ନୂଆଦିଲ୍ଲୀ: ଭାରତର ଷ୍ଟାର ବକ୍ସର ତଥା ଅଲିମ୍ପିକ୍ ପଦକ ବିଜେତା ମ୍ୟାରି କମ୍ଙ୍କ ଅଡ଼ୁଆ ବଢ଼ିଛି। ପୂର୍ବତନ ସ୍ୱାମୀ କରୋଙ୍ଗ ଓନଲରଙ୍କ ସହ ଚାଲିଥିବା ବିବାଦ ଏବେ କୋର୍ଟରେ ପହଞ୍ଚିଛି। ମାନହାନି ମାମଲାରେ ଦିଲ୍ଲୀର ସାକେତ କୋର୍ଟ ମ୍ୟାରି କମ୍ଙ୍କୁ ନୋଟିସ୍ ଜାରି କରିଛନ୍ତି। ଏକ ଟେଲିଭିଜନ ସାକ୍ଷାତକାରରେ ମ୍ୟାରି କମ୍ ଦେଇଥିବା କିଛି ମନ୍ତବ୍ୟକୁ ନେଇ ତାଙ୍କ ପୂର୍ବତନ ସ୍ୱାମୀ ଏହି ମାନହାନି ମାମଲା ଦାୟର କରିଛନ୍ତି।
ଏହି ମାମଲାରେ କରୋଙ୍ଗ ଓନଲରଙ୍କ ସମେତ ଅନ୍ୟ କିଛି ସାକ୍ଷୀ କୋର୍ଟରେ ନିଜର ବୟାନ ରେକର୍ଡ କରାଇଛନ୍ତି। ମ୍ୟାରି କମ୍ଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଏବେ ଆଇନଗତ ପ୍ରକ୍ରିୟା ଆଗକୁ ବଢ଼ୁଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୧ରେ ହେବ ବୋଲି ଜଣାପଡ଼ିଛି।
କ’ଣ କହିଥିଲେ ମ୍ୟାରି କମ୍ ?
ଏକ ଟେଲିଭିଜନ କାର୍ଯ୍ୟକ୍ରମ 'ଆପ୍ କି ଅଦାଲତ'ରେ ଯୋଗ ଦେଇ ମ୍ୟାରି କମ୍ ନିଜ ପୂର୍ବତନ ସ୍ୱାମୀଙ୍କ ବିରୋଧରେ ଆର୍ଥିକ ଅନିୟମିତତାର ଅଭିଯୋଗ ଆଣିଥିଲେ। ବକ୍ସିଂ ଜରିଆରେ ସେ ଅର୍ଜନ କରିଥିବା କୋଟି କୋଟି ଟଙ୍କାରେ ତାଙ୍କ ସ୍ୱାମୀ ହେରଫେର କରିଥିବା ମ୍ୟାରି ଅଭିଯୋଗ କରିଥିଲେ।
ଏହାସହ ତାଙ୍କ ନାଁରେ ଋଣ ନିଆଯାଇଥିବା ଏବଂ ତାଙ୍କ ସମ୍ପତ୍ତିକୁ ବନ୍ଧକ ରଖାଯାଇଥିବା ମଧ୍ୟ ସେ ଦାବି କରିଥିଲେ। ଏପରିକି ତାଙ୍କର ଉପଯୁକ୍ତ ଅନୁମତି ବିନା କିଛି ସମ୍ପତ୍ତି ଓନଲରଙ୍କ ନାଁକୁ ହସ୍ତାନ୍ତର କରାଯାଇଥିବା ମ୍ୟାରି କହିଥିଲେ।
ଅଭିଯୋଗକୁ ଖଣ୍ଡନ କରିଥିଲେ ଓନଲର
ମ୍ୟାରି କମ୍ଙ୍କ ଏହି ଅଭିଯୋଗକୁ କରୋଙ୍ଗ ଓନଲର ଖଣ୍ଡନ କରିଛନ୍ତି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର କୌଣସି ଆଧାର ନଥିବା ସେ ଦାବି କରିଛନ୍ତି। ମ୍ୟାରି ଯଦି ଏଭଳି ଅଭିଯୋଗ କରୁଛନ୍ତି, ତେବେ ତାହାର ପ୍ରମାଣ ଦେବାକୁ ମଧ୍ୟ ସେ ଚ୍ୟାଲେଞ୍ଜ କରିଥିଲେ। ଏହାପରେ ଓନଲର ଆଇନର ଆଶ୍ରୟ ନେଇ ମାନହାନି ମାମଲା ଦାୟର କରିଛନ୍ତି। ମ୍ୟାରି କମ୍ଙ୍କ ଠାରୁ ସେ କ୍ଷମା ପ୍ରାର୍ଥନା ସହ କ୍ଷତିପୂରଣ ଦାବି କରିଛନ୍ତି। ଏବେ ଏହି ବିବାଦର ଭବିଷ୍ୟତ କୋର୍ଟଙ୍କ ଶୁଣାଣି ଉପରେ ନିର୍ଭର କରୁଛି।
କେମିତି ଆରମ୍ଭ ହୋଇଥିଲା ମ୍ୟାରି କମ୍ ଓ ଓନଲରଙ୍କ ପ୍ରେମ କାହାଣୀ ?
ମ୍ୟାରି କମ୍ ଓ କରୋଙ୍ଗ ଓନଲରଙ୍କ ସମ୍ପର୍କ ୨୦୦୦ ମସିହାରେ ଦିଲ୍ଲୀରୁ ଆରମ୍ଭ ହୋଇଥିଲା। ସେହି ସମୟରେ ଓନଲର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆଇନ ବିଭାଗରେ ପାଠ ପଢ଼ୁଥିଲେ। ଏକ ପ୍ରତିଯୋଗିତା ପାଇଁ ଯାତ୍ରା ସମୟରେ ମ୍ୟାରିଙ୍କ ଜିନିଷପତ୍ର ହଜିଯାଇଥିଲା। ସେହି ସମୟରେ ଓନଲର ତାଙ୍କୁ ସାହାଯ୍ୟ କରିଥିଲେ। ଏହି ପରିଚୟ ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା।
୨୦୦୫ ମସିହାରେ ଉଭୟ ବିବାହ କରିଥିଲେ। ୨୦୦୭ରେ ସେମାନଙ୍କର ଯାଆଁଳା ପୁଅ ଜନ୍ମ ହୋଇଥିଲେ। ଏହାପରେ ୨୦୧୩ରେ ଆଉ ଜଣେ ପୁଅ ଜନ୍ମ ହୋଇଥିଲେ। ୨୦୧୮ରେ ଏହି ଦମ୍ପତି ଏକ କନ୍ୟା ସନ୍ତାନକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଦୀର୍ଘ ବର୍ଷର ସମ୍ପର୍କ ପରେ ଉଭୟଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା। ଏବେ ସେହି ବ୍ୟକ୍ତିଗତ ବିବାଦ ଆଇନଗତ ଲଢ଼େଇର ରୂପ ନେଇଛି। ଆଗାମୀ ଡିସେମ୍ବର ୨୧ର ଶୁଣାଣି ଉପରେ ଏବେ ସମସ୍ତଙ୍କ ନଜର ରହିଛି।