ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ରାସ୍ତା ଓ ଗୃହ ଉପବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କ ବିଭିନ୍ନ ଠିକଣାରେ ଆଜି ଏକକାଳୀନ ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ । ମୟୂରଭଞ୍ଜ, ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାର ମୋଟ ୧୦ଟି ସ୍ଥାନରେ ଏକକାଳୀନ ତଲାସି ଚାଲିଛି।
ବାରିପଦା ଭିଜିଲାନ୍ସର ସ୍ୱତନ୍ତ୍ର ଅଦାଲତଙ୍କ ତଲାସି ୱାରେଣ୍ଟ ବଳରେ ୫ ଜଣ ଡିଏସ୍ପି, ୮ ଜଣ ଇନ୍ସପେକ୍ଟର ଓ ଅନ୍ୟ ସହଯୋଗୀ କର୍ମଚାରୀଙ୍କୁ ନେଇ ଏହି ଚଢ଼ାଉ ଚାଲିଛି। ବାଲେଶ୍ୱର ଅଙ୍ଗାରଗଡ଼ିଆସ୍ଥିତ ତିନି ମହଲା ଘର, ଖୋର୍ଦ୍ଧା ବାଲିଅନ୍ତାସ୍ଥିତ ଦୁଇ ମହଲା କୋଠା, ବେତନଟୀସ୍ଥିତ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ ହୋଇଛି। ସେହିପରି ବାଲେଶ୍ୱର ଜଳେଶ୍ୱର ଅଞ୍ଚଳର ରାୟନ-ରାମଚନ୍ଦ୍ରପୁରସ୍ଥିତ ପୈତୃକ ଘର, ବସନ୍ତପୁରସ୍ଥିତ ଫାର୍ମ ହାଉସ୍, ବାମପଦାସ୍ଥିତ ଅନ୍ୟ ଏକ ଘର ସମେତ ତାଙ୍କର ନିକଟ ସହଯୋଗୀଙ୍କ ଅଙ୍ଗାରଗଡ଼ିଆ, ବୈଶିଙ୍ଗା ଓ ବାମପଦାସ୍ଥିତ ଘରେ ମଧ୍ୟ ତଲାସି ଜାରି ରହିଛି।
ତେବେ ଚଢ଼ାଉ ସମୟରେ କେତେ ପରିମାଣର ସମ୍ପତ୍ତି, ନଗଦ ଟଙ୍କା କିମ୍ବା ଅନ୍ୟାନ୍ୟ ଦସ୍ତାବିଜ ଠାବ ହୋଇଛି, ସେନେଇ ଭିଜିଲାନ୍ସ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ସବିଶେଷ ତଥ୍ୟ ପ୍ରକାଶ କରାଯାଇନାହିଁ । ତଲାସି ଜାରି ରହିଥିବା ବେଳେ ଭିଜିଲାନ୍ସର ପରବର୍ତ୍ତୀ ରିପୋର୍ଟକୁ ଅପେକ୍ଷା କରାଯାଇଛି ।