କେନ୍ଦ୍ରାପଡା: ଆସନ୍ତାକାଲି ଠୁ ୩ ଦିନ ଧରି ବନ୍ଦ ରହିବ ଭିତରକନିକା। କୁମ୍ଭୀର ଗଣନା ପାଇଁ ପର୍ଯ୍ୟଟକଙ୍କୁ ଭିତରକନିକା ମନା। ଭିତରକନିକାରେ ୮ରୁ ୧୦ ତାରିଖ ଯାଏଁ ଚାଲିବ କୁମ୍ଭୀର ଗଣନା କାର୍ଯ୍ୟ। ଗଣନା ସମୟରେ ନଦୀରେ ବୋଟ ଚଳାଚଳ କଲେ କୁମ୍ଭୀର ଗଣନାରେ ବାଧା ସୃଷ୍ଟି ଯୋଗୁଁ ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ବନ୍ଦ ରହିଥାଏ। ଏହି ସମୟରେ ପର୍ଯ୍ୟଟକ ମାନଙ୍କୁ ଭିତରକନିକା ବୁଲି ନଯିବାକୁ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ସାତକୋଶିଆରେ ବି କୁମ୍ଭୀର ଗଣନା ଆରମ୍ଭ ହୋଇଛି। ମହାନଦୀ ସାତକୋଶିଆ ଗଣ୍ଡରେ କେତେ ଅଛନ୍ତି କୁମ୍ଭୀର, ଏହାର ଗଣନା ଚାଲିଛି। ୩ ଦିନ ଧରି ଚାଲିବ ଏହି ଗଣନା କାର୍ଯ୍ୟ। ଏଥିପାଇଁ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ, ମହାନଦୀ ଓ ଆଠମଲ୍ଲିର ବନଖଣ୍ଡରେ ମୋଟ ୧୪ଟି ଟିମ୍ ଗଠନ କରାଯାଇଛି। ପ୍ରତି ଟିମରେ ୪ରୁ ୫ଜଣ ଲେଖାଏଁ ମୋଟ ୭୦ ବନ କର୍ମଚାରୀ ଓ ଗବେଷଣା କରୁଥିବା ବ୍ୟକ୍ତି ଗଣନା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ୧୨ଟି ଦେଶୀ ଡଙ୍ଗା ଓ ୨ଟି ବୋଟ୍, ଶକ୍ତିଶାଳୀ କ୍ୟାମେରା, ବାଇନାକୁଲର ସାହାଯ୍ୟରେ ଗଣନା ଚାଲିଛି। ଗତବର୍ଷ ମହାନଦୀ ଗଣ୍ଡରେ ମୋଟ ୧୧୫ଟି କୁମ୍ଭୀର ରହିଥିଲେ। ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ବନ ବିଭାଗ ପକ୍ଷରୁ ନଦୀକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। କୁମ୍ଭୀର ଗଣନା ପାଇଁ ମହାନଦୀର ସାତକୋଶିଆ ଗଣ୍ଡ ଓ ଶିଶୁପଥର ଡ୍ୟାମରେ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି।
ଅଧିକ ପଢନ୍ତୁ: ସବୁଠି ପାରଦ ତଳମୁହାଁ: ଭୁବନେଶ୍ୱରରେ ୭ ଡିଗ୍ରୀ ତଳକୁ ଖସିଲା ପାରଦ