ଜବଲପୁର: ମଧ୍ୟପ୍ରଦେଶର ବହୁ ଚର୍ଚ୍ଚିତ ତ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦୀର୍ଘ ଦିନ ଧରି ଫରାର ଥିବା ତ୍ୱିଶାଙ୍କ ସ୍ୱାମୀ ସମର୍ଥ ସିଂ ଶୁକ୍ରବାର ଦିନ ଜବଲପୁର ଜିଲ୍ଲା ଅଦାଲତରେ ଆତ୍ମସମର୍ପଣ କରିବା ପାଇଁ ପହଞ୍ଚିଥିଲା। ହେଲେ କୋର୍ଟରୁ ତାଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ। ଜବଲପୁର ଜିଲ୍ଲା ଜଜ୍ ସମର୍ଥକୁ ଜବଲପୁର ବଦଳରେ ଭୋପାଳ କୋର୍ଟରେ ଆତ୍ମସମର୍ପଣ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ମେ ୧୨ ତାରିଖ ରାତିରେ ଭୋପାଳରେ ରହୁଥିବା ତ୍ୱିଶା ଶର୍ମାଙ୍କର ରହସ୍ୟଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରଠାରୁ ହିଁ ସ୍ୱାମୀ ସମର୍ଥ ସିଂ ଫେରାର ଥିଲା। ତ୍ୱିଶାଙ୍କ ପରିବାର ଲୋକେ ସମର୍ଥଙ୍କ ବିରୋଧରେ ନିର୍ଯାତନା ଓ ହତ୍ୟା ଭଳି ଅନେକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।
ପୋଲିସ ଘୋଷଣା କରିଥିଲା ୩୦ ହଜାରର ପୁରସ୍କାର
ତ୍ୱିଶାଙ୍କ ମୃତ୍ୟୁ ପରେ ଭୋପାଳ ପୋଲିସ ସମର୍ଥ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ସମର୍ଥ ଲଗାତାର ନିଜର ସ୍ଥାନ ବଦଳାଇ ପୋଲିସ ଆଖିରେ ଧୂଳି ଦେଇ ଫେରାର ରହିଥିଲା। ତାଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ୩୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯିବା ସହ ଦେଶ ବାହାରକୁ ପଳାଇବା ଭୟରେ ଲୁକ୍ଆଉଟ୍ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା। ପୋଲିସ ଚାପ ବଢ଼ିବା ପରେ ସମର୍ଥ ନିଜର ଅଗ୍ରୀମ ଜାମିନ ଆବେଦନକୁ ପ୍ରତ୍ୟାହାର କରିନେଇଥିଲେ ଏବଂ ଶେଷରେ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲେ।
ଏବେ ଭୋପାଳ ପୋଲିସ କରିବ ଜେରା
ଜବଲପୁର କୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ସମର୍ଥ ସିଂକୁ ଭୋପାଳ କୋର୍ଟରେ ହିଁ ଆତ୍ମସମର୍ପଣ କରିବାକୁ ପଡ଼ିବ। ସେ ସେଠାରେ ସରେଣ୍ଡର କରିବା ପରେ ଭୋପାଳର କଟାରା ହିଲ୍ସ ଥାନା ପୋଲିସ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ।
Also Read: ଉମର ଖାଲିଦଙ୍କୁ ଦିଲ୍ଲୀ ହାଇକୋର୍ଟ ଦେଲେ ୩ ଦିନର ଅନ୍ତରୀଣ ଜାମିନ, ରଖିଲେ ୩ ସର୍ତ୍ତ