ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ଟିମ୍ ଟି-୨୦ ବିଶ୍ୱକପ ୨୦୨୬ରେ ନିଜର ଶେଷ ମ୍ୟାଚ୍ ମାର୍ଚ୍ଚ ୧ ତାରିଖ ଖେଳିଥିଲା । ଦଳ ଭାରତଠୁ ହାରି ବିଶ୍ୱକପରୁ ବିଦା ହୋଇଛି । ଏହା ପରେ ଖେଳାଳିଙ୍କୁ ନିଜ ଦେଶକୁ ଫେରିବାର ଥିଲା । ମାତ୍ର ଭାରତରେ ଫସି ରହିଛନ୍ତି ୱେଷ୍ଟଇଣ୍ଡିଜ ଖେଳାଳି । କାରଣ ଆମେରିକା ଓ ଇସ୍ରାଏଲ ଇରାନ ଉପରେ ହମଲା କରିବା ପରେ ଅନ୍ତର୍ଜାତୀୟ ବାୟୁ କ୍ଷେତ୍ରରେ କଟକଣା ଲାଗିଛି । ଏହି କାରଣରୁ ଇଣ୍ଡିଜ ଟିମ୍ ଭାରତରେ ଫସିଥିଲା ।
କ୍ରିକେଟ୍ ୱେଷ୍ଟଇଣ୍ଡିଜ କହିଛି, ତାଙ୍କ ଖେଳାଳିଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ଆଇସିସି ଓ ସମ୍ବନ୍ଧିତ ଅଧିକାରୀ ମିଶି କାମ କରୁଛନ୍ତି । ମଧ୍ୟପ୍ରାଚ୍ୟରେ ବାୟୁ କ୍ଷେତ୍ର ବର୍ତ୍ତମାନ ନିଲମ୍ବନ କରାଯାଇଛି । ଇରାନର ମିସାଇଲ ମାଡରେ ଦୁବାଇର ଅନ୍ତର୍ଜାତୀୟ ବିମାନ ବନ୍ଦର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଦୁବାଇ ବିମାନ ବନ୍ଦର ଦୁନିଆର ସବୁଠୁ ବ୍ୟସ୍ତବହୁଳ ବିମାନ ବନ୍ଦରରୁ ଗୋଟିଏ ।
କ୍ରିକେଟ୍ ୱେଷ୍ଟଇଣ୍ଡିଜ ବ୍ୟତୀତ ଜିମ୍ବାୱେର ଖେଳାଳି ମଧ୍ୟ ଏହି କାରଣରୁ ଭାରତରେ ଫସି ରହିଛି । ଦଳର ଖେଳାଳି ଏବେ ଦିଲ୍ଲୀରେ ଅଛନ୍ତି । ଖେଳାଳିଙ୍କୁ ସ୍ୱଦେଶ ନେବା ପାଇଁ ନୂଆ ବ୍ୟବସ୍ଥା କରାଯାଉଛି । ଜିମ୍ବାୱେ କ୍ରିକେଟ୍ ଏକ୍ସରେ କହିଛି ଯେ, ଟିମକୁ ଦୁବାଇ ରାସ୍ତା ଦେଇ ସ୍ୱଦେଶ ଫେରିବାର ଥିଲା । ମାତ୍ର ମଧ୍ୟପ୍ରାଚ୍ୟରେ ବଦଳୁଥିବା ସ୍ଥିତି କାରନରୁ ପ୍ରମୁଖ ମାର୍ଗ ବାଧିତ ହୋଇଛି । ଆଇସିସି ବିକଳ୍ପ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଅନ୍ତର୍ଜାତୀୟ ଏୟାରଲାଇନ୍ସ ସହିତ କାମ କରୁଛନ୍ତି ।
ଜିମ୍ବାୱେ ଓ ୱେଷ୍ଟଇଣ୍ଡିଜ କ୍ରିକେଟ୍ ବୋର୍ଡ ଲଗାତାର ଆଇସିସିର ଯୋଗାଯୋଗରେ ଅଛନ୍ତି । ସ୍ଥିତିରେ ସୁଧାର ଆସିବା କିମ୍ବା ଅନ୍ୟ ମାର୍ଗ ଦେଇ ଖେଳାଳିଙ୍କୁ ସ୍ୱଦେଶ ଫେରିବା ପାଇଁ ଅଲଗା ବ୍ୟବସ୍ଥା କରାଯାଉଛି ।