ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ଜୟ ଢୋଲକିଆଙ୍କ ନାମକୁ ଚୂଡ଼ାନ୍ତ କରିସାରିଛି ଏବଂ ଏବେ ଖାଲି ବିଧିବଦ୍ଧ ଘୋଷଣା ବାକି ରହିଛି । ଆସନ୍ତାକାଲି ଜୟ ଢୋଲକିଆ ନାମାଙ୍କନ ଭରିବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ଏହା ପୂର୍ବରୁ ଜୟ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି । ଏହା ବସନ୍ତ ପଣ୍ଡାଙ୍କ ମାନଭଞ୍ଜନ ବୋଲି ମଧ୍ୟ କୁହାଯାଉଛି ।
ଜୟ ବିଜେପିରେ ଯୋଗ ଦେବା ପରେ ଦଳର ବରିଷ୍ଠ ନେତା ବସନ୍ତ ପଣ୍ଡାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହା ସହିତ ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ଭେଟିଛନ୍ତି । ଖରିଆର ରୋଡ୍ ଏନଏସି ଅଧ୍ୟକ୍ଷା ସୋନିଆ ଜୈନଙ୍କୁ ସାକ୍ଷାତ କରିଛନ୍ତି । ବସନ୍ତ ପଣ୍ଡାଙ୍କ ମାର୍ଗଦର୍ଶନ ଓ ଆଶୀର୍ବାଦରେ ତାଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ ବୋଲି କହିଛନ୍ତି ।
ତେବେ ଜୟ ବିଜେପିରେ ସାମିଲ ହେବା ନେଇ ବସନ୍ତ ପଣ୍ଡା ଟିକେ ଅସନ୍ତୁଷ୍ଟ ଥିଲେ ବୋଲି ଆଲୋଚନା ହେଉଥିଲା । କାରଣ ସେ ତାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଥିଲା । ଏହା ପରେ ବରିଷ୍ଠ ନେତୃବୃନ୍ଦଙ୍କ ସହିତ ଆଲୋଚନା ପରେ ବସନ୍ତ ପଣ୍ଡା ଦଳକୁ ଗୁରୁତ୍ୱ ଦେଇଥିଲେ ।
ଅପରପକ୍ଷରେ ଆସନ୍ତାକାଲି ଜୟ ନାମାଙ୍କନ ଭରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଗସ୍ତ କରି ଦଳର ଏକ ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ । ଜୟ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କରିବେ । ଏହା ସହିତ ଆସନ୍ତାକାଲି ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହେବ ।