ନୂଆଦିଲ୍ଲୀ: ସବୁବେଳେ ଭାରତକୁ କଡ଼ା ଶାଣିତ ସ୍ୱରରେ ଆକ୍ଷେପ କରୁଥିବା ପାକିସ୍ତାନର ପୂର୍ବତନ ମନ୍ତ୍ରୀ ବିଲାବଲ ଭୁଟ୍ଟୋ ଶେଷରେ ନରମିଛନ୍ତି । ଭାରତର ମୋଷ୍ଟ୍ ୱାଣ୍ଟେଡ୍ ତାଲିକାରେ ଥିବା ଦୁଇ ଆତଙ୍କାବଦୀ ଲକ୍ସର-ଏ-ତୌଏବା (ଏଲଇଟି) ମୁଖ୍ୟ ହାଫିଜ ସଈଦ ଏବଂ ଜୈଶ-ଏ-ମହମ୍ମଦ (ଜେଇଏମ୍) ପ୍ରମୁଖ ମସୁଦ ଅଜହରକୁ ହସ୍ତାନ୍ତର କରିବ ପାକିସ୍ତାନ । ଏକ ସାକ୍ଷାତକାରରେ ଏପରି କହିଛନ୍ତି ବିଲାବଲ ଭୁଟ୍ଟୋ ।
ପହଲଗାମ ଆକ୍ରମଣ ପରେ ଭାରତ ସିନ୍ଧୁ ନଦୀ ଚୁକ୍ତି ବାତିଲ କରିବା ପରେ ବିଚଳିତ ହୋଇପଡ଼ିଛି ପାକିସ୍ତାନ । ମୁହଁ ଟାଣ କରୁଥିବା ପାକିସ୍ତାନ ଏବେ ପାଣି ପାଇଁ ହାହାକାର ଡାକୁଛି । ଧିରେ ଧିରେ ମୁଣ୍ଡ ନୁଆଁଇବା ଆରମ୍ଭ କରିଛି ପଡ଼ୋଶୀ ରାଷ୍ଟ୍ର । ଏକ ସାକ୍ଷାତକାରରେ ବିଲାବଲ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଆତଙ୍କାବାଦ ପ୍ରସଙ୍ଗ ଉପରେ ପାକିସ୍ତାନ ବିରୋଧ କରିବ ନାହିଁ ବୋଲି ଆଶା ରହିଛି । ରାଷ୍ଟ୍ରୀୟ ଆତଙ୍କବାଦ ନିରୋଧକ ପ୍ରାଧିକରଣ (ନୈକ୍ଟା) ଅନୁସାରେ ଏଲ୍ଇଟି ଏବଂ ଜେଏମକୁ ପାକିସ୍ତାନ ପ୍ରତିବନ୍ଧିତ କରି ରଖିଛି । ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରାକରୀ ହାଫିଜ ସଈଦ ବର୍ତ୍ତମାନ ୩୩ ବର୍ଷର ସଜା କାଟୁଛି । ସେହିପରି ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ଘୋଷିତ ଆତଙ୍କାବାଦୀ ଅଜହରକୁ ମଧ୍ୟ ପ୍ରତିବନ୍ଧିତ ହୋଇ ରହିଛି ।
ବିଲାୱାଲ କହିଛନ୍ତି ଯେ ଏହି ପାକିସ୍ତାନ ବିରୋଧରେ ଆତଙ୍କବାଦକୁ ପାଣ୍ଠି ଯୋଗାଇବା ମାମଲାଗୁଡ଼ିକ ବିଚାରଧୀନ ରହିଛି । ଦିଲ୍ଲୀ ପକ୍ଷରୁ ମୌଳିକ କଥାଗୁଡ଼ିକ "ପାଳନ ନ କରିବା" ଯୋଗୁଁ ସୀମାପାର ଆତଙ୍କବାଦ ପାଇଁ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା କଷ୍ଟକର । ଭାରତ କିଛି ମୌଳିକ କଥା ଅନୁସରଣ କରିବାକୁ ମନା କରୁଛି । ଯଦି ଭାରତ ସହଯୋଗ କରିବ ତେବେ କୌଣସି ବି ବ୍ୟକ୍ତିଙ୍କୁ ପ୍ରତ୍ୟାର୍ପଣ କରିବାରେ କୌଣସି ସମସ୍ୟା ରହିବ ନାହିଁ ।
ତେବେ ସଈଦ ଏବଂ ଅଜହର ବର୍ତ୍ତମାନ କେଉଁଠି ଅଛନ୍ତି ପ୍ରଶ୍ନରେ ସେ କହିଛନ୍ତି, ସଈଦ ଜେଲରେ ରହିଥିବାବେଳେ ଅଜହର ଆଫଗାନିସ୍ତାନରେ ଅଛି ।