ପୁରୀ: ଆଜି ହେଉଛି ପବିତ୍ର ଦୋଳପୂର୍ଣ୍ଣିମା । ଏହି ଅବସରରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଦୋଳବେଦୀରେ ବୀଜେ କରିଛନ୍ତି । ଆଜି ଭଗବାନ ଭକ୍ତଙ୍କ ଗହଣରେ ହୋଲି ଖେଳିବେ । ଏଥିପାଇଁ ପ୍ରବଳ ଭକ୍ତଙ୍କ ଭିଡ଼ ହୋଇଛି । ପ୍ରବଳ ଭକ୍ତଙ୍କ ସମାଗମରୁ ଠେଲାପେଲା ହୋଇଛି ।
ସକାଳ ୫ଟା ୪୫ରେ ନାଭିକଟା ମଣ୍ଡପରେ ପୂଜାର୍ଚନା ପରେ ବିମାନଙ୍କୁ ବିଜେ କରିଥିଲେ ଚଳନ୍ତି ପ୍ରତିମା। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ ହୋଇଥିବାବେଳେ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀୟୁଙ୍କର ଅନୁଷ୍ଠିତ ହେବ ସୁନାବେଶ। ଗ୍ରହଣ ପଡୁଥିବାରୁ ଦିନ ପରିବର୍ତ୍ତେ ରାତିରେ ମହଣମହଣ ସୁନା ଅଳଙ୍କାରରେ ମହାପ୍ରଭୁ ବିଭୂଷିତ ହୋଇ ରାତି ତମାମ୍ ଭକ୍ତଙ୍କୁ ଦର୍ଶନ ଦେବେ। ସେପଟେ ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ଦୋଳବେଦୀକୁ ବିଜେ କରିବା ସହ ଭକ୍ତଙ୍କ ସହିତ ଅବିର ଓ ଫଗୁ ଖେଳିଛନ୍ତି । ତେବେ ଆଜି ପବିତ୍ର ଦୋଳପୂର୍ଣ୍ନିମା ଅବସରରେ କେତୁଗ୍ରସ୍ତ ଗ୍ରସ୍ତୋଦୟ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ଅନେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ଅନ୍ୟପଟେ ଆଜି ଦୋଳପୂର୍ଣ୍ନିମାରେ ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ଆରମ୍ଭ ହୋଇ ସଂଧ୍ୟା ୬ଟା ୪୭ ମିନିଟ୍ ୧୩ ସେକେଣ୍ଡରେ ସର୍ବମୋକ୍ଷ ହେବ। ତେବେ ଗ୍ରହଣ ସ୍ପର୍ଶ ହେଲେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଆରମ୍ଭ ହେବ। ତେବେ ନୀତିନିର୍ଘଣ୍ଟ ମୁତାବକ ଗତକାଲି ଖୁବଶୀଘ୍ର ପହୁଡ ହୋଇଥିବା ବେଳେ ରାତି ୧୨.୩୯ରେ ଦ୍ଵାରଫିଟା,୧ଟା ୪୫ରେ ମଙ୍ଗଳଆରତି, ଭୋର ୨ଟା ୩୦ ରେ ଅବକାଶ, ୪ ଟାରେ ଖଇକୋରା ଭୋଗ, ୪ଟା.୧୫ରେ ନାଭିକଟା ମଣ୍ଡପକୁ ବିଜେ,ସକାଳ ୫ଟା ୩୫ରେ ଟାରେ ଦିଅଁ ବିମାନକୁ ବିଜେ ନୀତି ପରେ ତଡପ ଲାଗି ହୋଇ ନୀତି ସ୍ଥଗିତ ରହିଛି ।
ଦୋଳବେଦୀରେ ଠାକୁରଙ୍କ ପ୍ରବେଶ ସମୟରେ ଭକ୍ତମାନଙ୍କ ମଧ୍ୟରେ ପେଲାଠେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । କିଛି ମହିଳା ଓ କିଛି ପୁରୁଷ ଭକ୍ତ ତଳେ ପଡିଯାଇଥିଲେ। ଉପସ୍ଥିତ ସୁରକ୍ଷାକର୍ମୀ ଏବଂ ସେବାୟତମାନେ ତଳେ ପଡିଯାଇଥିବା ଭକ୍ତମାନଙ୍କୁ ଉଦ୍ଧାର କରିଛନ୍ତି । ତେବେ ଦୁଇରୁ ତିନି ଜଣ ଭକ୍ତ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି ।
ତେବେ ଏହାକୁ ନେଇ ପୁରୀ ଏସପି ପ୍ରତୀକ ସିଂ ପ୍ରତିକ୍ରିୟା ରଖିଛନ୍ତି। ପୁରୀ ଏସପି କହିଛନ୍ତି ଦୋଳପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କର ଚଳନ୍ତି ବିଗ୍ରହ ଦୋଳବେଦୀକୁ ବିଜେ କରିଥିଲେ। ସେହି ସମୟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ମଧ୍ୟ ହୋଇଥିଲା। ସେବାୟତ ମାନେ ଦୋଳବେଦୀ କୁ ଆସିବା ସମୟରେ କିଛି ଶ୍ରଦ୍ଧାଳୁ ଜୋରଜବରଦସ୍ତ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ। କିଛି ଶ୍ରଦ୍ଧାଳୁ ନିୟନ୍ତ୍ରଣ ହରାଇ ତଳେ ପଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ତଳେ ପଡ଼ି ଯାଇଥିବା ଶ୍ରଦ୍ଧାଳୁମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏଥିରେ କେହି ଆହତ ମଧ୍ୟ ହୋଇନାହାନ୍ତି। ଆଜି ଦୋଳବେଦୀରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ବରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।