ପୁରୀ: ପୁଣି ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ପର୍ଯ୍ୟଟକଙ୍କୁ ଲୁହା ପାଇପରେ ଆକ୍ରମଣ କରି ଲହୁ ଲୁହାଣ କଲେ ଦୁର୍ବୃତ୍ତ। ପୁରୀ ସ୍ୱର୍ଗଦ୍ୱାର ନିକଟ ଚୈତନ୍ୟ ଛକରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଆକ୍ରମଣର ଶିକାର ହୋଇଥିବା ବଙ୍ଗୀୟ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗର ଆନନ୍ଦ ଏବଂ ତାଙ୍କ ସାଥି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଆନନ୍ଦଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଛି। ସେହିପରି ତାଙ୍କର ଅନ୍ୟ ସାଙ୍ଗ ମାନଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରୁଥିବା ବେଳେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ଆନନ୍ଦ ଆକୁଳ ନିବେଦନ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।
ଗତକାଲି ବିଳମ୍ବିତ ରାତିରେ ପୁରୀ ସ୍ବର୍ଗଦ୍ବାର ସମ୍ମୁଖରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ ଖବରପାଇ ପିସିଆର ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲା। ଚିକିତ୍ସା ପାଇଁ ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ଏନେଇ ପୁରୀ ସମୁଦ୍ରକୂଳ ଥାନା ଆଇଆଇସିଙ୍କ ସହିତ ଆମେ ଯୋଗାଯୋଗ କରିଥିବା ବେଳେ ଥାନାରେ ଏନେଇ କୌଣସି ଲିଖିତ ଅଭିଯୋଗ ହୋଇନାହିଁ ବୋଲି ଥାନା ଅଧିକାରୀ ମାନସ ଚକ୍ର ସୂଚନା ଦେଇଛନ୍ତି।