ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଆଦେଶର ଅବମାନନା ଏବଂ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ କଡ଼ା ଭର୍ତ୍ସନା ପରେ ଗ୍ରେଟର୍ ନୋଏଡ଼ାର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କକ୍ରୋଚ ଜନତା ପାର୍ଟିର ଛାତ୍ର ଆନ୍ଦୋଳନରେ ସାମିଲ ଥିବା ଆଇନ ଛାତ୍ରଙ୍କୁ ନୋଟିସ ପଠାଇବା ଅଭିଯୋଗରେ ମାଜିଷ୍ଟ୍ରେଟ ଆର କେ ସିସୋଦିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । କେନ୍ଦ୍ର ସରକାରଙ୍କ ସିଲିସିଟର୍ ଜେନେରାଲ ତୁଷାର ମେହେଟ୍ଟା ଗୁରୁବାର ସୁପ୍ରିମକୋର୍ଟଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ।
ଗତ ମାସ ତାରିଖରେ କକ୍ରୋଚ ଜନତା ପାର୍ଟିର ଛାତ୍ର ଆନ୍ଦୋଳନରେ ଦିଲ୍ଲୀ ଗୌତମ ବୁଦ୍ଧ ବିଶ୍ୱବିଦ୍ୟାଳୟର ଜଣେ ଆଇନ ଛାତ୍ର ଅକ୍ଷତ ତ୍ରିପାଠୀ ଆନ୍ଦୋଳନକାରୀଙ୍କୁ ଉସକାଇଥିବା ଦର୍ଶାଇ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ନୋଟିସ୍ ଜାରି କରିଥିଲେ । କିନ୍ତୁ ଏହା ପୂର୍ବରୁ ସୁପ୍ରିମକୋର୍ଟ ଦେଶ ବ୍ୟାପୀ ଛାତ୍ର ଆନ୍ଦୋଳନର ସମସ୍ତ ଏତଲା ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତଥାପି ମାଜିଷ୍ଟ୍ରେଟ୍ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁଅବମାନନା କରି ସେପ୍ଟେମ୍ବର ୪ ତାରିଖରେ ଛାତ୍ରଙ୍କୁ ୫ ଲକ୍ଷ ଟଙ୍କାର ବଣ୍ଡ ଓ ୨ ଜଣ ଜାମିନଦାରଙ୍କୁ ଉପସ୍ଥାପନ କରିବାକୁ ନୋଟିସ୍ ଜାରି କରିଥିଲେ । ଏ ନେଇ ଅକ୍ଷତ ତ୍ରିପାଠୀ ଅଭିଯୋଗ କରିଥିଲେ । ଗତକାଲି ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ବରିଷ୍ଠ ଓକିଲ ବିଶ୍ୱଜିତ ଭଟ୍ଟାଚାର୍ଯ୍ୟ ପ୍ରଧାନ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।