ପୁରୀ : ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ। ପଛରେଆସୁଛି ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ତିନି ଠାକୁର ।
ଆଜି ପ୍ରତ୍ୟୁଷରେ ଶ୍ରୀଜିଉ ମାନଙ୍କ ମଙ୍ଗଳ ଆତି, ମଇଲମ, ତଡପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା,ଦ୍ୱାରପାଳ ପୂଜା ହୋଇଥିଲା । ଏହାପରେ ଗୋପାଳବଲ୍ଲଭ ଓ ଖେଚୁଡି ଭୋଗ ହୋଇଥିଲା । ସେନାପଟା ଲାଗି ପରେ ବାହୁଡା ପହଣ୍ଡି ଆରମ୍ଭ ହୋଇଥିଲା । ବାହୁଡା ପହଣ୍ଡି ପାଇଁ ଧାର୍ଯ୍ୟ ହୋଇଥିବା ସମୟ ଠାରୁ ପ୍ରାୟ ୧ ଘଣ୍ଟା ଆଗରୁ ରଥ ଟଣା ହୋଇଛି । ପ୍ରଥମେ ଚକ୍ରରାଜ ସୁଦର୍ଶନ, ଏହାପରେ ବଡଭାଇ ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା ଶେଷରେ କାଳିଆ ଠାକୁର ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା । ସେବାୟତଙ୍କ ଗହଣରେ ଟାହିଆ ହଲାଇ ତିନି ଠାକୁରଙ୍କ ପହଣ୍ଡି ଅତ୍ୟନ୍ତ ମନୋରମ ଥିଲା । ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନିରଥର ଛେରାପହଁରା କରିବା ପରେ ବଡଦାଣ୍ଡରେ ଗଡିଥିଲା ତିନି ରଥ ।
ଗୁଣ୍ଡିଚା ମନ୍ଦିର ଛାଡ଼ି ଶ୍ରୀମନ୍ଦିର ଅଭିମୁଖେ ଯାଉଛନ୍ତି ତିନି ଠାକୁର। ଉଛୁଳି ପଡ଼ୁଛି ବଡ଼ଦାଣ୍ଡ, ଭାବବିହ୍ବଳ ହୋଇଛନ୍ତି ଭକ୍ତ ।