଝିଅ ବାହାଘର କିମ୍ବା ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଜଣେ ଜମି ବିକିବାକୁ ଚାହିଁ ବି ବିକି ପାରୁନି। ତେଣୁ ଆଇନରେ ପରିଣତ କରିବାକୁ ହେବ । ଆଇନରେ ସଂଶୋଧନ ପାଇଁ ନଗର ଉନ୍ନୟନ ବିଭାଗ ସହ କଥା ହେବୁ । ଆଲୋଚନା ପାଇଁ ଆମେ ନଗର ଉନ୍ନୟନ ବିଭାଗକୁ ଡାକିଛୁ । ଆଇନରେ କଣ ସଂଶୋଧନ ଆବଶ୍ୟକ, ରାଜସ୍ୱ ବିଭାଗ କଥା ହେବ । ଖାଲି ଏତିକି ନୁହେଁ ଜମି କ୍ରେତା ଓ ବିକ୍ରେତା ସନ୍ତୁଷ୍ଟ କି ନୁହେଁ ଜାଣିବାକୁ ରହିବେ ରେଜିଷ୍ଟାର୍ । ଅସନ୍ତୋଷ୍ଟ ଥିଲେ ଉଭୟ କ୍ରେତା ଓ ବିକ୍ରେତା ଅଭିଯୋଗ କରିପାରିବେ ।
ଯଦି ଏପରି କିଛି ଅଭିଯୋଗ ଆସେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଯଦି ଜଣେ ସବୁ ଜମି ବିକ୍ରି କରିବାକୁ ଚାହୁଁଥିବ ତେବେ ତାଙ୍କୁ ବୁଝାଇ ଦିଆଯିବ । ଅତ୍ୟାବଶ୍ୟକ ଯଦି ନ ଅଛି ତେବେ ସମସ୍ତ ଜମି ବିକ୍ରି କରନ୍ତୁ ନାହିଁ । କାରଣ ସରକାର ଭୂମି ହୀନଙ୍କୁ ଜମି ଯୋଗାଇ ଦେଉଛନ୍ତି । ତେଣୁ କାହା ମନ୍ଦ ବୁଦ୍ଧି କି ପ୍ରରୋଚନାରେ ନ ଆସିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ସେହିଭଳି ଦଲାଲ ଚିହ୍ନଟ କରିବାକୁ ବି ପ୍ରକ୍ରିୟା ହେବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି । ଯଦି ଜଣେ ଜମି ବିକ୍ରି କିମ୍ବା କିଣିବାକୁ ଚାହୁଁଥିବ ସେ ଥରେ କି ଦୁଇ ଥର ଆସିବ । ଯଦି ଜଣେ ବାରମ୍ବାର ଆସୁଥିବା ସିସିଟିଭି ଫୁଟେଜରେ ଜମା ପଡ଼େ ତେବେ ସିଏ ଦଲାଲ ବୋଲି ଜଣା ପଡ଼ିଯିବ । ଦଲାଲଙ୍କ ବଡ଼ ଫଟୋ ଅଫିସ୍ ବାହାରେ ଲଗାଯିବ କହିଛନ୍ତି ରାଜସ୍ୱ ମନ୍ତ୍ରୀ ।