ଭୁବନେଶ୍ୱର: ନୂତନ ନେତୃତ୍ୱ ସୃଷ୍ଟିକୁ ଭୟ କରି କ୍ୟାମ୍ପସ ଗଣତନ୍ତ୍ରକୁ ଅଣଦେଖା କରିବା ସହ ଯେଉଁ ଛାତ୍ରସମାଜ ରାଜ୍ୟର ଭାଗ୍ୟ ବଦଳାଇବାର ସାମର୍ଥ୍ୟ ରଖେ, ସେମାନଙ୍କୁ ନିଜ କ୍ୟାମ୍ପସର ପ୍ରତିନିଧି ବାଛିବାର ମୌଳିକ ଅଧିକାରରୁ ଦୂରେଇ ରଖିବା ଥିଲା ଓଡ଼ିଶାର ଯୁବଶକ୍ତି ସହ ସବୁଠାରୁ ବଡ଼ ପ୍ରତାରଣା। ଆଜି ଛାତ୍ର ସଂସଦ ନିର୍ବାଚନ ଘୋଷଣା ହେବା ପରେ ବିଜେଡ଼ିକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ଏକ ଔପଚାରିକତା ନୁହେଁ, ଯୁବପିଢ଼ିଙ୍କ ଗଣତାନ୍ତ୍ରିକ ଅଧିକାର ବୋଲି କହିଛନ୍ତି ମୋହନ ।
ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡ଼ିଆ ଏକ୍ସ (ପୂର୍ବର ଟ୍ୟୁଟର୍)ରେ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ ଏକ ଔପଚାରିକତା ନୁହେଁ; ଏହା ଆମ ଯୁବପିଢ଼ିଙ୍କ ଗଣତାନ୍ତ୍ରିକ ଅଧିକାର, ନିର୍ଭୀକ ମତପ୍ରକାଶ ଏବଂ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ । ଦୁର୍ଭାଗ୍ୟର ବିଷୟ, ୨୦୧୭ ମସିହା ପରଠାରୁ ଦୀର୍ଘ ବର୍ଷ ଧରି ପୂର୍ବ ସରକାର ବିଭିନ୍ନ ଆଳ ଦେଖାଇ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ ରଖିଥିଲେ। ନୂତନ ନେତୃତ୍ୱ ସୃଷ୍ଟିକୁ ଭୟ କରି କ୍ୟାମ୍ପସ ଗଣତନ୍ତ୍ରକୁ ଅଣଦେଖା କରିବା ସହ ଯେଉଁ ଛାତ୍ରସମାଜ ରାଜ୍ୟର ଭାଗ୍ୟ ବଦଳାଇବାର ସାମର୍ଥ୍ୟ ରଖେ, ସେମାନଙ୍କୁ ନିଜ କ୍ୟାମ୍ପସର ପ୍ରତିନିଧି ବାଛିବାର ମୌଳିକ ଅଧିକାରରୁ ଦୂରେଇ ରଖିବା ଥିଲା ଓଡ଼ିଶାର ଯୁବଶକ୍ତି ସହ ସବୁଠାରୁ ବଡ଼ ପ୍ରତାରଣା। କିନ୍ତୁ ଛାତ୍ର ସଂସଦ ନିର୍ବାଚନ କରେଇବୁ ବୋଲି ଆମେ ଆପଣମାନଙ୍କୁ କଥା ଦେଇଥିଲୁ ।
ନିର୍ବାଚନ ସମୟରେ ଆମେ ପ୍ରତିଶ୍ରୁତି ଦେଇଥିଲୁ ଯେ ଓଡ଼ିଶାର ଛାତ୍ରସମାଜ ଉପରେ ଆମର ପୂର୍ଣ୍ଣ ଆସ୍ଥା ଅଛି ଏବଂ କଲେଜ-ବିଶ୍ୱବିଦ୍ୟାଳୟରେ ଗଣତାନ୍ତ୍ରିକ ବାତାବରଣ ନିଶ୍ଚୟ ଫେରିବ। ଆଜି ଆମେ ଯାହା କଥା ଦେଇଥିଲୁ, ତାହା କାର୍ଯ୍ୟରେ ପ୍ରମାଣିତ କରି ଦେଖାଇଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ଆସନ୍ତା ଅକ୍ଟୋବର ୧୫ ତାରିଖରେ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଯୁବପିଢ଼ି ହିଁ ହେଉଛନ୍ତି ସମୃଦ୍ଧ ତଥା ବିକଶିତ ଓଡ଼ିଶାର କର୍ଣ୍ଣଧାର। ଆପଣମାନଙ୍କ ଚିନ୍ତା, ଦୃଷ୍ଟିକୋଣ ଓ ନେତୃତ୍ୱ ଦକ୍ଷତାକୁ ଏକ ନୂଆ ଦିଗ ଦେବା ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ସମସ୍ତ ଛାତ୍ରଛାତ୍ରୀ ସମ୍ପୂର୍ଣ୍ଣ ଶାନ୍ତି, ଶୃଙ୍ଖଳା, ଶାଳୀନତା ଓ ଗଣତାନ୍ତ୍ରିକ ଉତ୍ସାହର ସହ ଏହି ପ୍ରକ୍ରିୟାରେ ସାମିଲ ହୋଇ ନିଜ ମତାଧିକାର ସାବ୍ୟସ୍ତ କରିବା ସହ ନିଜ ଶିକ୍ଷାନୁଷ୍ଠାନ ତଥା ରାଜ୍ୟର ବିକାଶରେ ସକ୍ରିୟ ଭାଗୀଦାର ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୭ ତାରିଖରେ ଆସିବ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ୯ ତାରିଖରେ ନାମାଙ୍କନ ଦାଖଲ ଏବଂ ୧୦ ଅପରାହ୍ନ ୧ଟା ଭିତରେ ନାମାଙ୍କନ ପ୍ରତ୍ୟାହାର, ୩ଟାରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ୧୪ ତାରିଖରେ ଅନୁଷ୍ଠିତ ହେବ ‘ହ୍ବାଏ ଆଇ ଷ୍ଟାଣ୍ଡ୍ ଫର୍’ ମିଟିଂ। ଏହାପରେ ଅକ୍ଟୋବର ୧୫ ତାରିଖରେ କ୍ୟାମ୍ପସରେ ଭୋଟ୍ ଗ୍ରହଣ ହେବ। ନିର୍ବାଚନ ପରେ ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଦଶହରା ଛୁଟି ଆରମ୍ଭ ହେବା ପୂର୍ବରୁ ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ। ଅକ୍ଟୋବର ୧୫ ତାରିଖରେ ସାରା ରାଜ୍ୟରେ ଏକାସାଙ୍ଗରେ ଭୋଟ୍ ଗ୍ରହଣ କରାଯିବ।