ପୁରୀ ଜିଲ୍ଲାର ଗୋପ ଏବଂ ନିମାପଡ଼ା ଅଞ୍ଚଳରେ ଚାଲିଥିବା ବେଆଇନ କାଠ କାରବାର ଉପରେ ବନ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ବନ ବିଭାଗର ଦୁଇଟି ସ୍ୱତନ୍ତ୍ର ଟିମ୍ ଏହି ଅଭିଯାନ ଚଳାଇ ଏକ ବେଆଇନ କାଠ ମିଲ୍ର ପର୍ଦ୍ଦାଫାଶ କରିଛନ୍ତି। ନିମାପଡ଼ା ଅଞ୍ଚଳରେ ଦୀର୍ଘ ଦିନ ଧରି କୌଣସି ବୈଧ ଅନୁମତି ବିନା ଏହି କାଠ ମିଲ୍ଟି ଚାଲୁଥିଲା। ବନ ବିଭାଗର ଅଧିକାରୀମାନେ ଅଚାନକ ସେଠାରେ ପହଞ୍ଚି ଚଢ଼ାଉ କରିବା ସମୟରେ ବିପୁଳ ପରିମାଣର କାଠ ଗଣ୍ଡି ଓ ପ୍ରସ୍ତୁତ କାଠ ଜବତ କରିଛନ୍ତି। ଏହା ସହିତ ମିଲ୍ରେ ବ୍ୟବହୃତ ହେଉଥିବା ଲକ୍ଷାଧିକ ଟଙ୍କାର କାଠ କଟା ମେସିନ୍ ଏବଂ ଯନ୍ତ୍ରାଂଶକୁ ମଧ୍ୟ ଜବତ କରାଯାଇଛି। କାଠ ଚୋରା ଚାଲାଣ ପାଇଁ ବ୍ୟବହୃତ ହେଉଥିବା ଏକ କାଠ ବୋଝେଇ ଟ୍ରାକ୍ଟରକୁ ମଧ୍ୟ ବନ ବିଭାଗ ନିଜ ହେପାଜତକୁ ନେଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ଅଞ୍ଚଳରେ ଏକ ବଡ଼ ଧରଣର ବେଆଇନ କାଠ ବ୍ୟବସାୟ ନେଟୱର୍କ ସକ୍ରିୟ ରହିଛି। ସ୍ଥାନୀୟ ବନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି କାଠ ସବୁ କେଉଁ ଜଙ୍ଗଲରୁ ଅଣାଯାଉଥିଲା ଏବଂ ଏହି ବ୍ୟବସାୟ ପଛରେ କେଉଁ ମାଫିଆମାନଙ୍କର ହାତ ରହିଛି, ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଚଢ଼ାଉ ପରେ ସମ୍ପୃକ୍ତ ଅଞ୍ଚଳର କାଠ ମାଫିଆଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।
ସ୍ଥାନୀୟ ବାସିନ୍ଦାମାନେ ବନ ବିଭାଗର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏହି ଅଭିଯାନ ଓଡ଼ିଶାରେ ଜଙ୍ଗଲ ସଂରକ୍ଷଣ ପ୍ରୟାସକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କାରଣ ଏହି ଅଞ୍ଚଳରେ ଦୀର୍ଘ ଦିନ ଧରି ବେଆଇନ କାଠ ବ୍ୟବସାୟ ବୃଦ୍ଧି ପାଉଥିବା ବେଳେ ଅବୈଧ କାଠ କାଟିବାକୁ ରୋକିବା ଦିଗରେ ଏବଂ ଜଙ୍ଗଲ ସମ୍ପଦକୁ ସୁରକ୍ଷା ଦେବା ପାଇଁ ବନବିଭାଗ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏପରି ଚଢାଉ ଜାରି ରହିବ।
ଅଧିକ ପଢନ୍ତୁ: OHRCରେ ପହଞ୍ଚିଲା ସାମ୍ବାଦିକା ଶିଲା ପଟ୍ଟନାୟକ ମୃତ୍ୟୁ ଘଟଣା, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି