କୋଲକାତା: ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଏକ ନାବାଳିକାକୁ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ତୃଣମୂଳ କଂଗ୍ରେସର ନେତା ଏବଂ ତାଙ୍କ ପୁଅକୁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ । ରାଣାଘାଟ ଅତିରିକ୍ତ ଜିଲ୍ଲା ଦୌରାଜଜ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ମଙ୍ଗଳବାର ଦଣ୍ଡାଦେଶ ଶୁଣାଇଛନ୍ତି ।
ଗତକାଲି ଜିଲ୍ଲା ଦୌରାଜଜ ୨୦୨୨ରେ ହଂସଖାଲିରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ସମସ୍ତ ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ଦୋଷୀମାନଙ୍କ ପାଇଁ ଦଣ୍ଡାଦେଶ ଶୁଣାଇଛନ୍ତି । ଘଟଣାର ପ୍ରାୟ ସାଢ଼େ ତିନି ବର୍ଷ ପରେ, ଜିଲ୍ଲା କୋର୍ଟ ତାଙ୍କର ରାୟ ଶୁଣାଇଛନ୍ତି, ତିନି ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସ୍ଥାନୀୟ ଟିଏମସି ନେତା ତୃଣମୂଳ କଂଗ୍ରେସ ନେତା ସମରେନ୍ଦ୍ର ଗୋଆଲିଙ୍କ ପୁଅ ବ୍ରଜଗୋପାଳ ଗୋଆଲି ଓରଫ୍ ସୋହେଲ, ପ୍ରଭାକର ପୋଦ୍ଦାର ଏବଂ ରଞ୍ଜିତ ମଲ୍ଲିକଙ୍କ ଆଜୀବନ କାରଦଣ୍ଡରେ ଦଣ୍ଡିତ କରାଯାଇଛି । ସେହିପରି ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ସମରେନ୍ଦ୍ର ଗୋଆଲି, ଦିପ୍ତ ଗୋଆଲି ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପାଞ୍ଚ ବର୍ଷ ଲେଖାଏଁ ଜେଲଦଣ୍ଡ ଦିଆଯାଇଛି। ସମରେନ୍ଦ୍ରଙ୍କ ଉପରେ ଘଟଣାରେ ସମ୍ପୃକ୍ତି ଏବଂ ପ୍ରମାଣ ନଷ୍ଟ କରିବାର ଅଭିଯୋଗ ଥିଲା। ପୀଡ଼ିତାଙ୍କ ପରିବାରକୁ ଭୟଭୀତ କରିବା, ମୃତଦେହକୁ ଶ୍ମଶାନକୁ ନେବାକୁ ବାଧ୍ୟ କରିବା ଏବଂ ଷଡ଼ଯନ୍ତ୍ରରେ ସାମିଲ ହେବା ଅଭିଯୋଗରେ ନାବାଳିକାଙ୍କ ପଡ଼ୋଶୀ ଅଂଶୁମାନ ବାଗଚିଙ୍କୁ ତିନି ବର୍ଷ ଜେଲଦଣ୍ଡ ଦିଆଯାଇଛି । ରିପୋର୍ଟ ଅନୁଯାୟୀ, ସମ୍ପୃକ୍ତ ନଅ ଜଣଙ୍କ ମଧ୍ୟରୁ ଦୁଇଜଣ ନାବାଳକ ଅଟନ୍ତି । ସେମାନଙ୍କୁ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କା ଜରିମାନା କରାଯାଇଛି । କୋର୍ଟ ତଦାରଖରେ ସେମାନଙ୍କୁ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
୪ ଏପ୍ରିଲ, ୨୦୨୨ରେ ନଦିଆ ଜିଲ୍ଲାର ହଂସଖାଲିରେ ଲୋମ ହର୍ଷଣକାରୀ ଗଣଦୁଷ୍କର୍ମ ଘଟିଥିଲା। ଜଣେ ଶାସକ ଦଳର ପଞ୍ଚାୟତ ନେତାଙ୍କ ପୁଅ ଜଣେ ୧୪ ବର୍ଷୀୟା ଝିଅକୁ ତାଙ୍କ ଜନ୍ମଦିନ ପାର୍ଟିକୁ ନିମନ୍ତ୍ରଣ କରିଥିଲେ । ଏହି ଜନ୍ମ ଦିନ ପାର୍ଟିରେ, ଝିଅଟି ଗଣଦୁଷ୍କର୍ମର ଶିକାର ହୋଇଥିଲା। ପୀଡ଼ିତାଟି ଗୁରୁତର ଆହତ ହୋଇଥିଲା ଏବଂ ପରଦିନ ତାଙ୍କର ମୃତ୍ୟୁ ହୋଇଥିଲା।