ଭୁବନେଶ୍ୱର: ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ଅଚଳ ହୋଇଯାଇଛି । ବିରୋଧୀଙ୍କ ହୋହ୍ଲାଲା ଏବଂ ନାରାବାଜୀରେ ଗୃହ କାର୍ଯ୍ୟ ମାତ୍ର ୪ ମିନିଟ୍ ଚାଲି ପାରିଛି । ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
ଅଧିବେଶନର ଦ୍ୱିତୀୟ ଦିନର ପ୍ରଶ୍ନୋତ୍ତର କାଳରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀଙ୍କୁ ବାଚସ୍ପତି ଉତ୍ତର ରଖିବାକୁ ଡାକିଥିଲେ । ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖୁଥିବାବେଳେ ବିଜେଡ଼ି ସାର ଅଭାବ ପ୍ରସଙ୍ଗ ଉଠାଇଥିଲା । ବିରୋଧୀ ସଦସ୍ୟମାନେ ବ୍ୟାନର୍ ଏବଂ ପ୍ଲା କାର୍ଡ ଧରି ସିଧାସଳଖ ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଆସି ନାରାବାଜି କରିଥିଲେ । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ ।
ସେପଟେ ସାର ସଙ୍କଟକୁ ନେଇ କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଛନ୍ତି । କଂଗ୍ରେସ ଅଭିଯୋଗ କରିଛି ଯେ 'ରାଜ୍ୟର ଚାଷୀ ହନ୍ତସନ୍ତ, ରାଜ୍ୟ ସରକାର ଚୁପ୍' । ସାର କଳାବଜାରୀରେ ଦଲାଲ୍ ମାଲେମାଲ୍ ହେଉଥିବା ଅଭିଯୋଗ ହୋଇଛି ।
ବିଜେଡ଼ି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ରାଜ୍ୟରେ ସାର ପାଇଁ ଚାଷୀ ହନ୍ତସନ୍ତ ହେଉଛନ୍ତି । ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ୬୦ ପ୍ରତିଶତ ଚାଷୀଙ୍କ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରମିଳା ମଲ୍ଲିକ ଦାବି କରିଛନ୍ତି । ମାତ୍ର ୧୦-୧୫ ମିନିଟରେ ଆଲୋଚନା ସରିବ ନାହିଁ ବୋଲି ସେ କହିଛନ୍ତି ।
ବିଜେଡ଼ିର ପ୍ରତିବାଦ ଜବାବରେ ବିଜେପି ବିଧାୟକ ଅଗସ୍ତି ବେହେରା ପ୍ରଶ୍ନ କରିଛନ୍ତି ଯେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବା ବେଳେ ବିରୋଧୀ କାହିଁକି ହୋହାଲ୍ଲା କରି ଗୃହ ଅଚଳ କରିବାକୁ ଚେଷ୍ଟା କରୁଛି । କେବଳ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ବିଜେଡ଼ି ଓ କଂଗ୍ରେସ ଏଭଳି କରୁଛନ୍ତି । କେବଳ ଜାତୀୟ ସ୍ତରରେ ବିଜେପି ସରକାରକୁ ବଦନାମ କରିବାକୁ ଏହା ଏକ ଷଡ଼ଯନ୍ତ୍ର ।