ଭୁୁବନେଶ୍ୱର: ଡ୍ରାଇଭର ମହାସଂଘକୁ ଧନ୍ୟବାଦ ଜଣାଇଲେ ରାହୁଲ ଗାନ୍ଧୀ । ସମ୍ବିଧାନ ବଞ୍ଚାଅ ସମାବେଶରେ ରାଜ୍ୟରେ ଜାରି ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ । ଡ୍ରାଇଭର ସଂଘ ଉପରେ ଚାପ ପକାଯାଉଛି । ଡ୍ରାଇଭର ସଙ୍ଘ ଜରିଆରେ ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ ଡ୍ରାଇଭର ସଂଘ ସେମାନଙ୍କ କଥା ଶୁଣିଲେନି । ଏଥିପାଇଁ ଡ୍ରାଇଭର ମହାସଂଘକୁ ହୃଦୟରୁ ଧନ୍ୟବାଦ ଜଣାଉଛି । ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିବା ଉଚିତ୍ ବୋଲି ରାହୁଲ କହିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଜୁଲାଇ ୮ଟାରୁ ରାଜ୍ୟରେ ଡ୍ରାଇଭର ସଂଘର ଆନ୍ଦୋଳନ ଜାରି ରହିଛି । ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁଁ କଂଗ୍ରେସ କର୍ମୀଙ୍କ ଭୁବନେଶ୍ୱରରେ ପହଞ୍ଚିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ବିଭିନ୍ନ ଜିଲ୍ଲାରୁ କର୍ମୀମାନେ ଭୁବନେଶ୍ୱର ଆସିବାକୁ ବସ୍ ଏବଂ ଅନ୍ୟାନ୍ୟ ଗାଡି ମାଲିକଙ୍କୁ ବହୁ ପୂର୍ବରୁ ଆଡଭାନ୍ସ ଟଙ୍କା ଦିଆଯାଇ ଗାଡି ଠିକ୍ କରିଥିଲେ ହେଁ ଡ୍ରାଇଭର ମିଳୁ ନ ଥିଲେ । ବିଶାଳ ସମାବେଶ ବିଫଳ ହୋଇଯିବାର ଆଶଙ୍କା ସୃଷ୍ଟି ହେବାରୁ ପସିସି ସଭାପତି ଭକ୍ତ ଚରଣ ଦାସ ଡ୍ରାଇଭର ମହାସଂଘକୁ ଦିନକ ପାଇଁ ଆନ୍ଦୋଳନ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ । ଗୋଟିଏ ଦିନ ସ୍ଥଗିତ ରଖି ଶନିବାର ପୁଣି ଥରେ ଆନ୍ଦୋଳନ କରନ୍ତୁ । କଂଗ୍ରେସ ଡ୍ରାଇଭର ସଂଘର ଆନ୍ଦୋଳନକୁ ସମର୍ଥନ ଦେବ । ଏହା ପରେ ଡ୍ରାଇଭର ସଂଘ କହିଥିଲେ ଯେ, ଆନ୍ଦୋଳନ ପ୍ରତ୍ୟାହାର ହେବନି । ଆମେ ସମାବେଶକୁ ଆସୁଥିବା ଗାଡି ଅଟକାଇବୁନି କି ଡ୍ରାଇଭରଙ୍କୁ ହଇରାଣ କରିବୁନି ।
ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଏକ ଭିଡିଓ ଜାରି କରି କହିଛନ୍ତି, କଂଗ୍ରେସ ସଭାପତି ଓ ବିଧାୟକମାନଙ୍କ ସହ କଥା ହେବା ପରେ ଆମେ ନିଷ୍ପତ୍ତି ନେଇଛୁ ଯେ, ଆସନ୍ତକାଲି କଂଗ୍ରେସ ସମାବେଶକୁ ଆସୁଥିବା ଗାଡିକୁ କେହି ଅଟକାଇବେନି । ଏହାସହ ଯେଉଁ ଡ୍ରାଇଭରମାନେ ଆଣି ଆସିବେ ସେମାନଙ୍କୁ କେହି ହଇରାଣ କରିବେନି ।