ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ପାଇଁ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ସହଯୋଗ କରିବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ସେହି ସ୍ଥାନରେ ଥିବା ବ୍ୟକ୍ତିମାନେ କୌଣସି ପ୍ରତିକୂଳ ପରିସ୍ଥିତିରେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ନମ୍ବରକୁ ଯୋଗାଯୋଗ କରିବାକୁ ଉଚ୍ଚ ଶିକ୍ଷା ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି ।
ମଧ୍ୟ ପ୍ରାଚ୍ୟରେ ଯୁଦ୍ଧାକାଳୀନ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସହାୟତା ଓ ସୂଚନା ପାଇଁ ଓଡ଼ିଶା ପରିବାର, ରାଜ୍ୟ ଗୃହ ବିଭାଗ, ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ ଓ ବିଭିନ୍ନ ପ୍ରବାସୀ ଭାରତୀୟ ସଂସ୍ଥାମାନଙ୍କ ସହ ମିଳିତ ଭାବେ ଏକ ୱାର୍କିଂ ଗ୍ରୁପ ଗଠନ ହୋଇଛି । ସେହି ସ୍ଥାନରେ ଥିବା ବ୍ୟକ୍ତିମାନେ କୌଣସି ପ୍ରତିକୂଳ ପରିସ୍ଥିତିରେ ବୈଦେଶିକ ମନ୍ତ୍ରାଳୟ ଏବଂ ଓଡ଼ିଶା ପରିବାର ସ୍ୱତନ୍ତ୍ର ଅଧିକାରୀଙ୍କୁ ସମ୍ପର୍କ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ପ୍ରବାସୀ ଓଡ଼ିଆମାନେ ବୈଦେଶିକ ମନ୍ତ୍ରାଳୟ- ୮୦୦୪୬୩୪୨, ହ୍ବାଟ୍ସଆପ୍-୯୭୧୫୪୩୦୯୦୫୭୧ ଏବଂ ଓଡ଼ିଶା ପରିବାର ସ୍ୱତନ୍ତ୍ର ଅଧିକାରୀ-୯୫୮୩୩୨୧୯୬୪ଙ୍କୁ ଏହି ନମ୍ବର ମାଧ୍ୟମରେ ସମ୍ପର୍କ କରିପାରିବେ ।