ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଦୁର୍ଲଭ ପଦ୍ମବେଶ। ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ। ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଏହି ନୀତି ଅନୁଷ୍ଠିତ ହୋଇଥାଏ । କାଳିଆ ସାଆନ୍ତ ଙ୍କ ସହ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ବି ପଦ୍ମଫୁଲରେ ସଜ୍ଜିତ ହୋଇ ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଆଜି ସଂଧ୍ୟାଧୂପ ପରେ ଶ୍ରୀମନ୍ଦିରକୁ ପ୍ରସ୍ତୁତ ପଦ୍ମବେଶ ବିଜେ କରିବ । ବଡସିଂହାର ବେଶରେ ଏହା ମହାପ୍ରଭୁଙ୍କୁ ଲାଗି ହେବ । ଏନେଇ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ ହୋଇଛି । ବଡସିଂହାର ବେଶରେ ମହାପ୍ରଭୁଙ୍କୁ ପଦ୍ମବେଶ ଲାଗି ଓ ପରେ ପହୁଡ ନୀତି ଅନୁଷ୍ଠିତ ହେଉଥିବାରୁ ରାତିରେ ଭକ୍ତମାନେ ମହାପ୍ରଭୁଙ୍କ ପଦ୍ମବେଶ ଦର୍ଶନ କରିପାରିବେ ନାହିଁ । ଆସନ୍ତାକାଲି ମଙ୍ଗଳଆଳତୀ ପରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ପଦ୍ମବେଶ ଦର୍ଶନ କରିପାରିବେ । ଏହି ଦୃଷ୍ଟିରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭିଡ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି ହୋଇଛି ।