ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ମଙ୍ଗଳବା ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସହମତି ପ୍ରକାଶ ପାଇ ନଥିବା ଜଣାପଡ଼ିଛି । ତଥାପି ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି କମିଟି ଅଧ୍ୟକ୍ଷ କନକ ବର୍ଦ୍ଧନ ସିଂହଦେଓ ।
ଲୋକସେବା ଭବନର ଜଳସମ୍ପଦ ବିଭାଗ ପ୍ରକୋଷ୍ଠରେ ଉପମୁଖ୍ୟମନ୍ତ୍ରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀମାନଙ୍କର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ କେ.ଭି ସିଂଦେଓ ଗଣମାଧ୍ୟମକୁ ସବିଶେଷ ତଥ୍ୟ ଦେବାକୁ ମନା କରିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବ । ଆପୋଷ ଆଲୋଚନା ପାଇଁ ବୈଠକରେ ସହମତି ହୋଇଛି । ବୈଠକରେ ଆଲୋଚନା ହୋଇଥିବା ପ୍ରସଙ୍ଗ ଗଣମାଧ୍ୟମ ପାଇଁ ନୁହେଁ ।
ସେପଟେ କଂଗ୍ରେସ ଓ ବିଜେଡି ସଦସ୍ୟ ଜନସାଧାରଣଙ୍କୁ ସବୁ କିଛି ଜଣାଇବାକୁ ଦାବି କରିଛନ୍ତି । ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଛନ୍ତି ଯେ ଆନ୍ତଃରାଜ୍ୟ ନଦୀ ଜଳ ବିବାଦକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଆପୋଷ ସମାଧାନ ହୋଇ ନାହିଁ । ଗତ ସରକାରରେ ଟ୍ରିବ୍ୟୁନାଲ ନିଷ୍ପତ୍ତି ଯଥାର୍ଥ ଥିଲା । ଆଲୋଚନାର ବିଷୟ ବସ୍ତୁ ରାଜ୍ୟବାସୀଙ୍କୁ ଜଣାଇବା ସହିତ ବିଶେଷଜ୍ଞମାନଙ୍କ ପରାମର୍ଶ ନେବାକୁ କହିଛନ୍ତି ।
କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି ଯେ ମହାନଦୀ ଓଡ଼ିଶାର ଜୀବନ ରେଖା । ଏହାର ସ୍ୱାର୍ଥ ଓ ସୁରକ୍ଷା ପାଇଁ ସମସ୍ତେ ମିଳି ମିଶି ଲଢ଼ିବା ଉଚିତ । ମହାନଦୀକୁ ନେଇ ଲଢେଇ କରୁଥିବା ସମସ୍ତ ସଂଗଠନକୁ ଏଥିରେ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି । ଆଲୋଚନାର ସମସ୍ତ ପ୍ରସଙ୍ଗ ରାଜ୍ୟବାସୀଙ୍କୁ ଅବଗତ କରାଯାଉ ।
ବୈଠକରେ କମିଟି ସଦସ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍, ମୁଖ୍ୟ ଶାସନ ସଚିବ ମନୋଜ ଆହୂଜା, ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ ।