କେନ୍ଦୁଝର : ଗତ ସପ୍ତାହ ଧରି ରାଜ୍ୟର ବିଭିନ୍ନ ହାଜତ ଭିତରେ ଅତ୍ୟାଚାର କରାଯାଉଥିବା ଖବର ଚର୍ଚ୍ଚା ବିଷୟ ପାଲଟିଛି । ଏହାରି ଭିତରେ ଗୋଟିଏ ପରେ ଗୋଟିଏ ନୂଆ ହାଜତ ଅତ୍ୟାଚାରର ଘଟଣା ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି ।
ପୁରୀ ପରେ ଏବେ କେନ୍ଦୁଝରରୁ ଆସିଛି ଏଭଳି ଅଭିଯୋଗ । ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା କାମେଶ୍ୱରପୁରର ପାଟଣା ଗ୍ରାମରେ ଜଣେ ନାବାଳକୁ ପୋଲିସ୍ ହାଜତ ଭିତରେ ମାଡ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି ।
ପୋଲିସ୍ ହେପାଜତରେ ହାଜତ ଭିତରେ ନାବାଳକ ଉପରେ ଥାର୍ଡ ଡିଗ୍ରୀ ଚାର୍ଜ କରିବାର ଅଭିଯୋଗ ଆଣିଛନ୍ତି ଖୋଦ୍ ନାବାଳକ ଏବଂ ତାଙ୍କ ପରିବାର ଲୋକ । ଏନେଇ ନାବାଳକ ଓ ତାର ମା’ ଲିଖିତ ଭାବରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ ଗତ ୨୧ ତାରିଖରେ ପାଟଣା ଗ୍ରାମର ଯଶୋବନ୍ତ ନାଏକଙ୍କ ନାବାଳକ ପୁଅକୁ ଥାନାରେ ହାଜର ହେବା ପାଇଁ କୁହାଯାଇଥିଲା । କୌଣସି ମାମଲାରେ ପଚରା ଉଚରା ପରେ ପୁଅକୁ ଛଡା ଯିବ ବୋଲି ପରିବାର ଲୋକଙ୍କୁ କୁହାଯାଇଥିଲା । ମାତ୍ର ସଂଧ୍ୟା ବେଳେ ପୁଅ ହାଜତ ଭିତରୁ ରକ୍ତାକ୍ତ ଅବସ୍ତାରେ ବାହାରକୁ ଆସିଥିଲା ।
ଏହାପରେ ପରିବାର ଲୋକ ନାବାଳକ ଟିକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଇବା ସହିତ ଥାନାରେ ଏନେଇ ଅଭିଯୋଗ କରିଥିଲେ କିନ୍ତୁ ଅଭିଯୋଗ ଶୁଣିବା ପରିବର୍ତ୍ତେ ଓଲଟା ନାବାଳକର ପରିବାର ଲେଶକଙ୍କୁ ପୋଲିସ୍ ପକ୍ଷରୁ ଧମକ୍ ଦିଆଯିବାର ମଧ୍ୟ ଅଭିଯୋଗ ହୋଇଛି । ଯାହା ଫଳରେ ନ୍ୟାୟ ନପାଇ ପରିବାର ଲୋକେ ବାଧ୍ୟ ହୋଇ କୋର୍ଟର ଦ୍ୱାରସ୍ତ ହୋଇଛନ୍ତି ।