ନୂଆଦିଲ୍ଲୀ: ଜଷ୍ଟିସ ଯଶବନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ନେଇ ସମସ୍ତ ଦଳ ଏକମତ ଅଛନ୍ତି । ଶୁକ୍ରବାର ଏହା କହିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ସମସ୍ତ ପାର୍ଟି ସହ ଆଲୋଚନା ଜାରି ରହିଛି । ଭିନ୍ନ ଭିନ୍ନ ଦଳର ସାଂସଦ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରୟାସରେ କଂଗ୍ରେସର ସାଂସଦ ମଧ୍ୟ ସାମିଲ । ରିଜିଜୁ କହିଛନ୍ତି ଯେ, ନ୍ୟାୟପାଳିକାରେ ଦୁର୍ନୀତି ମାମଲା ବହୁତ ଗମ୍ଭୀର ଓ ଚିନ୍ତାଜନକ ।
ସୂଚନାଯୋଗ୍ୟ, ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ତତ୍କାଳୀନ ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ସରକାରୀ ବାସଭବନର ଏକ ଷ୍ଟୋରରୁ ମାର୍ଚ୍ଚ ୧୪ ତାରିଖ ରାତିରେ ୫୦୦ କୋଟି ଟଙ୍କାର ଶହେ ଟଙ୍କିଆ ନୋଟ୍ ଓ ପୋଡା ନୋଟରେ ଭର୍ତ୍ତି ଗାଡି ମିଳିଥିଲା । ଜଷ୍ଟିସ ବର୍ମା ଏହି ମାମଲାରେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି । ହେଲେ ସୁପ୍ରିମକୋର୍ଟର ଆଭ୍ୟନ୍ତରୀଣ ଯାଞ୍ଚ କମିଟି ତାଙ୍କ ବିରୋଧରେ ମହାଭିଯୋଗ ଚଲାଇବା ପାଇଁ ସୁପାରିଶ କରିଛନ୍ତି ।
ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ମୁଁ ବିଭିନ୍ନ ରାଜନୈତିକ ଦଳଗୁଡିକର ସମସ୍ତ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛି । ମୁଁ ଏକମାତ୍ର ସାଂସଦ ଥିବା ଦଳଗୁଡିକ ସହ ମଧ୍ୟ ଯୋଗାଯୋଗ କରିବି, କାରଣ ମୁଁ କୌଣସି ସଦସ୍ୟଙ୍କୁ ଅଣଦେଖା କରିବାକୁ ଚାହୁଁନି । ଯାହା ଫଳରେ ସଂସଦରେ ଏକ ମିଳିତ ରାୟ ସାମ୍ନାକୁ ଆସିବ । ସେ ଜୋର ଦେଇ କହିଛନ୍ତି ଯେ, ଜଷ୍ଟିସ ବର୍ମାଙ୍କୁ ହଟାଇବା ପ୍ରସ୍ତାବ ସରକାର ନୁହେଁ ବରଂ ବିଭିନ୍ନ ରାଜନୈତିକ ଦଳ ଗୁଡିକ ପକ୍ଷରୁ ଦିଆଯାଇଛି । ଏଥିରେ କଂଗ୍ରେସର ସାଂସଦ ମଧ୍ୟ ସାମିଲ ।