ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ହଲଚଲ। ବିଜେଡ଼ିର ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ଓ ବିଜେଡ଼ି ଯୁବ ନେତା ଅମିତ୍ ମଲ୍ଲିକଙ୍କ ସହ ସମ୍ପର୍କିତ ବିଭିନ୍ନ ବ୍ୟବସାୟିକ କେନ୍ଦ୍ରରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଭଦ୍ରକ, ପୁରୀ ଓ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ଏହି ରେଡ୍ ଚାଲିଥିବା ସୂଚନା ମିଳିଛି।
ବିଜେଡ଼ି ନେତାଙ୍କ ବ୍ୟବସାୟ କେନ୍ଦ୍ରରେ ଚଢ଼ାଉ
ସୂଚନା ଅନୁସାରେ, ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ହିରୋ ସୋରୁମ୍ ସମେତ ଅନ୍ୟାନ୍ୟ ବ୍ୟବସାୟିକ ସଂସ୍ଥାରେ ଭିଜିଲାନ୍ସ ଅଧିକାରୀମାନେ ତଲାଶି ଚାଲାଇଛନ୍ତି। ଏହାସହିତ ଏକ ଗଣମାଧ୍ୟମ ସଂସ୍ଥାର ବୋର୍ଡ କମିଟିରେ ସଞ୍ଜୀବ ମଲ୍ଲିକ ଓ ଅମିତ୍ ମଲ୍ଲିକ ଥିବାରୁ ସେହି ସଂସ୍ଥାରେ ମଧ୍ୟ ଭିଜିଲାନ୍ସ ରେଡ୍ କରାଯାଇଥିବା ଜଣାପଡ଼ିଛି।
ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ ବେଳେ ବିଭିନ୍ନ ଦଳିଲପତ୍ର ଓ ଆର୍ଥିକ ନେଣଦେଣ ସମ୍ପର୍କିତ ତଥ୍ୟ ଯାଞ୍ଚ କରୁଥିବା ସୂଚନା ମିଳିଛି। ତେବେ ଏହି ଚଢ଼ାଉ ସମ୍ପର୍କରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ଅଧିକୃତ ଭାବେ କୌଣସି ବିସ୍ତୃତ ସୂଚନା ଜାରି କରାଯାଇନାହିଁ।
ରାଜ୍ୟସଭା ନିର୍ବାଚନ ପୂର୍ବରୁ ଭିଜିଲାନ୍ସର ଆକ୍ସନ
ଏପଟେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଏଭଳି ଭିଜିଲାନ୍ସ ରେଡ୍ ରାଜ୍ୟର ରାଜନୈତିକ ମହଳରେ ଚର୍ଚ୍ଚା ଓ ହଲଚଲ ସୃଷ୍ଟି କରିଛି। ଘଟଣାକୁ ନେଇ ରାଜନୀତିକ ପରିବେଶ ସରଗରମ ହୋଇଉଠିଥିବା ବେଳେ ତଦନ୍ତ ଜାରି ରହିଛି।
ଅଧିକ ପଢନ୍ତୁ : ଲାଞ୍ଚ ନେଇ ଗିରଫ ହେଲେ ପୋଲିସ ବାବୁ; ଢାବା ମାଲିକଙ୍କଠାରୁ ୨୫ ହଜାର ଟଙ୍କା ନେଉଥିବା ASIଙ୍କୁ ଧରିଲା ଭିଜିଲାନ୍ସ